• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • କାଲି ଘୋଷଯାତ୍ରା

  • ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ

  • ଏଇଠୁ ଯିବ ଶ୍ରୀଜିଉଙ୍କ ପାଇଁ ତୁଳସୀ

  • ତୁଳସୀ ସାଙ୍ଗକୁ ଯିବ ନଡ଼ିଆ

ପିପିଲି (ଦ୍ୱିତୀକୃଷ୍ଣ ପଟ୍ଟନାୟକ): କାଳିଆ ଭକ୍ତ ଭୋଳା । ଭକ୍ତ ଯେତେବେଳେ ବି ମନ ପ୍ରାଣ ଦେଇ ଡ଼ାକିଛି ସେ ତା ଡ଼ାକ ନିଶ୍ଚୟ ଶୁଣିଛି। ଭକ୍ତ ଶିରୋମଣୀ ଦାସିଆ ବାଉରୀ ତା’ର ଅନନ୍ୟ ଉଦାହରଣ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରତି ଦିନ ତୁଳସୀ ଯାଉଥିବାବେଳେ ଘୋଷଯାତ୍ରା ସମୟରେ ପିପିଲିରୁ ତୁଳସୀ ଓ ନଡ଼ିଆ ଯିବା ପରେ ହିଁ ହୋଇଥାଏ ମହାପ୍ରଭୁଙ୍କର ପହଣ୍ଡି ସେବା।

ନାମ ସଂକୀର୍ତନ ଚାଲିଛି । ରାମ ନାମରେ ଫାଟି ପଡ଼ୁଛି ଗଗନ ପବନ। ସମସ୍ତଙ୍କ ମୁହଁରେ କେବଳ ସୁବୁଛି ହରିନାମ। ନାମ ସଂକୀର୍ତନରେ ସୃଷ୍ଟି ହେଉଛି ଏକ ଆଧ୍ୟାତ୍ମିକ ପରିବେଶ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ନିକଟ ବାଲିଗାଁରେ ଥିବା ଭକ୍ତ ଶିରୋମଣୀ ଦାସିଆ ବାଉରୀଙ୍କ ପୀଠରେ । ଭକ୍ତ ଦାସିଆଙ୍କ ଛୋଟ କୁଡ଼ିଆଟି ପରିଣତ ହୋଇଛି ଏକ ଆଶ୍ରମରେ । ଯେଉଁଠି ରହିଛି ଦାସିଆଙ୍କ ସମାଧି ପୀଠ । ପୀଠର ମୂଖ୍ୟ ସ୍ଥଳକୁ ଛାଡ଼ିଦେଲେ ରହିଛି ଏକ ତୁଳସୀ ଉଦ୍ୟାନ । ଏହି ଉଦ୍ୟାନର ପ୍ରତିଟି କୋଣ ଅନୁକୋଣ ତୁଳସୀରେ ପରିପୂର୍ଣ୍ଣ ହୋଇଛି। ତୁଳସୀ ବାସ୍ନାରେ ମହକି ଉଠିଥାଏ ସମଗ୍ର ପରିବେଶ । ସୃଷ୍ଟି ହେଉଛି ଏକ ଆଧ୍ୟାତ୍ମିକ ଭରା ପରିବେଶ ।

ପୀଠର ଯୁଆଡ଼େ ଦେଖିବେ ବୃନ୍ଦାବତୀଙ୍କ ଆସ୍ଥାନ ଦେଖିବାକୁ ଆପଣମାନେ ପାଇବେ। ପ୍ରତି ଦିନ ଏଠାରେ ତୁଳସୀ ଠାକୁରଙ୍କ ଆରାଧନା କରା ଯାଇଥାଏ । ମା’ଙ୍କୁ ଧୂପ ଏବଂ ଝୁଣା ଲାଗି କରା ଯାଇଥାଏ । କେବଳ ଏତିକି ନୁହେଁ ବରଂ ମୁଣ୍ଡ ନୁଆଁଇ ମା’ବୃନ୍ଦାବତୀଙ୍କୁ ତୁଳସୀ ପତ୍ର ଛିଣ୍ଡାଇବା ପାଇଁ ଅନୁମତି ମାଗିଥାନ୍ତି ଭକ୍ତମାନେ । ଆଉ ଏହା ପରେ ତୋଳା ହୋଇଥାଏ ତୁଳସୀ । ଶୁଦ୍ଧ ପୂତ ଭାବରେ ଗୋଟିଏ ପରେ ଗୋଟିଏ ତୁଳସୀ ପତ୍ର ତୋଳନ୍ତି । ଖାଲି ତୁଳସୀ ପତ୍ର ନୁହେଁ ପୀଠରେ ଥିବା ପୋଖରୀରୁ ପଦ୍ମ ଫୁଲ ତୋଳା ହୋଇଥାଏ କାଳିଆ ଠାକୁରଙ୍କ ପାଇଁ । ଏହାସହ ସାଙ୍ଗରେ ନଡ଼ିଆ ମଧ୍ୟ ଯାଏ । ପ୍ରତିଦିନ ତୁଳସୀ ନଡ଼ିଆ ଓ ଫୁଲ ଧରି ଜଣେ ସାଧୁ ପୁରୀ ଯାଆନ୍ତି ।

ତେବେ ଘୋଷଯାତ୍ରାରେ କାଳିଆ ସାଆନ୍ତ ପାଇଁ ଦାସିଆଙ୍କ ବାଡ଼ିରୁ ଏକ ଚୁଳ ଯାଇଥାଏ ଶ୍ରୀକ୍ଷେତ୍ରକୁ । ସାଧୁଙ୍କ ଦ୍ୱାରା ଏହା କାଳିଆ ସାଆନ୍ତଙ୍କ ପାଉଁ ଯାଇଥିବାବେଳେ ଜଗନ୍ନାଥ ଆଶ୍ରିତ ସଂକୀର୍ତନ ମଣ୍ଡଳୀର କଳାକାରମାନେ ନାମ କରିଥାନ୍ତି । ମୁଣ୍ଡରେ ମୁଣ୍ଡାଇ ଶୀକ୍ଷେତ୍ରରେ ପହଂଚିବା ପରେ ପହଣ୍ଡି ହୋଇ ଆସିଥିବା ରଥାରୁଢ କାଳିଆ ସାଆନ୍ତଙ୍କ ପାଇଁ ୨୭ ହାତର ତୁଳସୀରମାଳ ସାଂଗକୁ ମଂଜରୀ ତୁଳସୀ ଯାଇଥାଏ । ଆଉ ଏଠାରୁ ଯାଇଥିବା ତୁଳସୀ ସ୍ୱୟଂ ମହାପ୍ରଭୁଙ୍କ ମୁଣ୍ଡ ଉପରେ ହିଁ ସ୍ଥାନ ପାଇଥାଏ। ପ୍ରଭୁଙ୍କ ଦୟଣା ମାଳ ହେଉ କି ହୃଦ ପଦ୍ମ, ଜଗନ୍ନାଥଙ୍କ ପୂଜାରେ ତୁଳସୀର ରହିଛି ମହତ୍ୱ ପୂର୍ଣ୍ଣ ଭୁମିକା । ଶାସ୍ତ୍ରରେ କୁହାଯାଇଛି ତୁଳସୀ ଗଛର ବିଭିନ୍ନ ଅଂଶରେ ଦେବାଦେବୀଙ୍କର ବାସ ଥାଏ ବୋଲି । ତେବେ ବୈଷ୍ଣବ ଧର୍ମରେ ତୁଳସୀ ମହାତ୍ମ୍ୟକୁ ନେଇ ରହିଛି ଅନେକ ପୌରାଣିକ ଗାଥା । ଆଉ ସେଇଥି ପାଇଁ ତ କାଳିଆ ସାଆନ୍ତଙ୍କ ପୂଜା ପାଇଁ ଖୋଜା ପଡ଼ିଥାଏ ତୁଳସୀ ଦୟଣା।