• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ପଟିଆସ୍ଥିତ RMD ଡିଗ୍ରୀ କଲେଜର ରୋଭରସ, ରେଞ୍ଜର୍ସ ଛାତ୍ରୀଙ୍କ ପକ୍ଷରୁ ନିଆରା ରକ୍ଷା ବନ୍ଧନ ଉତ୍ସବ ପାଳିତ । ବିଭିନ୍ନ ପ୍ରକାର ମଞ୍ଜିରେ ଏମାନେ ରାକ୍ଷୀ ପ୍ରସ୍ତୁତ କରିଥିଲେ । ଏହାସହ ଇନ୍‌ଫୋସିଟି ଥାନା, ଚନ୍ଦ୍ରଶେଖରପୁର ଥାନାକୁ ଯାଇ ଛାତ୍ରୀମାନେ ପୋଲିସ କର୍ମଚାରୀଙ୍କୁ ରାକ୍ଷୀ ବାନ୍ଧିଥିଲେ ।ରାକ୍ଷୀରେ ବ୍ୟବହାର କରାଯାଇଥିବା ମଞ୍ଜିକୁ ପରେ ଗଛ ଲଗାଇବା ପାଇଁ ବ୍ୟବହାର କରାଯାଇପାରିବ ବୋଲି ଛାତ୍ରୀମାନେ କହିଛନ୍ତି । ଏହି ଅବସରରେ ଛାତ୍ରୀଙ୍କ ସହ ସାମିଲ ହୋଇଥିଲେ କଲେଜର ଅଧ୍ୟାପକ ଓ ଅଧ୍ୟାପିକା ।

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭଦ୍ରକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଛି ରକ୍ଷା ବନ୍ଧନ । ଶିଶୁ ବିଦ୍ୟାମନ୍ଦିରର ଗୁରୁମାମାନେ ଗୁରୁଜୀମାନଙ୍କୁ ବନ୍ଦାପନା କରି ରାକ୍ଷୀ ବାନ୍ଧିଛନ୍ତି । ରାକ୍ଷୀ ବାନ୍ଧିବା ପରେ ଗୁରୁମା ଓ ଗୁରୁଜୀମାନେ ବିଭିନ୍ନ ଗଛକୁ ବନ୍ଦାପନା କରିବା ସହ ପୂଜା ପାଠ କରି ରାକ୍ଷୀ ବାନ୍ଧିଥିଲେ । ଏହି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।


ଆଜି ରକ୍ଷା ବନ୍ଧନ ସହ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଜନ୍ମ ଦିନ । ଏଥିପାଇଁ କେନ୍ଦ୍ରାପଡାର ବଳଦେବଜୀଉଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି । ଶ୍ରୀକ୍ଷେତ୍ରରୁ ଭଉଣୀ ସୁଭଦ୍ରା ପଠାଇଥିବା ରାଖୀକୁ ବଡ଼ ଭାଇ ଶ୍ରୀବଳଦେବଜୀଉ ଓ ଶ୍ରୀଜଗନ୍ନାଥ ପିନ୍ଧିଛନ୍ତି । ଆଜି ମନ୍ଦିରରେ ପିଠା କ୍ଷୀରି ଭୋଗ ହୋଇଥିଲା । ରକ୍ଷା ବନ୍ଧନ ପାଇଁ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସହ ମନ୍ଦିରକୁ ସୁସଜିତ କରାଯାଇଛି ।
 

ସେହିଭଳି ଶିଳ୍ପୀ ସୂର୍ଯ୍ୟକାନ୍ତ ଦାସ ଏକ ନିଆରା ରାକ୍ଷୀ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି । ଅଦରକାରୀ ଖବରକାଗଜ, ମଇଦା ଅଠା ଏବଂ କଲର୍ ବ୍ୟବହାର କରି ସେ ରାକ୍ଷୀଟି ପ୍ରସ୍ତୁତ କରିଛନ୍ତି । ଯାହାର ଉଚ୍ଚତା ୧୨ ଇଞ୍ଚ । ରାକ୍ଷୀଟିକୁ ଗଢିବାକୁ ୬ ଘଣ୍ଟା ସମୟ ଲାଗିଥିଲା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସେ ଏହି ରାକ୍ଷୀ ତିଆରି କରିଛନ୍ତି । ଫୁଲ ଭିତରେ ଜଗନ୍ନାଥଙ୍କର ମୁହଁ ଥିବା ଏହି ରାକ୍ଷୀ ବେଶ୍ ଆକର୍ଷଣୀୟ ହୋଇଛି ।
 
ଅନ୍ୟପଟେ ପବିତ୍ର ରକ୍ଷା ବନ୍ଧନ ଅବରସରେ ସରକାରୀ ଅଧିକାରୀଙ୍କ ହାତରେ ରାକ୍ଷୀ ବାନ୍ଧି ପରମ୍ପରାକୁ ପାଳନ କରିଛନ୍ତି ତିବତୀୟ ମହିଳା । ଗଜପତି ଚନ୍ଦ୍ରଗିରି ତିବତୀୟ ମହିଳା ସଂଘର ସଦସ୍ୟାମାନେ ମୋହନା ଥାନା ଅଧିକାରୀ, ବିଡ଼ିଓ, ତହସିଲଦର ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବରିଷ୍ଠ ନେତାଙ୍କୁ ସାକ୍ଷାତ କରି ସେମାନଙ୍କ ହାତରେ ରାଖୀ ବାନ୍ଧିଛନ୍ତି । ଏହି ପବିତ୍ର ପର୍ବକୁ ପାଳନ କରି ସେମାନେ ଖୁସି ଥିବା କହିଛନ୍ତି ।