• translate
Minati Mishra

News Highlights

  • ୧୮୭୭ ରଥଯାତ୍ରାରେ ଯେଉଁଭଳି ଭାବେ ବିଳମ୍ୱ ହୋଇଥିଲା, ତାହା ପୂର୍ବରୁ ପ୍ରାୟ କେବେ ହୋଇ ନଥିଲା

  • ପହଣ୍ଡି ସରୁ ସରୁ ରାତି ଅଧ ହୋଇଥିଲା

  • ତା’ ପରଦିନ ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇଥିଲା।

ପୁରୀ ରଥଯାତ୍ରା ନଥିରେ ରହିଛି ଅନେକ କଥା, ଅନେକ କାହାଣୀ। କାହିଁ କେତେ ଯୁଗରୁ ହୋଇ ଆସୁଥିବା ଏଇ ରଥଯାତ୍ରା ପରମ୍ପରାରେ କେତେ ବିବାଦ ଦେଖା ଦେଇଛି, କେତେ ପ୍ରତିବନ୍ଧକ ଆସିଛି, କେତେ ଅଲୌକିକ ଘଟଣା ବି ଘଟିଛି। ରଥଯାତ୍ରା ଇତିହାସରୁ ଏମିତି ଏକ ଘଟଣା ଆମ କହିବାକୁ ଯାଉଛି ଯାହା ସଂଗୃହୀତ ହୋଇଛି ହରିହର ପଣ୍ଡାଙ୍କ ‘ରଥଯାତ୍ରା ନଥି’ରୁ

ତେବେ ରଥଯାତ୍ରା ଦିନ ପହଣ୍ଡିକୁ ନେଇ ଅନେକ ସମୟରେ ବିବାଦ ସୃଷ୍ଟି ହୁଏ। କେତେବେଳେ ଦଇତାଙ୍କ ଦାବିକୁ ଶୁଣିବାରେ ସରକାର ଅମଙ୍ଗ ହେବାରୁ ନୀତି ବିଳମ୍ୱ ହୁଏ ତ ଆଉ କେତେବେଳେ ରଥ ତିଆରି କାର୍ଯ୍ୟରେ ବିଳମ୍ୱ ହୁଏ। ସେହିପରି କେତେବେଳେ ପ୍ରଶାସନିକ କାରଣରୁ ଅହେତୁକ ବିଳମ୍ୱ ହୁଏ। ହେଲେ ୧୮୭୭ ରଥଯାତ୍ରାରେ ଯେଉଁଭଳି ଭାବେ ବିଳମ୍ୱ ହୋଇଥିଲା, ତାହା ପୂର୍ବରୁ ପ୍ରାୟ କେବେ ହୋଇ ନଥିଲା। ପହଣ୍ଡି ସରୁ ସରୁ ରାତି ଅଧ ହୋଇଥିଲା। ତା’ ପରଦିନ ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇଥିଲା।

ସେବର୍ଷ ରଥଯାତ୍ରା ଜୁଲାଇ ୧୨ ତାରିଖରେ ପଡ଼ିଥିଲା। ପାଗ ଠିକ୍‌ ଥିଲେ ମଧ୍ୟ ରଥଯାତ୍ରାରେ ଯାତ୍ରୀଙ୍କ ସଂଖ୍ୟା କମ୍ ଥିଲା। ପାଖାପାଖି ୫/୭ ହଜାର ଲୋକଙ୍କ ସମାଗମ ହୋଇଥିଲା। ଫଳରେ ପୁରୀରେ ଯାତ୍ରୀଙ୍କ ସକାଶେ ଉଦ୍ଦିଷ୍ଟ ଘରଗୁଡ଼ିକ ବେଶ୍‌ ଶସ୍ତାରେ ମିଳୁଥିଲା। କମ୍‌ ଯାତ୍ରୀଙ୍କ ସମାଗମ ହେତୁ ରୋଗ ବୈରାଗ ମଧ୍ୟ ନଥିଲା ପ୍ରାୟ। ପ୍ରାତଃକାଳରୁ ନବଯୌବନ ଦର୍ଶନ ଆରମ୍ଭ ହେଲା। ଦୁଇଘଣ୍ଟା ଭିତରେ ତାହା ଶେଷ ହୋଇଥିଲା। ବେଶ୍‌ ଶୃଙ୍ଖଳାର ସହ ଯାତ୍ରୀମାନେ ଠାକୁରଙ୍କ ଦର୍ଶନ ପାଇଥିଲେ। ମାତ୍ର ଗୁଣ୍ଡିଚା ଯାତ୍ରାରେ ଅହେତୁକ ବିଳମ୍ୱ ଦେଖିବାକୁ ମିଳିଥିଲା। ଏହାର ଏକ ମାତ୍ର କାରଣଥିଲା ରଥ ପ୍ରସ୍ତୁତିରେ ବିଳମ୍ୱ।

ନୀତି ମୁତାବକ ଯାତ୍ରା ପୂର୍ବଦିନ ରଥସବୁ ସିଂହଦ୍ୱାରରେ ଠିଆ ହେବା କଥା। କିନ୍ତୁ ରଥ ଦିନ ସନ୍ଧ୍ୟା ଯାଏଁ ତାହା ହୋଇପାରି ନଥିଲା। କାଠ ମିସ୍ତ୍ରୀମାନେ ଏନେଇ ଠିକଣା ସୂଚନା ମଧ୍ୟ ଦେଇପାରୁ ନଥିଲେ। ସନ୍ଧ୍ୟାବେଳେ ରଥସବୁ ପ୍ରସ୍ତୁତ ହେବାରୁ ପହଣ୍ଡି କାର୍ଯ୍ୟ ଆରମ୍ଭ ହେଲା। ଏମିତିରେ ଯେତେ ଜଲ୍‌ଦି ହେବ ସେବକମାନେ ପହଣ୍ଡି କାର୍ଯ୍ୟରେ ଲାଗିଲେ। କିନ୍ତୁ ତାହା ଶେଷ ହେଉ ହେଉ ରାତି ପାହିଗଲା। ଏପରି କଥା ପୂର୍ବରୁ କେବେ ହୋଇନଥିବାରୁ ଯାତ୍ରୀ ଓ ଭକ୍ତଙ୍କ ଭିତରେ ସଂଶୟ ସୃଷ୍ଟି ହୋଇଥିଲା।

ଏ ସମ୍ପର୍କରେ ଦୋଷ ବାହାର କରିବାକୁ ଯାଇ ପ୍ରଶାସନିକ ଅଧିକାରୀମାନେ ରାଜାଙ୍କୁ ଦୋଷ ଦେଲେ। ଯେହେତୁ ରଥ ନିର୍ମାଣ ଦାୟିତ୍ୱ ରାଜାଙ୍କର, ସେ ଯଦି ଏନେଇ ଉପଯୁକ୍ତ ପଦକ୍ଷେପ ନେଇ ସତର୍କ ହୋଇଥାଆନ୍ତେ, ତା’ହେଲେ ଏ ବିଳମ୍ୱ ହୋଇ ନଥାନ୍ତା ବୋଲି ସମସ୍ତେ ମତ ଦେଲେ। ପହଣ୍ଡି ସରିଲା ପରେ ଆଉ ରଥଟଣା ହେଲା ନାହିଁ। ତହିଁ ପରଦିନ ଭୋରରୁ ଭକ୍ତଙ୍କ ସମାଗମ ହେବାରୁ ପ୍ରଥମେ ବଳଭଦ୍ରଙ୍କ ରଥ ଟଣାହେଲା। ହେଲେ ବଳଭଦ୍ରଙ୍କ ରଥ ଯାଇ ବଡ଼ଦାଣ୍ଡ ଉପରେ ଥିବା କାଶୀନାଥ ମଲ୍ଲିକଙ୍କ ଘର ଚାଳରେ ବାଜିଲା। ଚାଳତଳେ ଥିବା ଗୁଡ଼ିଆ, ବଣିଆ ଦୋକାନ ଭାଙ୍ଗିଗଲା। ସେ ଉତ୍ତାରୁ ରଥ ଟଣା ବନ୍ଦ ହେଲା। ଏପଟେ ସୁଭଦ୍ରାଙ୍କ ରଥ ଟଣାଯାଇ ହାସ୍‌ପାତାଳ ଛକଯାଏଁ ଯାଇଥିଲା। ତା’ ପରଦିନ ଅର୍ଥାତ୍ ଶନିବାର ଦିନ ଜଗନ୍ନାଥଙ୍କ ରଥଟଣା ହୋଇଥିଲା।

ରଥଯାତ୍ରା ସରିବାର କିଛିଦିନ ପରେ ରାଜା ବୀରକେଶରୀଙ୍କୁ କଳାପାଣି ଦଣ୍ଡା ଆଜ୍ଞା ହୋଇଥିଲା। ରାଜନଅର ଭିତରେ ଜଣେ ସାଧୁଙ୍କୁ ହତ୍ୟା କରିବା ଅପରାଧରେ ବ୍ରିଟିଶ୍‌ କୋର୍ଟ ତାଙ୍କୁ ଏହି ଦଣ୍ଡ ଦେଇଥିଲେ। ଏଣୁ ମନ୍ଦିର ରୀତିନୀତି ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ ରାଜମାତା ସୂର୍ଯ୍ୟମଣି ପାଟ ମହାଦେଇ ବିଶେଷ ପ୍ରାବଧାନ କରି ନିଜ ହାତରେ ମନ୍ଦିର ପରିଚାଳନା ଭାର ନେଇଥିଲେ। ତାଙ୍କରି ଉଦ୍ୟମରେ ମନ୍ଦିରରେ ଯଥା ରୀତି ଜଗନ୍ନାଥଙ୍କ ସେବା ଅନୁଷ୍ଠିତ ହେଲା। ତାଙ୍କୁ କଲେକ୍ଟର ଆର୍ମଷ୍ଟ୍ରଙ୍ଗ୍ ବି ସହାୟତା କଲେ। ଫଳରେ ୧୮୭୮ ରଥଯାତ୍ରା ବେଶ୍‌ ସୁରୁଖୁରୁ ହୋଇଥିଲା। ଦୁଇଦିନ ପରେ ତିନିରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା।

Other Stories