• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେନ୍ଦ୍ରାପଡା(ମନୋଜ ସ୍ୱାଇଁ) : ଆସନ୍ତାକାଲି ମା’ ଗଜଲକ୍ଷ୍ମୀଙ୍କ ପୂଜା । ଧରାପୃଷ୍ଠକୁ ଧରାବତରଣ କରିବେ ଧନର ଦେବୀ ମା' ଲକ୍ଷ୍ମୀ । ଏଥିପାଇଁ ତୁଳସୀ କ୍ଷେତ୍ର କେନ୍ଦ୍ରାପଡାରେ ପ୍ରସ୍ତୁତି ଶେଷ ପର୍ଯ୍ୟାରେ ପହଞ୍ଚିଛି । ହେଲେ ଆଗଭଳି ସେହି ଚମକ ନାହିଁ । ନା ଅଛି ସାଜସଜା ନା ଆଲୋକର ତୋରଣ । କୋଭିଡ କଟକଣା ପାଇଁ ଆୟୋଜକ ଓ ଶ୍ରଦ୍ଧାଳୁଙ୍କ ଉତ୍ସାହରେ ଭଟ୍ଟା ପଡି ଯାଇଛି ।

ଧରାପୃଷ୍ଠରୁ ଜଗତଜନନୀ ମାଆ ଦୁର୍ଗାଙ୍କ ମେଲାଣି ପରେ ପରେ ଆଗମନ କରୁଛନ୍ତି ଧନଦାତ୍ରୀ ମା’ ଲକ୍ଷ୍ମୀ । କେନ୍ଦ୍ରାପଡାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ମାଆଙ୍କ ମୃଣ୍ମୟୀ ମୂର୍ତ୍ତିରେ ରଙ୍ଗ ଦେବାରେ ବ୍ୟସ୍ତ ଶିଳ୍ପୀ । ବାହନ, ସଖୀ ଏବଂ ପାର୍ଶ୍ୱ ଦେବାଦେବୀଙ୍କୁ ବି ରଙ୍ଗ କରାଯାଉଛି । ଏବେ ଯେମିତି କାରିଗରଙ୍କ ହାତକୁ ଆଉ ଫୁରସତ ନାହିଁ । ଏଥର ସହରରେ ୬୮ଟି ମଣ୍ଡପରେ ପୂଜା ପାଇବେ ମାଆ ଗଜଲକ୍ଷ୍ମୀ ..

କୋଭିଡ କଟକଣା ଭିତରେ ୨ ବର୍ଷ ହେଲା ମାଆଙ୍କ ପୂଜା ହେଉଛି ସତ କିନ୍ତୁ ପୂର୍ବଭଳି ସେ ଉତ୍ସାହ-ଉଦ୍ଦୀପନା ନାହିଁ । ନା ଆୟୋଜକ ନା ଶ୍ରଦ୍ଧାଳୁ, କିଏ ବି ଖୁସି ନାହାଁନ୍ତି । ମାଆଙ୍କ ଏଭଳି ପୂଜାର୍ଚ୍ଚନାରେ ଯେଉଁଠି ୮ରୁ ୧୦ଫୁଟ ଉଚ୍ଚତାର ମୂର୍ତ୍ତି ର୍ନିମାଣ ହେଉଥିଲା ସେଠି ଏବେ ଚାରି ଫୁଟର ମୂର୍ତ୍ତି ପୂଜା ପାଉଛନ୍ତି । ପ୍ରଶାସନର ଗାଇଡଲାଇନ୍ ଅନୁଯାୟୀ ପୂଜା ମଣ୍ଡପରେ ମାତ୍ର ୭ଜଣ ରହିବା ଅନୁମତି ରହିଛି । ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ ବି ରହିଛି କଟକଣା । ମେଳା ମହୋତ୍ସବ ସଂପୂର୍ଣ୍ଣ ବନ୍ଦ ଥିବାରୁ ଫିକା ପଡିଯାଉଛି ଲକ୍ଷ୍ମୀ ପୂଜା । ସେପଟେ ପୂଜା ପାଇଁ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।