• translate
Pramod Behera

ଦ୍ୱାପର ଯୁଗରେ ଭଗାବାନ କୃଷ୍ଣ ବୁଧବାର ରୋହିଣୀ ନକ୍ଷତ୍ରରେ ଦେବକୀଙ୍କ ଗର୍ଭରୁ ଜନ୍ମଲାଭ କରିଥିଲେ। ତିଥି ଥିଲା ଅଷ୍ଟମୀ ଓ ସମୟ ଥିଲା ରାତ୍ରି। ଏହା ପଛର କାରଣ ଥିଲା ଯେ ଶ୍ରୀକୃଷ୍ଣ ଚନ୍ଦ୍ରବଂଶୀ ହେବାକୁ ଚାହୁଥିଲେ। ଚନ୍ଦ୍ରଦେବ ତାଙ୍କ ପୂର୍ବଜ ଏବଂ ବୁଧ ଚନ୍ଦ୍ରମାଙ୍କ ପୁତ୍ର। ଏନେଇ ଚନ୍ଦ୍ରବଂଶରେ ପୁତ୍ରବତ ଜନ୍ମ ନେବା ପାଇଁ କୃଷ୍ଣ ବୁଧବାରକୁ ଚିହ୍ନଟ କରିଥିଲେ। ସେହିପରି ରୋହିଣୀ ହେଉଛନ୍ତି ଚନ୍ଦ୍ରଙ୍କ ପ୍ରିୟ ପତ୍ନୀ, ଅଷ୍ଟମୀ ତିଥି ଶକ୍ତିର ପ୍ରତୀକ। ତେଣୁ ଭଗବାନ ଶ୍ରୀକୃଷ୍ଣ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରକୁ ବାଛିଥିଲେ।

ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାନ୍ତି। ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଏହିଦିନ ସର୍ବଦା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ଭିତରେ ପଡିଥାଏ। ଭାଦ୍ର କୃଷ୍ଣାଷ୍ଟମୀ ଅର୍ଦ୍ଧରାତ୍ର ସମୟରେ ଜନ୍ମାଷ୍ଟମୀ ହିନ୍ଦୁ ଜଗତରେ ପାଳିତ ହୋଇଥାଏ । କିନ୍ତୁ ବିଷ୍ଣୁ ପୁରାଣରେ କୃଷ୍ଣଙ୍କର ଜନ୍ମ ଶ୍ରାବଣ ମାସ କୃଷ୍ଣ ଅଷ୍ଟମୀରେ ହୋଇଥିବାର ଉଲ୍ଲେଖ ରହିଛି । ଶ୍ରୀକୃଷ୍ଣ ମାନବ ସମାଜକୁ କର୍ମଯୋଗର ଶିକ୍ଷା ଦେଇଛନ୍ତି । ଶ୍ରୀମଦ୍ଭଗବଦଗୀତାରେ କର୍ମ ଅନୁସାରେ ଫଳ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି। ତେଣୁ ଜନ୍ମାଷ୍ଟମୀର ପାଳନ ଅବସରରେ ଜଣେ ପ୍ରକୃତ କର୍ମଯୋଗୀ ହେବା ପାଇଁ ଶପଥ ନିଆଯାଏ। ଫଳର ଆଶା ନ ରଖି ବିଶ୍ୱର ସେବାକରିବା ହେଉଛି ପ୍ରକୃତ କର୍ମଯୋଗ ।

Janmastamiଜନ୍ମାଷ୍ଟମୀ

କିମ୍ବଦନ୍ତୀ କୁହେ, ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧକରିବା ନେଇ ମାନବ ରୂପରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ । ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର । କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ କୃଷ୍ଣ ଜନ୍ମ ଲାଭ କରିଥିଲେ । ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ । ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ । ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତକରିବା ନେଇ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି । ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ । ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ । ପରଂବ୍ରହ୍ମଙ୍କ ଆଜ୍ଞାକୁ ମାନି ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରାତିରେ ବାହାରିପଡିଲେ।

Janmastamiଜନ୍ମାଷ୍ଟମୀ

ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣିତ କଥାମୃତ ଅନୁଯାୟୀ ବନ୍ଦିଶାଳା ଦିବ୍ୟ ଆଲୋକରେ ଆଲୋକିତ ହୋଇଗଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦିଶାଳାର ଦ୍ୱାର ମଧ୍ୟ ଆପେ ଆପେ ଖୋଲିଗଲା। ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହୋଇ ଗୋପପୁର ଗଲେ । ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କିଦେଲେ। ସବୁ ବାଧାବିଘ୍ନ ଅତିକ୍ରମକରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମଦିନକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଶୈଳୀରେ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ ।

ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବ ମହାସମାରୋହରେ ପାଳନ କରାଯାଏ । ଏହିଦିନ ଲୋକେ ଉପବାସ ରଖିଥାନ୍ତି, ଓ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ରାତି ୧୨ରେ ଉପବାସ ଭାଙ୍ଗିଥାନ୍ତି। ଏହିଦିନ ଗାଁର ଭାଗବତ ଟୁଙ୍ଗୀଗୁଡିକରେ ଅଥବା କାହା ଘର ବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ । ହରିବଂଶ ପୁରାଣ ଅତି ଦୀର୍ଘ ହୋଇଥିବାରୁ କେଉଁଠି କେଉଁଠି ଖଣ୍ଡିକିଆ ହରିବଂଶ ପଢ଼ିଥାନ୍ତି । ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିମାନଙ୍କ ଭିତରେ ଜନ୍ମାଷ୍ଟମୀ ଅନ୍ୟତମ। ଓଡ଼ିଶାରେ ବୈଷ୍ଣବ ମତବାଦର ବହୁଳ ପ୍ରଭାବ ରହିଥିବାରୁ ଏହି ପର୍ବ ଓଡ଼ିଆ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । କେତେକେ ସ୍ଥାନରେ ଲୋକମାନେ ମଧ୍ୟ ଜନ୍ମାଷ୍ଟମୀ ବ୍ରତ ବହି ପାଠ କରିଥାନ୍ତି।

Janmastamiଜନ୍ମାଷ୍ଟମୀ

ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ଭାଏ ପାଳନ କରାଯାଏ। ନନ୍ଦରାଜ ଓ ଯଶୋଦାରାଣୀଙ୍କ ଆନନ୍ଦକୁ ମନେ ପକାଇବା ପାଇଁ ଏହି ଦିନ ଲୋକେ ନାଚ-ଗୀତ କରିଥାନ୍ତି ଓ ନିଜର ଉପବାସ ଭାଙ୍ଗି ବଡ଼ି ସକାଳୁ ମିଷ୍ଟାନ୍ନ ବାଣ୍ଟିବା ସହିତ ଖାଇଥାନ୍ତି ।

ଉତ୍ତର ପ୍ରଦେଶର ମଥୁରାରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିବାରୁ ଏଠାରେ ଏହି ଉତ୍ସବ ବିଶେଷ ଉଲ୍ଲାସରେ ପାଳିତ ହୋଇଥାଏ । କୃଷ୍ଣଙ୍କର କ୍ରୀଡ଼ାଭୂମୀ ଗୋକୁଳ ଓ ବୃନ୍ଦାବନରେ ଅସଂଖ୍ୟ ଜନଗହଳି ହୋଇଥାଏ ଓ ଏଠାରେ ଏହି ଉତ୍ସବ ପ୍ରାୟ ସାତ ଦିନ ବ୍ୟାପି ପାଳିତ ହୋଇଥାଏ। ଗୁଜରାଟର ଦ୍ୱାରକାରେ ଥିବା ଦ୍ୱାରିକାଧିଶ ମନ୍ଦିରରେ ମଧ୍ୟ ଏହି ଉତ୍ସବ ବହୁତ ଆଡ଼ମ୍ବରରେ ପାଳିତ ହୋଇଥାଏ । ଏହାଛଡ଼ା ପଶ୍ଚିମବଙ୍ଗରେ ଶ୍ରୀଚୈତନ୍ୟ ଓ ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜନ୍ମସ୍ଥାନ ନବଦ୍ୱୀପରେ ମଧ୍ୟ ଜନ୍ମାଷ୍ଟମୀ ହର୍ଷୋଲ୍ଲାସରେ ପାଳିତ ହୋଇଥାଏ । ଲୋକେ ଉପବାସ ରଖି ଶ୍ରୀକୃଷ୍ଣଙ୍କ ଜନ୍ମ ଓ ଲୀଳା ବର୍ଣ୍ଣନାରେ ସମୃଦ୍ଧ ଶ୍ରୀମଦ୍ଭାଗବତର ଦଶମ ସ୍କନ୍ଧ ପଢ଼ିଥାନ୍ତି । ଜାମ୍ମୁଠାରେ ଏହିଦିନ ଗୁଡ଼ି ଉଡ଼ାଇବାର ପ୍ରଥା ରହିଛି ।

Janmastamiଜନ୍ମାଷ୍ଟମୀ

ଜନ୍ମାଷ୍ଟମୀକୁ ମୁମ୍ବାଇ ଏବଂ ପୁନାରେ ଲୋକେ ଦହି ହାଣ୍ଡି ନାମରେ ବେଶି ଜାଣିଥାନ୍ତି । ଗୋଟିଏ ମାଟିହାଣ୍ଡିରେ ଘୋଳଦହି ରଖି ଏକ ନିର୍ଦିଷ୍ଟ ଉଚ୍ଚତାରେ ଏହାକୁ ଓହଳାଇ ଦିଆଯାଏ । ଏହାପରେ ଲୋକମାନେ ଜଣକ ଉପରେ ଜଣେ ଠିଆହୋଇ ଏକ ମିନାର ଗଠନ କରନ୍ତି ଓ ଉପରେ ଥିବା ଲୋକଟି ଏକ ଶକ୍ତ ଜିନିଷରେ ବାଡ଼େଇ ସେହି ହାଣ୍ଡିକୁ ଭାଙ୍ଗିଥାଏ । ଏନେଇ ଅନେକ ନଡ଼ିଆ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି, କାରଣ ନଡ଼ିଆକୁ ହିନ୍ଦୁଧର୍ମରେ ଶୁଭ ବୋଲି ଧରାଯାଏ । ହାଣ୍ଡି ଭାଙ୍ଗିଗଲା ପରେ ସେଥିରେ ଥିବା ଦହି ସମସ୍ତଙ୍କ ଉପରେ ପଡିଥାଏ। ଏହାକୁ ଏକତାର ସଫଳତା ବୋଲି ବିବେଚନା କରାଯାଏ । ସହରର ବିଭିନ୍ନ ସ୍ଥାନରେ ହାଣ୍ଡିର ଆୟୋଜନ ବିଭିନ୍ନ ଗୋଷ୍ଠୀର ଲୋକମାନେ କରିଥାନ୍ତି ଓ ନବ ଯୁବକମାନେ ଏଥିରେ ଭାଗନେଇଥାନ୍ତି । ଏମାନଙ୍କୁ ଗୋବିନ୍ଦ ପାଠକ କୁହାଯାଏ । ଏହି ଗୋବିନ୍ଦପାଠକମାନେ ସହର ସାରା ବୁଲି ବୁଲି ଅଧିକରୁ ଅଧିକ ହାଣ୍ଡି ଭାଙ୍ଗିବାକୁ ଚେଷ୍ଟା କରିଥାନ୍ତି ।

Janmastamiଜନ୍ମାଷ୍ଟମୀ

ଏମାନେ ପରସ୍ପର ସହିତ ପ୍ରତିଦ୍ୱନ୍ଦୀତା କରିଥାନ୍ତି । କାରଣ ହାଣ୍ଡି ଭାଙ୍ଗିଲେ ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ମିଳିଥାଏ । କେତେକ ସ୍ଥାନରେ ଏହା ରାଜନୈତିକ ଅଭିସନ୍ଧିଯୁକ୍ତ ହୋଇଥାଏ । ଟଙ୍କା ଓ ଉପହାର ମିଳୁଥିବାରୁ ମୁମ୍ବାଇରେ ଆୟୋଜିତ ପାଖାପାଖି ୪୦୦୦ ହାଣ୍ଡି ପାଇଁ ପ୍ରାୟ ୨୦୦୦ ଗୋବିନ୍ଦ ଦଳ ପ୍ରତିଯୋଗୀତା କରିଥାନ୍ତି ।

ମଣିପୁରରେ ଜନ୍ମାଷ୍ଟମୀ କୃଷ୍ଣଜନ୍ମ ନାମରେ ଲୋକପ୍ରିୟ । ଏହା ରାଜ୍ୟର ରାଜଧାନୀ ଇମ୍ଫାଲର ଦୁଇଟି ମୁଖ୍ୟ ମନ୍ଦିର ଯଥାକ୍ରମେ ଗୋବିନ୍ଦଜୀ ମନ୍ଦିର ଓ ଇସ୍କନ ମନ୍ଦିରରେ ପାଳିତ ହୁଏ। କୃଷ୍ଣଭକ୍ତମାନେ ମୁଖ୍ୟତଃ ଇସ୍କନ ମନ୍ଦିରରେ ଏକାଠି ହୋଇଥାନ୍ତି ।

Janmastamiଜନ୍ମାଷ୍ଟମୀ

କର୍ଣ୍ଣାଟକରେ ମାଧବା, ଆୟେଙ୍ଗାର, ଶ୍ରୀବୈଷ୍ଣବ ଓ ସ୍ମାର୍ତମାନେ ଏଇ ଉତ୍ସବକୁ ବହୁତ ଆଡ଼ମ୍ବର ସହକାରେ ପାଳନ କରିଥାନ୍ତି । ଶ୍ରୀକୃଷ୍ଣଙ୍କ ପ୍ରତିମା ସ୍ଥାପନା କରି ଭକ୍ଷଣମ୍ ନାମକ ସ୍ୱତନ୍ତ୍ରରୂପେ ପ୍ରସ୍ତୁତ ପ୍ରସାଦ ଅନ୍ୟାନ୍ୟ ଫଳମୂଳ ସହିତ ଅର୍ପଣ କରାଯାଏ । କର୍ଣ୍ଣାଟକର ଅନ୍ୟ କେତେକ ସ୍ଥାନରେ ଚକଲି, ଅବଲକ୍କି, ବେଲ୍ଲାଡା ପାନକ ଆଦି ପ୍ରସାଦ ଖାସ ଏଇ ପର୍ବ ପାଇଁ ପ୍ରସ୍ତୁତ କରାଯାଏ । କିମ୍ବଦନ୍ତୀ ଅନୁସାରେ ସୁଦାମା ଶ୍ରୀକୃଷ୍ଣଙ୍କୁ ଅବଲକି ଦେଇଥିବାରୁ ଏଇଦିନ ହାତରନ୍ଧା ଅବଲକି କୃଷ୍ଣଙ୍କର ସଖା ସୁଦାମାଙ୍କ ପାଇଁ ପାଳନ କରାଯାଏ ।

କେବଳ ଭାରତ ନୁହେଁ, କୃଷ୍ଣଜନ୍ମାଷ୍ଟମୀ ପାଳନ କରିବା ପାଇଁ ବିଦେଶରେ ସରକାରୀ ସ୍ତରରେ ମଧ୍ୟ ଆଦେଶ ଜାରି କରାଯାଇଛି । ଅରିଜୋନା ଏମିତି ଆଦେଶ ଜାରି କରିବାରେ ପ୍ରଥମ । ତାଙ୍କ ଦେଖାଦେଖି ଅନ୍ୟ ଦେଶମାନେ ମଧ୍ୟ ଏମିତି ଆଦେଶନାମା ଜାରି କରିଛନ୍ତି।

Other Stories