• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କଟକ ଦୁର୍ଗାପୂଜା ମୁର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ବିବାଦର ଅନ୍ତ

  • ମାନିବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ସରକାରଙ୍କ ଗାଇଡଲାଇନ୍

  • ସର୍ବସମ୍ମତି କ୍ରମେ ଶାନ୍ତି କମିଟି ବୈଠକରେ ହେଲା ନିଷ୍ପତ୍ତି

କଟକ : କରୋନା ମହାମାରୀକୁ ଦୃଷ୍ଟିରେ ରଖି କଟକଣା ଭିତରେ ହେବ ପୂଜା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ମାନିବା ପାଇଁ ସର୍ବସମ୍ମତି କ୍ରମେ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ୪ ଫୁଟ୍ ଉଚ୍ଚତା ଭିତରେ ମୂର୍ତ୍ତି ତିଆରି କରି ମାଙ୍କ ପୂଜା କରାଯିବ ବୋଲି ନିଷ୍ପତ୍ତି ହୋଇଛି । କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି ।

ହାଇକୋର୍ଟରୁ ବାଲୁବଜାର ପୂଜା କମିଟିକୁ ଝଟକା ପରେ ସହରର ପୂଜା କମିଟି ଏବଂ ଶାନ୍ତି କମିଟି ପକ୍ଷରୁ ଏକ ଆଭ୍ୟନ୍ତରୀଣ ବୈଠକ ବସିଥିଲା । କେତେକ ପୂଜା ମଣ୍ଡପ କର୍ମକର୍ତ୍ତା ଶାନ୍ତି କମିଟି ବୈଠକରେ ଅସନ୍ତୋଷ ଜାହିର କରିବା ସହ ଘଟପୂଜା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଆଉ କିଛି ପୂଜା କମିଟି ୪ ଫୁଟ ମୂର୍ତ୍ତି ତିଆରି କରି ପୂଜା କରିବାକୁ ନିଷ୍ପତି ନେଇଥିଲେ ।

ଦୁଇ ଦିନ ପୂର୍ବରୁ କଟକରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ରାୟ ଶୁଣାଇଛନ୍ତି ହାଇକୋର୍ଟ । ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିଲେ । ୪ ଫୁଟ ମୂର୍ତ୍ତି ଉଚ୍ଚତାକୁ ନେଇ କଟକ ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ମହାମାରୀ ବେଳେ ସରକାରୀ ନିଷ୍ପତ୍ତିରେ ହସ୍ତକ୍ଷେପ ପାଇଁ ହାଇକୋର୍ଟ ମନା କରିଦେବା ସହ ଆବେଦନକୁ ଖାରଜ କରିଦେଇଥିଲେ ହାଇକୋର୍ଟ ।

ତେବେ ମାଆ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କଟକଣାକୁ ନେଇ ଜୋରଦାର ପ୍ରତିବାଦ କରାଯାଇଥିଲା । ସେପ୍ଟେମ୍ବର ୧୩ରେ ରାଜରାସ୍ତାକୁ ଓହ୍ଲାଇଥିଲା କଟକ ବିଜେପି । ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା । ଲଗାଣ ବର୍ଷାକୁ ଖାତିର ନକରି ରାସ୍ତାରେ ପ୍ରତିବାଦ କରିଥିଲେ ଶତାଧିକ ବିଜେପି କର୍ମୀ ।

ମହାମାରୀ ସମ୍ପୂର୍ଣ୍ଣ ଭାବେ ଯାଇନଥିବାରୁ ପାର୍ବଣରେ ଭିଡ଼ ହିଁ ସଂକ୍ରମଣର ମୂଳ କାରଣ ଦର୍ଶାଇ ସରକାର ନିଷ୍ପତ୍ତି ନେଇଛନ୍ତି, ପୂଜାରେ ପରଦା ହଟିବ ନାହିଁ, କି ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ନାହିଁ । ୪ ଫୁଟ ଭିତରେ ହିଁ ରହିବ ମାଆ ଦୁର୍ଗାଙ୍କ ମୂର୍ତ୍ତି ।