• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପୁଣି କଡ଼ ଲେଉଟାଇଲା ଇତିହାସ ।

  • ଶ୍ରୀକ୍ଷେତ୍ରରେ ଆଉଥରେ ଭକ୍ତ ବିନା ଗଡ଼ିଲା ରଥ ।

  • ହାତଗଣତି ସେବାୟତ ରୂପୀ ଭକ୍ତଙ୍କୁ ନେଇ ସମ୍ପୂର୍ଣ୍ଣ ହେଲା ମହାପ୍ରଭୁଙ୍କ ରଥଟଣା ନୀତି । 

ପୁରୀ: ପୁଣି କଡ଼ ଲେଉଟାଇଲା ଇତିହାସ । ଶ୍ରୀକ୍ଷେତ୍ରରେ ଆଉଥରେ ଭକ୍ତ ବିନା ଗଡ଼ିଲା ରଥ । ଏ ବର୍ଷ ବି ସେହି କରୋନା କଟକଣା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ବଦଳରେ ହାତଗଣତି ସେବାୟତ ରୂପୀ ଭକ୍ତଙ୍କୁ ନେଇ ସମ୍ପୂର୍ଣ୍ଣ ହୋଇଛି ମହାପ୍ରଭୁଙ୍କ ରଥଟଣା ନୀତି । ଆଉ ଏପଟେ ଲଗାତର ଦ୍ୱିତୀୟ ଥର ପାଇଁ ଆଖି ସାମ୍ନାରେ ଦିଅଁ ଓ ରଥ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଅଗଣିତ ଭକ୍ତ ।

ଏ କଷ୍ଟ ଏମିତି, ଯାହାକୁ କହି ହେବ ନା ସହି ହେବ । ଭାଷାରେ ବର୍ଣ୍ଣନା କି ଭାବରେ ପ୍ରକାଶ ବେଳେ ଭିଜି ଯାଉଛି ଆଖି, ଫାଟି ଯାଉଛି ଭକ୍ତର ଛାତି ।ଶଂଖକ୍ଷେତ୍ର ଶ୍ରୀକ୍ଷେତ୍ରରେ ବର୍ଷକେ ଥରୁଟିଏ ଯାହା ପାଇଁ ଏତେ ବିଶାଳ ଆୟୋଜନ, ଏତେବଡ଼ ଯାତ୍ରା, ଆଜି ତା ବିନା ଶେଷ ହୋଇଛି । ଘୋଷଯାତ୍ରାର ପ୍ରଥମ ଚରଣ ଆଉ ଏଣେ ଲଗାତର ଦ୍ୱିତୀୟ ଥର ପାଇଁ କାଳିଆର ଶ୍ରୀମୁଖ ଦର୍ଶନ କି ରଥକୁ ଟିଏ ଆଖି ପୁରାଇ ଦେଖି ନପାରି କଇଁ କଇଁ କାନ୍ଦି ଉଠିଛି ଭକ୍ତ ପ୍ରାଣ ।

କରୋନା କଟକଣା ପାଇଁ ଗତବର୍ଷ ଭଳି ଏ ବର୍ଷ ବି ଭକ୍ତ ବିନା, ସିଂହଦ୍ୱାରରୁ ଶରଧାବାଲି ଯାଏଁ ଗଡ଼ିଛି ତିନି ରଥ । ବଡ଼ଦାଣ୍ଡରେ ରଥ ସିନା ଗଡ଼ୁଥିଲା, ହେଲେ ଘୋଷଯାତ୍ରା ଭଳି ଦିନରେ ଭକ୍ତ ଓ ଭାଗବାନଙ୍କ ଅପୂର୍ବ ମିଳନ ଦୃଶ୍ୟର ଅଭାବ ବୋଧକୁ ମର୍ମେ ମର୍ମେ ଅନୁଭବ କରୁଥିଲେ କୋଟି କୋଟି ଭକ୍ତ ଓ ଭକ୍ତବତ୍ସଳ ଭଗବାନ । ନିୟତି ଓ ସ୍ଥିତିକୁ ବୁଝି ଅନେକ ମନକୁ ବୁଝାଇ ଟେଲିଭିଜନ ପରଦାରେ ହିଁ ଦର୍ଶନ ତୃଷ୍ଣା ମେଣ୍ଟାଇଥିଲେ । ଆଉ ଏପଟେ ଶ୍ରୀକ୍ଷେତ୍ରରେ ଥାଇ ବି ନିଜ ପ୍ରାଣପ୍ରିୟ ଠାକୁରଙ୍କୁ ଦେଖିନପାରିବାର ଦୁଃଖ ଲକ୍ଷ ଲକ୍ଷ ବିଦଗ୍ଧ ଭକ୍ତଙ୍କୁ ମିୟମ୍ରାଣ କରିଥିଲା । ତେଣୁ ପ୍ରଶାସନର କଡ଼ା କଟକଣା ସତ୍ତ୍ୱେ କିଛି ଶ୍ରୀକ୍ଷେତ୍ରବାସୀ ବଦଡ଼ାଣ୍ଡକୁ ସଂଯୋଗ କରିଥିବା କେଉଁ ଗଳି ରାସ୍ତାକୁ ଟାଣି ହୋଇ ଆସିଥିଲେ ତ ଆଉ କିଛି ରଥର ଘର୍ଘର ନାଦ ଶୁଣିବା ମାତ୍ରେ ନିଜକୁ ସମ୍ଭାଳି ନପାରି ଛାତ ଉପରକୁ ଧାଇଁଥିଲେ ।

ଘୋଷଯାତ୍ରାରେ କଟକଣାର ବନ୍ଧନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସିନା ପୁରୀ ଆସିପାରିଲେନି, ହେଲେ ଏପଟେ ଆଜି ଭଳି ଦିନରେ ଯିଏ ବଡ଼ଦାଣ୍ଡରେ ପାଦ ରଖିବାରେ ସକ୍ଷମ ସେ ନିଜକୁ ଧନ୍ୟ ମନେ କରୁଥିଲା । ସିଏ ଶ୍ରୀକ୍ଷେତ୍ରର କୁନି ସେବକ ହେଉ କି ହନୁମାନ ବେଶଧାରୀ ଭକ୍ତ । କେବଳ ଜଗନ୍ନାଥଙ୍କ କୃପାରୁ ହିଁ ସେମାନଙ୍କ ପାଇଁ ପରମ ସୌଭାଗ୍ୟ ଲାଭ କରିଥିବା କହି କୃତ କୃତ ହେଉଥିଲା ଭକ୍ତ ।

ଗଲାବର୍ଷ କରୋନା କଟକଣାରେ ଘୋଷଯାତ୍ରା ଆୟୋଜନ ହେବା ନହେବାର ଆଶା ଆଶଙ୍କା ଭିତରେ ବିନା ଭକ୍ତରେ ରଥଯାତ୍ରା ହେବାରୁ ବର୍ଷଟିଏ ପାଇଁ ନିଜ ଦର୍ଶନ ଅଧିକାରରୁ ବଞ୍ଚିତ ହେବାର ଧାରଣା ନେଇ ମନକୁ ବୁଝାଇ ଦେଇଥିଲା ଭକ୍ତ । ହେଲେ ଏବର୍ଷ ବି ଇତିହାସର ପୁନରାବୃତ୍ତି ହେବ ତାହା କେହି ବି କଳନା କରିନଥିଲେ । ତେଣୁ ଏ ବର୍ଷ ବି ନହେଲା ନାହିଁ, ଆରଥରକୁ କିନ୍ତୁ ମହାପ୍ରଭୁ ଯେ ନିଶ୍ଚୟ ଦର୍ଶନ ଦେବେ, ସେଇ ଆଶାରେ ଅପେକ୍ଷାରତ କୋଟି କୋଟି ଭକ୍ତ ।