• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁରୀ ବ୍ୟତୀତ ଗୁଜରାଟର ଅହମ୍ମଦାବାଦରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ରୀତିନୀତିରେ ପୂଜାର୍ଚ୍ଚନା ପରେ ରଥ ଟଣା ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ରଥରେ ଛେରାପହରା କରିଥିଲେ । ଛେରାପହରା ସମୟରେ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ମଧ୍ୟ ଉପସ୍ଥିତ ଥିଲେ । ତେବେ ସମସ୍ତ ନୀତି ସମ୍ପର୍ଣ୍ଣ ହେବାପରେ ପୋଲିସ ଓ ଶ୍ରଦ୍ଧାଳୁମାନେ ରଥ ଟାଣିଛନ୍ତି । କରୋନା କଟକଣା ଥିବାରୁ ଖୁବ୍ କମ୍ ଶ୍ରଦ୍ଧାଳୁଙ୍କୁ ନେଇ ରଥଯାତ୍ରା ପାଳନ ହୋଇଛି । ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରଥଅଟଣା ଆରମ୍ଭ ପୂର୍ବରୁ ଜଗନ୍ନାଥ ମନ୍ଦିରରେ ପହଞ୍ଚି ଆଳତିରେ ଭାଗ ନେଇଥିଲେ । ଏହାପରେ ମନ୍ଦିର ବେଢ଼ାରେ ଥିବା ହାତୀଙ୍କୁ ଖାଇବାକୁ ଦେଇଥିଲେ ।

ଆମେରିକାର ହ୍ୟୁଷ୍ଟନରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ରଥଯାତ୍ରା । ଏଠାରେ ଥିବା ଓଡ଼ିଶା କଲଚର ସେଣ୍ଟର ରଥଯାତ୍ରାର ଆୟୋଜନ କରିଥିଲା । ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ଠାକୁରଙ୍କୁ ରଥାରୁଢ କରାଯାଇଥିଲା । ଆଉ ଏହାପରେ ଘଣ୍ଟା ଘଣ୍ଟା ସହିତ ରଥକୁ ଟାଣି ଥିଲେ ଶ୍ରଦ୍ଧାଳୁ । ଏହି ରଥଯାତ୍ରାରେ ହ୍ୟୁଷ୍ଟନରେ ରହୁଥିବା ଓଡ଼ିଆଙ୍କ ସହ ଅନ୍ୟ ପ୍ରବାସୀ ଭାରତୀୟମାନେ ମଧ୍ୟ ସାମିଲ ହୋଇଥିଲେ ।

ନୂଆଦିଲ୍ଲୀର ହଜଖସ୍ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅବସରରେ ପୂଜାର୍ଚ୍ଚନା କରାଯାଇଛି । କରୋନା କଟକଣା ଯୋଗୁଁ ରଥଯାତ୍ରା ହେଉନଥିବାରୁ ମନ୍ଦିରରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ହୋଇଛି । ଖୁବ୍ କମ୍ ସଂଖ୍ୟକ ଶ୍ରଦ୍ଧାଳୁ ମନ୍ଦିରକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମନ୍ଦିରକୁ ଆସି ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହାସହ ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରି ମହାପ୍ରଭୁଙ୍କ ପାଖରେ ସେ ପ୍ରାର୍ଥନା କରିଛନ୍ତି ।

ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଜଗନ୍ନାଥଙ୍କ ଆଶୀର୍ବାଦରୁ ଦେଶବାସୀ ସୁସ୍ଥ ଓ ସମୃଦ୍ଧ ରୁହନ୍ତୁ ବୋଲି ଟ୍ୱିଟ୍ କରିଛନ୍ତି ରାଷ୍ଟ୍ରପତି । ସେହିଭଳି ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କୁ ଶୁଭାଶିଷ ଦିଅନ୍ତୁ ପ୍ରଭୁ ଜଗନ୍ନାଥ ବୋଲି ସେ ଲେଖିଛନ୍ତି ।

ଅନ୍ୟପଟେ ରଥଯାତ୍ରା ପାଇଁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁଙ୍କ କରୁଣାରୁ ସମସ୍ତ ଜନସାଧାରଣଙ୍କୁ ସୁଖ, ଶାନ୍ତି, ସମୃଦ୍ଧି ମିଳୁ । ମହାମାରୀ କବଳରୁ ସମସ୍ତଙ୍କୁ ମହାପ୍ରଭୁ ରକ୍ଷା କରନ୍ତୁ ବୋଲି ବିଶ୍ୱଭୂଷଣ କାମନା କରିଛନ୍ତି ।