• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଏମିତି ହେବାର ନଥିଲା। ସେମିତି ଘଟିବାର ନଥିଲା। କିନ୍ତୁ ହେଲା ଓ ଘଟିଲା। ତାହା ଦୁର୍ଘଟଣା ହେଉ ବା ଅବହେଳା, ଦୁର୍ଯୋଗ ହେଉ ବା ଅପରିଣାମଦର୍ଶୀତା। ମୁଣ୍ଡଳି ବ୍ୟାରେଜ୍‌ରୁ ହାତୀ ଉଦ୍ଧାର କରିବାର ଅଭିଯାନ ଶେଷରେ ଓଡ଼ିଶାର ଜଣେ ସାହସୀ ସାମ୍ବାଦିକର ଜୀବନହାନୀରେ ଶେଷ ହେବା ଘଟଣାକୁ କେହି ବି ବରଦାସ୍ତ କରିପାରିବେ ନାହିଁ। ସେଇଥିପାଇଁ ଏତେ ଆଡ଼ୁ ପ୍ରତିକ୍ରିୟା। ଫେସ୍‌ବୁକ୍‌, ଟୁଇଟର ପରି ସାମାଜିକ ଗଣମାଧ୍ୟମରେ ଅରିନ୍ଦମ ଦାସ ପାଇଁ ଶୋକ ଓ ସମବେଦନାର ସୁଅ ବୋହିବାରେ ଲାଗିଛି। ଏହି ସୁଅ ସହିତ ଉଠିବାରେ ଲାଗିଛି ଅନେକ କ୍ରୋଧାନ୍ଧ ପ୍ରଶ୍ନ ଓ କ୍ଷୁବ୍ଧ ଆକ୍ଷେପର ଲହଡ଼ି। ସେମାନେ ତାକୁ ପଠାଉଥିଲେ କାହିଁକି? ସେ ଯାଉଥିଲା କାହିଁକି? ରବର ବୋଟରେ ଯିବାକୁ ତାକୁ ଅନୁମତି ଦେଲା କିଏ? ଏସଓପିରେ କ’ଣ ଅଛି? ଏହାକୁ ନେଇ ଦେବେନ୍ଦ୍ର ପୃଷ୍ଟିଙ୍କ ସ୍ୱତନ୍ତ୍ର ଆଲେଖ୍ୟ।

ତାକୁ କାହିଁକି ସେମାନେ ମନା କଲେନି? ଏହା ଏକ ହତ୍ୟାକାଣ୍ଡ। ମିଳିମିଶି ମାରିଦେଲେ। ଟିଆରପି ଲୋଭରେ ଏମିତି ହେଲା। ଓଡ୍ରାଫ୍‌ବାଲା ଲାଇଭ୍‌ ଟିଭି ଆକର୍ଷଣରେ ଏସଓପି ଉଲ୍ଲଙ୍ଘନ କରିବାକୁ ଏଭଳି ଦୁର୍ଘଟଣା ଘଟିଲା। ଏମିତି ଅନେକ ପ୍ରକାର ଖେଦୋକ୍ତି, ଆକ୍ଷେପୋକ୍ତି ଓ ବକ୍ରୋକ୍ତି ଆଦି ସାମାଜିକ ଗଣମାଧ୍ୟମରେ ପଢ଼ିବାକୁ ଓ ଶୁଣିବାକୁ ମିଳୁଛି। କିଛି ଟଭି ଚାନେଲ ମଧ୍ୟ ଏହିପରି ଅନେକ ପ୍ରଶ୍ନ ଉପସ୍ଥାପନ କରିଛନ୍ତି। କରିବା ସ୍ୱାଭାବିକ। ଏଭଳି କୌଣସି ଘଟଣା ବା ଦୁର୍ଘଟଣା ଘଟିଗଲେ ସମସ୍ତଙ୍କୁ ନିଜର ମତ ରଖିବାକୁ ସୁଯୋଗ ଓ ସୁବିଧା ଆଣିଦେଇଛି ସାମାଜିକ ଗଣମାଧ୍ୟମ ମଞ୍ଚସବୁ।

ସେଇସବୁ ଅନୁଶୀଳନ, ଆଲୋଚନା ଓ ସମାଲୋଚନା ସହିତ ନିନ୍ଦା ଓ ଅପବାଦର ସ୍ୱରଗୁଡ଼ିକୁ ପଢ଼ିବା ପରେ ସମୁଦାୟ ଘଟଣାକୁ ଆଉ ଥରେ ବିଶ୍ଳେଷଣ କରିବାର ଆବଶ୍ୟକତା ଅନୁଭୂତ ହୁଏ। ସତରେ କାହାର ଭୁଲ? କାହାର ଠିକ? ନା ଏଥିରେ କାହାର କିଛି ଭୁଲ ନାହିଁ?

ଗୋଟିଏ ହାତୀକୁ ଉଦ୍ଧାର କରିବାର ଅଭିଯାନରେ ଜଣେ ମଣିଷର ଜୀବନ ଯିବା ନିଶ୍ଚୟ ଏକ ଦୁଃଖଦାୟକ ତଥା ଶୋଚନୀୟ ଘଟଣା। ତେବେ, ଏଭଳି ଏକ ଘଟଣାକୁ ଏଡ଼େଇ ହେଇପାରିଥାନ୍ତା। ସାମାଜିକ ଗଣମାଧ୍ୟମରେ ଏଭଳି ବହୁ ମତ ପ୍ରକାଶ ପାଇଛି।

ଉଦ୍ଧାର ଅଭିଯାନ ଚାଲିଥିବାବେଳେ ଏବଂ ରବର ଡଙ୍ଗା ଓଲଟିବା ପୂର୍ବରୁ ଜଣେ ଲେଖିଥିଲେ, ନଦୀର ଦୁଇ କୂଳରେ ଭିଡ଼ ଜମେଇଥିବା ଲୋକମାନଙ୍କୁ ସେଠାରୁ ତଡ଼ି ଦିଆଯାଉ, ହାତୀ ନିଜକୁ ନିଜେ ଉଦ୍ଧାର କରିବ। ଏ କଥାରେ ଦମ୍‌ ଥିଲା ଭଳି ଲାଗେ। ଦୁର୍ଘଟଣା ଘଟିବା ପରେ ମଧ୍ୟ କେତେକ ଏହିପରି ମତ ଉପସ୍ଥାପନ କରିଛନ୍ତି। ହାତୀ ପାଣିରେ ଥିଲାବେଳେ ପାଣି ତା’ର ପେଟ ଛୁଉଁ ନଥିଲା। ଉପରେ ଏତେ ସୁଅ ବି ନଥିଲା ଯାହାର ବଳରେ ହାତୀ ଭାସି ଯାଇଥାନ୍ତା। ଭାସୁ ନଥିଲା ବି। ସେ ପାଣିରେ ଏପଟ ସେପଟ ହେଉଥିଲା। ତାକୁ କୂଳ ଆଡ଼କୁ ଆକର୍ଷିତ କରିବା ପାଇଁ ଗଛ ଡାଳ ପକାଯାଇଥିଲା। ତାହା ଏକ ଭଲ କୌଶଳ ଥିଲା। ସେ ସେହି ଡାଳ ଦେଖି ତା’ ପାଖକୁ ଆସିଥିଲା ଓ ଶୁଣ୍ଢରେ ଡାଳ ଧରିଥିଲା। ହୁଏତ ଆଖପାଖରେ ଭିଡ଼ର କୋଳାହଳ ନଥିଲେ ସେ ସେହି ଡାଳର ଧାଡ଼ିକୁ ଅନୁଧାବନ କରି ଉପରକୁ ଆସିଥାଆନ୍ତା। ମାତ୍ର ସେପରି ଘଟିଲା ନାହିଁ। ସେ ହୁଏତ ଲୋକଙ୍କ ପାଟିତୁଣ୍ଡକୁ ଡରି ବା ତରକି ପୁଣି ଥରେ ନଈ ମଝିକୁ ଫେରିଗଲା। ହୁଏତ ଆର କୂଳରେ ବାଟ ଖୋଜିବାକୁ ଯାଉଥିଲା, ଯାହା ସେ ପାଇନଥିଲା ଶେଷ ଯାଏଁ।

ହାତୀର ଆଚାର ବ୍ୟବହାର ସଂପର୍କରେ ବନ ବିଭାଗର କର୍ମଚାରୀଙ୍କୁ ଅଧିକ ମାଲୁମ ଥିବା କଥା। କିନ୍ତୁ ତାହାକୁ ପାଣିରୁ କୂଳ ଆଡ଼କୁ ଘଉଡ଼ାଇବାକୁ ଯେଉଁମାନେ ରବର ଡଙ୍ଗାରେ ଉପର ଆଡ଼ୁ ପାଣି ପଡ଼ିବା ସ୍ଥାନକୁ ଯାଇଥିଲେ ସେମାନେ ଥିଲେ ଓଡ୍ରାଫ୍‌ କର୍ମଚାରୀ। ଏ ସଂସ୍ଥାଟି ବିପର୍ଯ୍ୟୟ ମୁକାବିଲା ଓ ସେହି ସମୟରେ ଉଦ୍ଧାର କାର୍ଯ୍ୟ ପରିଚାଳନା କରିଥାଏ। ଓଡ୍ରାଫ କର୍ମଚାରୀମାନେ ସେଠା ପାଣି ପରିସ୍ଥିତି ସଂପର୍କରେ ଅଧିକ ଅବହିତ ଥିବା କଥା। ସେଠି କେତେ ସୁଅ, କେତେ ପାଣି, ଚଟାଣ ପିଚ୍ଛିଳ କି ବାଲିଆ- ଏସବୁ ବିଷୟରେ ସେମାନେ ଅଧିକ ଜାଣିଥିବା କଥା। ପାଣିରେ ଏଭଳି ଅଭିଯାନ କରିବା ପାଇଁ ସେମାନଙ୍କର ଷ୍ଟାଣ୍ଡାର୍ଡ଼ ଅପରେସନ ପ୍ରୋସିଜ୍ୟୋର (ଏସଓପି) ବା ଅଭିଯାନ ପଦ୍ଧତି କ’ଣ ତାହା ସେମାନେ ହିଁ ଜାଣିଥିବେ। ସବୁ ସାମ୍ବାଦିକ ସବୁ ପଦ୍ଧତି ବିଷୟରେ ଜାଣିବା ସମ୍ଭବ ନୁହେଁ।

ବିଦେଶରେ ହାତୀକୁ ହେଲିକପ୍ଟର ଲଗେଇ ପାଣିରୁ ଉଦ୍ଧାର କରାଯିବା ବିଷୟ କେହି କେହି ଅବତାରଣା କରିଛନ୍ତି। ତାହା ସମ୍ଭବ। ଏଭଳି ପରିସ୍ଥିତିରେ ତାହା କରାଯାଇପାରି ଥାଆନ୍ତା। ମାତ୍ର, ତାହା ହୋଇନାହିଁ। ଅନ୍ୟ କେହି କହିଛନ୍ତି, ଏଭଳି ସମୟରେ ସରକାରଙ୍କର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରହିବା ଉଚିତ ଥିଲା। ତାହା ବି ଏକଦମ ଠିକ। ପାଣିରୁ ହାତୀ ଉଦ୍ଧାର ଅଭିଯାନ କରିବା ସମୟରେ ଜଳ ସଂପଦ ବିଭାଗର ସହଯୋଗ ଲୋଡ଼ାଯାଇପାରି ଥାଆନ୍ତା। ଉପରେ ଗେଟ୍‌ ବନ୍ଦ କରି ଯଦି ପାଣିର ବେଗ ଓ ପତନ କମ କରାଯାଇପାରି ଥାଆନ୍ତା ତାହା ହୋଇଥିଲେ ଭଲ ହୋଇଥାନ୍ତା। ଦମକଳ ବିଭାଗର କର୍ମଚାରୀମାନେ ଥିଲେ। ତେବେ ଦୁର୍ଘଟଣା ଘଟିବା ପରେ ଯାଇଁ ସେମାନେ ଅପରେସନ ଆରମ୍ଭ କଲେ। ପୂର୍ବରୁ ପ୍ରସ୍ତୁତ ରହିଥିଲେ ହୁଏତ ସମସ୍ତେ ଜୀବନ୍ତ ଉଦ୍ଧାର ହୋଇପାରି ଥାଆନ୍ତେ। ଅପରେସନର ବ୍ୟାକ୍‌ ଅପ୍‌ ପ୍ଲାନ୍‌ ବା ପ୍ଲାନ୍‌-ବି କିଛି ନଥିଲା ବୋଲି କେହି କେହି ଲେଖିଛନ୍ତି। ଏହା ସତ ହୋଇଥାଇ ପାରେ। ନହେଲେ ହାତୀ ଉଦ୍ଧାର ହୋଇପାରିଲାନି କାହିଁକି? ମଣିଷ ଜୀବନ ଗଲା କିପରି?

ଏମିତି ଅନେକ ବିଷୟରେ ଅନେକ କଥା ଉଠିଛି। ତା’ ଭିତରେ କଥାଟିଏ ହେଉଛି ଡଙ୍ଗାରେ ଯିବାକୁ ଅରିନ୍ଦମକୁ ନିର୍ଦ୍ଦେଶ ଓ ଅନୁମତି କିଏ ଦେଲା? ମୋର ୩୨ ବର୍ଷର ଅଭିଜ୍ଞତା ଭିତରେ ମୁଁ ବୁଝିଛି ଏଭଳି ନିର୍ଦ୍ଦେଶ କେହି କାହାକୁ ଦିଅନ୍ତି ନାହିଁ। ମୁଁ ଏବେ ଯେମିତି ଲେଖୁଛି ସେମିତି ପ୍ରଥମରୁ ଲେଖିପାରୁ ନଥିଲି। ମତେ ମୋର ବରିଷ୍ଠମାନେ ପ୍ରଥମେ ପ୍ରଥେମ ବାଟ ଦେଖେଇଛନ୍ତି। କିନ୍ତୁ ସେ ବାଟରେ ଚାଲିବା ବା ନଚାଲିବା ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ମୋର।

ଖବରଟି କିପରି ଭଲ ଭାବରେ ଲେଖାଯିବ ତାହା ବତେଇ ଦିଆଯାଏ। କେଉଁ ଶବ୍ଦର ଅର୍ଥ କ’ଣ ତାହା ଅଭିଧାନରେ ଅଛି। ବନାନ ଶୁଦ୍ଧି ବି ଅଭିଧାନରୁ ବୋଧ ହୁଏ। ଏହା ସତ୍ତ୍ୱେ ୧୦-୧୨ ବର୍ଷ ସାମ୍ବାଦିକତା କଲା ପରେ ବି ବହୁ ସାମ୍ବାଦିକ ଓ ସଂପାଦକଙ୍କର ବହୁତ ସାଧାରଣ ତ୍ରୁଟି ଦୃଷ୍ଟିଗୋଚର ହୁଏ ଏବଂ ସେମାନଙ୍କର ଅନେକ ଲେଖା ସହଜରେ ବୋଧଗମ୍ୟ ହୁଏନାହିଁ। ସେହିପରି ବହୁ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଓ ଫଟୋଗ୍ରାଫର ଅଛନ୍ତି, ସମସ୍ତଙ୍କର ଚିତ୍ରୋତ୍ତୋଳନ ଶୈଳୀ ଓ ମାନ ସମାନ ନୁହେଁ। ସମସ୍ତେ ପାହାଡ଼ ଚଢ଼ି ଜଙ୍ଗଲ ନିଆଁର କ୍ଲୋଜ ଶଟ୍‌ ନିଅନ୍ତି ନାହିଁ। କେହି ପୁଣି ହେଲିକପ୍ଟରରୁ ଅଗ୍ନି ଉଦ୍‌ଗୀରଣର ଦୃଶ୍ୟ ତୋଳି ଆଣନ୍ତି। କେହି ସୁନାମି ମୁହଁରେ ଭାସି ଯାଉଥିବା ସହରର ଚିତ୍ର ବି ସାହସର ସହିତ କ୍ୟାମେରାରେ ଧରି ରଖନ୍ତି। ଘୂର୍ଣ୍ଣିଝଡ଼ର ବଳୟ ପାଖରେ ପହଞ୍ଚି ଫଟୋଗ୍ରାଫର ଫଟୋ ଉଠାଏ। ଯେତେବେଳେ ଏଭଳି ଫଟୋ, ଭିଡିଓ ଓ ବିବରଣୀ ପ୍ରକାଶ ପାଏ ତାହାକୁ ଲୋକେ ପ୍ରଶଂସା କରନ୍ତି। ସଂପୃକ୍ତ ଫଟୋଗ୍ରାଫର, ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଓ ସାମ୍ବାଦିକଙ୍କୁ ପୁରସ୍କାର ବି ଦିଆଯାଏ।

କୌଣସି ମିଡିଆ ଫଟୋଗ୍ରାଫରଙ୍କୁ କୌଣସି ସଂପାଦକ, ପ୍ରକାଶକ କି ମାଲିକ କ’ଣ କହିଥାନ୍ତି ‘ତମେ ଏ ଗଛ ଉପରେ ସେ ଡାଳରେ ଚଢ଼ି ଅମୁକ କୋଣରୁ ସମୁକ ଫଟୋ ଉଠାଅ’ ବୋଲି? କୌଣସି ଭିଡ଼ିଓ ଜର୍ଣ୍ଣାଲିଷ୍ଟକୁ କେହି କ’ଣ କହିଥାନ୍ତି ‘ତମେ ସେ ଛାତ ଉପରେ ଚଢ଼ି ରାସ୍ତାର ସେ କୋଣରେ ଥିବା ସେଇ କୋଠାରେ ଲାଗିଥିବା ନିଆଁ ଭିତରୁ ଉଦ୍ଧାର ହେଉଥିବା ଲୋକମାନଙ୍କର ଚିତ୍ର ଉତ୍ତୋଳନ କର’ ବୋଲି? ଯୁଦ୍ଧ ଓ ଆତଙ୍କର କ୍ଷେତ୍ରରୁ ରିପୋର୍ଟ କରୁଥିବା କୌଣସି ସାମ୍ବାଦିକଙ୍କୁ କେହି କ’ଣ ନିର୍ଦ୍ଦେଶ ଦେଇଥାନ୍ତି ‘ତମେ ଟ୍ୟାଙ୍କ୍‌ ଉପରେ ଚଢ଼ି ସେପଟ ତୋପରୁ ବର୍ଷୁଥିବା ଗୋଳାର ବିବରଣୀ ପ୍ରଦାନ କର’ ବୋଲି?

ସାଧାରଣତଃ, ଏମିତି କେହି କହନ୍ତିନି। ଫଟୋଗ୍ରାଫର ତା’ ନିଜର ତାଲିମ, ଅଭିଜ୍ଞତା ଓ ସୁବିଧା ଦେଖି ସବୁଠୁ ଭଲ ଫଟୋ ଉଠାଇବାକୁ ଚେଷ୍ଟା କରନ୍ତି। ଭିଡିଓ ଜର୍ଣ୍ଣାଲିଷ୍ଟ ସବୁଠୁ ଭଲ ଚିତ୍ର ଉତ୍ତୋଳନ କରିବାକୁ ଜାଗା ନିର୍ଣ୍ଣୟ କରିଥାନ୍ତି। ଯୁଦ୍ଧ ସାମ୍ବାଦିକମାନେ ମଧ୍ୟ ସେହିପରି ନିଷ୍ପତ୍ତି ନେଇଥାନ୍ତି। ଯେତେବେଳେ ଫଟୋ, ଭିଡିଓ ବା ବିବରଣୀ କ୍ଲିକ୍‌ କରେ ବା ହିଟ୍‌ ହୁଏ ବା ସଫଳ ହୁଏ ସେତେବେଳେ ସମସ୍ତେ ସଂପୃକ୍ତ ଫଟୋଗ୍ରାଫର ଓ ସାମ୍ବାଦିକମାନଙ୍କୁ ପ୍ରଶଂସାରେ ପୋତି ପକାନ୍ତି। ଯେତେବେଳେ କୌଣସି ଦୁଃଖଦ ଦୁର୍ଘଟଣା ଘଟେ ସେତେବେଳେ ସମସ୍ତେ ସମବେଦନା ଜ୍ଞାପନ କରନ୍ତି। କେହି କେହି ମଧ୍ୟ ସମାଲୋଚନା କରନ୍ତି। ଏହା ସଂସାରର ଏକ ନିତ୍ୟନୈମତ୍ତିକ ଧାରା। ତେବେ ସାମ୍ବାଦିକମାନେ ଓ ଗଣମାଧ୍ୟମ ସହିତ ଜଡ଼ିତ ସମସ୍ତ ବ୍ୟକ୍ତିମାନେ ଗୋଟେ କଥା ବୁଝିବା ଉଚିତ ଯେ ଜୀବନଠାରୁ ବଡ଼ ଷ୍ଟୋରି ବା ଖବର ଆଉ କିଛି ନାହିଁ। ନିଜ ଜୀବନକୁ ବିପନ୍ନ କରି ବା ଅନ୍ୟର ଜୀବନକୁ ବିପଦରେ ପକାଇ ସମାଜକୁ ଖବର ଦେବାର ପରିଣାମ ସବୁବେଳେ ସକାରାତ୍ମକ ହୋଇନଥାଏ।