• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ସରକାରଙ୍କ ପାଇଁ ଲଜ୍ଜା...

  • ମନ୍ତ୍ରୀ ମନା କଲେ, ପାହାଡ଼ ପଟାଇ ନିଜେ ରାସ୍ତା କଲେ

ଭୁବନେଶ୍ୱର: ଅସୀମ ଇଚ୍ଛାଶକ୍ତି ଓ ଆତ୍ମବଳ ଦୁଇଟି ଯାକ ଯେତେବେଳେ ଏକାଠି ହୋଇଥିଲା, ସେଠି କଣ ବା ବିଗାଡ଼ି ପାରିଥାନ୍ତା ପ୍ରତିବନ୍ଧକ। ଖାଲି ନିଜ ପାଇଁ ନୁହେଁ ପାଖ ପଡ଼ୋଶୀ ଓ ଗାଁ ଲୋକଙ୍କ ମଙ୍ଗଳ ଚିନ୍ତା କରି ନହେଲା କାମକୁ ସଫଳ କରି ଦେଖାଇବା କଣ କମ୍ କଥା? ସେମିତି ଜଣେ ମଣିଷ ବା ମାଉଣ୍ଟେନ ମ୍ୟାନଙ୍କୁ ଠାବ କରିଛି ଓଟିଭି।

ବଡ଼ କାମଟିଏ ପାଇଁ ଅଣ୍ଟାରେ ଧନ ସିନା ନଥିଲା, ହେଲେ ମନ କିନ୍ତୁ ଥିଲା ପାହାଡ଼ଠୁ ବି ବଡ଼ ଆଉ ସେଇ ବଡ଼ ମନ ହିଁ ଏକ ବିରାଟ ପାହାଡ଼ର ଛାତି ଚିରି ଦୁର୍ଗମ ଗାଁକୁ ଫିଟାଇ ଦେଇଛି ସବୁ ଦିନିଆ ରାସ୍ତା। ଦୀର୍ଘ ୩୦ ବର୍ଷର ଅକ୍ଲାନ୍ତ ପରିଶ୍ରମର ପରିଚୟ ବିଳମ୍ବରେ ମିଳିଛି ସତ, ହେଲେ କୋଟି କୋଟି ମଣିଷମାନଙ୍କ ଭିତରେ ଆଜି ହୀରା ଭଳି ଝଟକାଇଛି। ଅପାଠୁଆ ହରିହରଙ୍କୁ ପ୍ରକୃତି ଓ ପରିସ୍ଥିତି ଆଗରେ ହାର ମାନିନଥିବା ହରିହରଙ୍କୁ ନେଇ ଏବେ ଜୋରସୋରରେ ସଚାଲିଛି ଚର୍ଚ୍ଚା। ନୟାଗଡ଼ ଓଡ଼ଗାଁ ବ୍ଲକର ଅପହଞ୍ଚ ତୁଲୁବି ଗାଁର ଅଦମ୍ୟ ଇଚ୍ଛାଶକ୍ତିର ମଣିଷ ଟିଏ।

ଯିଏ ନିଜ ବଡ଼ଭାଇ ସ୍ୱର୍ଗତ କୃଷ୍ଣ ବେହେରାଙ୍କୁ ସାଙ୍ଗରେ ଧରି ଯେଉଁ ମହତ କାମ କରିଛନ୍ତି, ଆଜି ସେ ଜୀବନ୍ତ ଚିତ୍ର ଆମେ ସମସ୍ତେ ଦେଖୁଛନ୍ତି। ପାଖାପାଖି ୩ କିଲୋମିଟର ଲମ୍ବା ରାସ୍ତା କୌଣସି ସରକାର ନୁହେଁ ବରଂ ଖୋଦ୍ ହରିହର ଓ ତାଙ୍କ ବଡ଼ଭାଇ ମିଶି କରିଛନ୍ତି। ନିଜ ହାତରେ ଗାଁ ପାଖ ମୁଣ୍ଡିଆରୁ ପଥର ଫଟାଇଛନ୍ତି, ଖଣ୍ଡେ ଖଣ୍ଡେ କରି ଏମିତି ହାତ ଶଗଡ଼ିରେ ବୋହି ରାସ୍ତା ତିଆରିଛନ୍ତି ରାସ୍ତା। ହରିହରଙ୍କ କହିବା କଥା, ବହୁବର୍ଷ ତଳେ ତାଙ୍କ ଗାଁ ଲୋକେ ମନ୍ତ୍ରୀଙ୍କୁ ଭେଟି ରାସ୍ତାଟିଏ ପାଇଁ ଗୁହାରି କରିଥିଲେ। ହେଲେ ତାଙ୍କ ପାହାଡିଆ ଗାଁକୁ କେହି ବି ରାସ୍ତା କରିପାରିବେନି ବୋଲି ମନ୍ତ୍ରୀ ରୋକଠୋକ୍ ନାସ୍ତିବାଣି ଶୁଣାଇବା ପରେ ବଢିଥିଲା ତାଙ୍କ ଝୁଙ୍କ। ଜମିରେ ଚାଷ କାମ ସରିବାମାତ୍ରେ ଦୁଇ ଭାଇ ମିଶି ବାହାରି ଯାଉଥିଲେ ରାସ୍ତାକାମ ପାଇଁ। ବର୍ଷ ବର୍ଷ ଧରି ପଥର ଓ ମାଟି ପକାଇ ନିର୍ମାଣ କରିଦେଲେ ରାସ୍ତା। ଯେଉଁ ଗାଁକୁ ଆସିବାକୁ ବନ୍ଧୁବାନ୍ଧବ ବାଟ ନପାଇ ଜଙ୍ଗଲ ଭିତରେ ହଜି ଯାଉଥିଲେ, ସେ ଗାଁ ଭିତରର ଅଳ୍ପ କିଛି ରାସ୍ତାକୁ ସରକାର କଂକ୍ରିଟ୍ କରିଛନ୍ତି। ଯେଉଁଠି ସାଇକେଲଠୁ ମଟର ସାଇକେଲ ଯାଏଁ ସବୁ ଗଡୁଛି।

ନିଜ ପାଇଁ ବିକାଶର ରାସ୍ତାଟିଏ ବନେଇବାର ଝୁଙ୍କ୍ ନୂଆ ନୁହେଁ ଏକା ଏକା ଦୁଇଟି ପାହାଡ଼ କାଟି ନିଜ ପରିବାର ପାଇଁ ୬ କିଲୋମିଟର ରାସ୍ତା ବନେଇ ୨୦୧୮ ମସିହାରେ ଚର୍ଚ୍ଚାକୁ ଆସିଥିଲେ କନ୍ଧମାଳ ଜିଲ୍ଲା ପାହାଡ଼ ପର୍ବତ ଘେରା ଗୁମି ଗାଁର ଜଳନ୍ଧର ନାଏକ। ସେମିତି ତା ପୂର୍ବରୁ ସାରା ଦେଶରେ ଚର୍ଚ୍ଚିତ ହୋଇ ପଡିଥିଲେ ବିହାରର ଦ ମାଉଣ୍ଟେନ୍ ମ୍ୟାନ୍ ଦଶରଥ ମାନଝୀ। ଗାଁକୁ ରାସ୍ତା ନଥିବାରୁ ପାହାଡ଼ରୁ ପଡ଼ି ପତ୍ନୀଙ୍କ ମୃତ୍ୟୁ ପରେ, ସେଇ ଜିଦିରେ-ଏକା ଏକା ପାହାଡ଼ କାଟି ରାସ୍ତା ତିଆରି କରିଥିବା ସେହି ମଣିଷଙ୍କ ସତ କାହାଣୀକୁ ନେଇ ବି ତିଆରି ହୋଇଛି ସିନେମା। ତେବେ ସେ ଯାହା ବି ହେଉ ପାହାଡ଼କୁ ଫଟାଇ ରାସ୍ତା କରିଥିବାରୁ ଏବେ ହରିହରଙ୍କୁ ସବୁ ଆଡ଼େ ପ୍ରଶଂସା କରାଯାଉଛି।