• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ଆଜି ହେବ ସିଦ୍ଧାର୍ଥ ଶୁକ୍ଳାଙ୍କ ଅନ୍ତିମ ସଂସ୍କାର

  •  ଅନ୍ତିମ ସଂସ୍କାର ପୂର୍ବରୁ ବ୍ରହ୍ମକୁମାରୀରେ ହେବ ପୂଜାର୍ଚ୍ଚନା

ମୁମ୍ବାଇ: ଲୋକପ୍ରିୟ ଅଭିନେତା ତଥା ବିଗ୍‌ବସ -୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କର  ଗତକାଲି ଦେହାନ୍ତ ହୋଇଯାଇଛି । ଆଜି ତାଙ୍କ ମର ଶରୀରର ଅନ୍ତିମ ସଂସ୍କାର କରାଯିବ । ଗତ ସଂନ୍ଧ୍ୟାରେ ହିଁ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି କୁହାଯାଉଥିଲା । କିନ୍ତୁ ପୋଲିସର ବିନା ଯାଂଚରେ ପୋଷ୍ଟମର୍ଟମ ହେବା ସମ୍ଭବପର ନଥିଲା । ଗତକାଲି ପ୍ରାୟ ୪ ଘଣ୍ଟା ଧରି ତାଙ୍କ ପୋଷ୍ଟମର୍ଟମ ହୋଇଥିଲା। ପୋଷ୍ଟମର୍ଟମର ଭିଡିଓଗ୍ରାଫି ମଧ୍ୟ ହୋଇଥିଲା । ଆଜି ୧୧ ଟା ସୁଦ୍ଧା ସିଦ୍ଧାର୍ଥଙ୍କ ମୃତ ଦେହକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ ।

ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁର ପୋଷ୍ଟମର୍ଟମ ରିପୋର୍ଟ ଆଜି ଆସିବ । ତେବେ ମାମଲାରେ ଜଡିତ ଥିବା ଜଣେ ଅଧିକାରୀ କହିଛନ୍ତି, ତଦନ୍ତରୁ ଜଣାପଡିଛି କି ହସ୍ପିଟାଲ ଆସିବାର ପୂର୍ବରୁ ହିଁ ସିଦ୍ଧାର୍ଥଙ୍କର ମୃତ୍ୟୁ ହୋଇ ସାରିଥିଲା । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି, ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ହିଁ ମୃତ୍ୟୁର କାରଣ ଜଣାପଡିବ । 

ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ବ୍ରହ୍ମକୁମାରୀରେ ହେବ ପୂଜାର୍ଚ୍ଚନା

ଅଭିନେତା ସିଦ୍ଧାର୍ଥଙ୍କ ମା ରୀତା ଶୁକ୍ଳା ଦୀର୍ଘ ଦିନ ଧରି ବ୍ରହ୍ମ କୁମାରୀ ସଂସ୍ଥା ସହ ଜଡିତ ଥିଲେ । ଏହି କାରଣରୁ ସିଦ୍ଧାର୍ଥ ମଧ୍ୟ ବ୍ରହ୍ମକୁମାରୀ ସଂସ୍ଥା ସହ ଯୋଡିଜ ହୋଇଯାଇଥିଲେ । ତେଣୁ ଆଜି ସିଦ୍ଧାର୍ଥଙ୍କ ମର ଶରୀର ପ୍ରଥମେ ମୁମ୍ବାଇ ଜୁହୁ ସ୍ଥିତ ବ୍ରହ୍ମା କୁମାରୀ କାର୍ଯ୍ୟାଳୟକୁ ଯିବ । ସେଠାରେ ତାଙ୍କ ଆତ୍ମାର ଶାନ୍ତି ପାଇଁ ବିଭିନ୍ନ ପୂଜା ପାଠ କରାଯିବ । ପରେ ସେଠାରୁ ମୃତ ଶରୀରକୁ ତାଙ୍କ ଘରକୁ ନିଆଯିବ ।

ବର୍ତ୍ତମାନ ଯାଏ ପୋଲିସ ପକ୍ଷରୁ ପୋଷ୍ଟମର୍ଟମ ନେଇ କୌଣସି ବୟାନ ଦିଆଯାଇ ନାହିଁ । ମୁମ୍ବାଇ ପୋଲିସ ପକ୍ଷରୁ ଆଜି ଏ ନେଇ ବୟାନ ଦିଆଯିବ। ସୂଚନାଯୋଗ୍ୟ, କାଜୁଆଲିଟି ୱାର୍ଡରେ ସିଦ୍ଧାର୍ଥଙ୍କ ମର ଶରୀରକୁ ଅନେକ ଥର ନିରୀକ୍ଷଣ କରାଯାଇଥିଲା । ଡାକ୍ତର ତାଙ୍କ ଶରୀରର କୌଣସି ସ୍ଥାନରେ କ୍ଷତ କି ଆଘାତ ଚିହ୍ନ ପାଇନଥିଲେ । ମୁମ୍ବାଇ ପୋଲିସ ସିଦ୍ଧାର୍ଥ ଶୁକ୍ଳାଙ୍କ ମା, ଭଉଣୀ ଓ ଭିଣୋଇଙ୍କ ବୟାନ ମଧ୍ୟ ରେକର୍ଡ କରିଛି।

ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବର୍ଗ ଲୋକସମ୍ପର୍କ ଅଧିକାରୀଙ୍କ ଜରିଆରେ ଏକ ବୟାନ ଦେଇଛନ୍ତି, ଯେଉଁଥିରେ ସେମାନେ କହିଛନ୍ତି, ଆମେ ସମସ୍ତେ ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ ଦୁଃଖରେ ଅଛୁ । ଆମେ ବି ସେତିକି ଚକିତ ଅଛୁ ଯେତିକି ଆପଣମାନେ ଅଛନ୍ତି । ଦୟାକରି ସିଦ୍ଧାର୍ଥଙ୍କ ଓ ତାଙ୍କ ପରିବାରର ବ୍ୟକ୍ତିଗତ କଥାକୁ ସମ୍ମାନ ଦିଅନ୍ତୁ ।  ସମସ୍ତେ ସିଦ୍ଧାର୍ଥର ଆତ୍ମାର ଶାନ୍ତି ପାଇଁ ପାର୍ଥନା କରନ୍ତୁ । ମିଛ ଖବର ଉପରେ ଦୃଷ୍ଟି ଦିଅନ୍ତୁ ନାହିଁ । ଏହାସହ ଗଣମାଧ୍ୟମଙ୍କୁ ନିଜ ସୀମା ମଧ୍ୟରେ ରହିବାକୁ କହିଛନ୍ତି ।

ଗତକାଲି ରାତି ୩ଟା ୩୦ରେ ସିଦ୍ଧାର୍ଥ ଶୁକ୍ଳା ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କ ଛାତିରେ ଯନ୍ତ୍ରଣା  ହୋଇଥିଲା । ଏନେଇ ସେ ତାଙ୍କ ମାଁଙ୍କୁ  ଜଣାଇଥିଲେ। ପରେ ପାଣି ପିଇ ଶୋଇ ପଡିଥିଲେ । ହେଲେ ସକାଳୁ ଆଉ ଉଠିନଥିଲେ । ସିଦ୍ଧାର୍ଥଙ୍କ ଟ୍ରିଟମେଣ୍ଟ ପାଇଁ ତାଙ୍କ ଘରକୁ ଡାକ୍ତରମାନେ ଯାଇଥିଲେ । ସିଦ୍ଧାର୍ଥଙ୍କୁ  ତୁରନ୍ତ କପୁର ହସ୍ପିଟାଲକୁ ନେବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିଲେ । ସକାଳ ୧୦ଟା ୩୦ରେ ତାଙ୍କ ଭଉଣୀ ଓ ଭିଣୋଇ ଡାକ୍ତରଖାନାକୁ ନେଇଥିଲେ । ହେଲ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।