• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ମୁମ୍ବାଇ : ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ’ ଚଳଚ୍ଚିତ୍ରରେ ନଜର ଆସିଥିବା ଫ୍ଲୋରା ସାଇନିଙ୍କ ନାମ ବର୍ତ୍ତମାନ ରାଜ କୁନ୍ଦ୍ରାଙ୍କ ପୋର୍ଣ୍ଣୋଗ୍ରାଫୀ ମାମଲା ଯୋଗୁଁ ଚର୍ଚ୍ଚାର ପରିସରକୁ ଆସିଛି। ଗଣମାଧ୍ୟମରେ ପ୍ରସାରିତ ଖବରରେ କୁହାଯାଇଥିଲା ଯେ ଫ୍ଲୋରା ସାଇନିଙ୍କ ରାଜ କୁନ୍ଦ୍ରା ଏବଂ ତାଙ୍କ ସହଯୋଗୀ ଉମେଶ କାମତଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। କିଛି ହ୍ୱାଟ୍ସଆପ୍‌ ଚାଟ୍ ଆଧାରରେ ନ୍ୟୁଜ୍ ପୋର୍ଟାଲ୍ ଦାବି କରିଛି ଯେ ଫ୍ଲୋରା ସାଇନି ଏକ କଣ୍ଟେଣ୍ଟକୁ ନେଇ ରାଜ କୁନ୍ଦ୍ରାଙ୍କ ସହ ଚୁକ୍ତିନାମା ବିଷୟରେ କଥାବାର୍ତ୍ତା କରିଛନ୍ତି। ଚାଟ୍ ଉପରେ ଆଧାର କରି କୁହାଯାଇଥିଲା ଯେ ରାଜ କୁନ୍ଦ୍ରା ଏବଂ ଉମେଶ କାମତ ବଲିଫେମ୍‌ ନାମକ ଏକ ଆପ୍‌ର ଗୀତ ପାଇଁ ଫ୍ଲୋରା ସାଇନିଙ୍କୁ ସାଇନ୍ କରିବାକୁ ଚାହୁଁଛନ୍ତି।

କିନ୍ତୁ ବର୍ତ୍ତମାନ ଫ୍ଲୋରା ସାଇନି ଏହି ଖବରକୁ ଭୁଲ ବୋଲି କହିଛନ୍ତି। ଫ୍ଲୋରା ସାଇନି ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଏହି ଦାବିଗୁଡିକ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଫ୍ଲୋରା ତାଙ୍କ ଭିଡିଓରେ କହିଛନ୍ତି ଯେ ନ୍ୟୁଜ୍ ପୋର୍ଟାଲ୍ ଦ୍ୱାରା ଦିଆଯାଇଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ତାଙ୍କ କହିବା କଥା ହେଲା ଉମେଶ କାମତ ଏବଂ ରାଜ କୁନ୍ଦ୍ରାଙ୍କ ଯେଉଁ ଚାଟ୍‌କୁ ନେଇ ଚର୍ଚ୍ଚା ହେଉଛି ଏବଂ ଯେଉଁଥିରେ ତାଙ୍କୁ କାଷ୍ଟ୍‌ କରାଯିବା କଥା କୁହାଯାଉଛି ତାହା ସମ୍ପୂର୍ଣ୍ଣ ଭୁଲ। ଏ ବିଷୟରେ ତାଙ୍କର କୌଣସି ଧାରଣା ନାହିଁ ବୋଲି ସେ କହିଛନ୍ତି।

ସେହିପରି ଇ-ଟାଇମ ସହିତ କଥାବାର୍ତ୍ତା ବେଳେ ଫ୍ଲୋରା ସାଇନି କହିଛନ୍ତି ଯେ ତାଙ୍କର କେବେ ବି ରାଜ କୁନ୍ଦ୍ରାଙ୍କ ସହିତ କୌଣସି କଥାବାର୍ତ୍ତା ହୋଇନି ଏବଂ ଏହି ବିବାଦରେ ତାଙ୍କ ନାମକୁ ଜୋରଜବରଦସ୍ତ ପୂରାଯାଉଛି।

ସେ କହିଛନ୍ତି ଯେ “କାଷ୍ଟିଂବାଲା ବେଳେବେଳେ ଡାକନ୍ତି। ଏମାନେ ହିଁ କୁହନ୍ତି ଯେ ହଟ୍‌ସଟ୍ ଆପ୍ ପାଇଁ ଏହିପରି ଏକ ୱେବ୍ ସିରିଜ୍ ପ୍ରସ୍ତୁତ କରାଯାଉଛି। ଆପଣ ଆଗ୍ରହୀ କି? ଏବଂ ମୁଁ ମନା କରିଦିଏ। ମୁଁ ନୂଆ ପ୍ଲାଟ୍‌ଫର୍ମ ପାଇଁ କାମ କରେ ନାହିଁ, କାରଣ ସେମାନେ ଏକ ନିର୍ଦ୍ଦିଷ୍ଟ ପ୍ରକାରର କଣ୍ଟେଣ୍ଟ୍‌ ତିଆରି କରନ୍ତି ଏବଂ ବଜେଟ୍ ମଧ୍ୟ ବହୁତ କମ ଥାଏ। ମୁଁ କାମ ପାଇଁ ଏତେ ପାଗଳ ନୁହେଁ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ “ଏହି ମାମଲା ଅଶ୍ଳୀଳତା ସହ ଜଡିତ ଏବଂ ଏଥିରେ ମୋର ନାମକୁ ନିଆଯାଉଛି। ଆପଣମାନେ ଭାବୁଛନ୍ତି ଯେ ମୁ ଏଥିରେ ଜଡିତ ଥାଇପାରେ। ଏହା ମୋର ସମ୍ମାନକୁ କ୍ଷତି ପହଞ୍ଚାଉଛି। କାରଣ ମୁଁ କୌଣସି ଚଳଚ୍ଚିତ୍ର ପରିବାରର ନୁହେଁ, ତେଣୁ ସେମାନେ ମୋ ନାମକୁ ଏଥିରେ ପକେଇବା ନେଇ ଉଚିତ ମନେକଲେ। ମୁଁ ଏଭଳି ପ୍ରଚାର ଚାହୁଁ ନାହିଁ।”