• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଘରୋଇ କଲେଜର ପିଲା ଅଧିକ ମାର୍କ ପାଇବେ!

  • କାହିଁକି ସିଏଚ୍ଏସ୍ଇ ପ୍ରଶ୍ନପତ୍ର ପ୍ରସ୍ତୁତ କରିବନି?

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପିଛା ଛାଡୁନି ବିବାଦ । ଏବେ ପିଲାଙ୍କ ଭିତରେ ନୂଆ ପରୀକ୍ଷା ନୀତିକୁ ନେଇ ଅନେକ ଦ୍ୱନ୍ଦ୍ୱ ଓ ଆଶଙ୍କା ବଢିବାରେ ଲାଗିଛି । ଆଶଙ୍କା ଏହା ଯେ ଏନେଇ ଘରୋଇ କଲେଜର ପିଲା ଅଧିକ ମାର୍କ ପାଇଯିବେ । କଲେଜ ସ୍ତରରେ ପରୀକ୍ଷା ଚେକ୍ କରିବାକୁ ଶିକ୍ଷା ପରିଷଦର କୌଣସି ବ୍ୟବସ୍ଥା ନାହିଁ । ଏହି ଆଶଙ୍କା ପିଲାଙ୍କ ଭିତରେ ଉପୁଯିବା ପରେ ଗଣଶିକ୍ଷା ମନ୍ତ୍ରୀ ପିଲାଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ପରୀକ୍ଷାରେ ସ୍ବଚ୍ଛତା ଲାଗି ପରିଷଦକୁ ନିର୍ଦ୍ଦେଶ ଦିଆଯିବ ।

ଯୁକ୍ତ ଦୁଇ ନୂଆ ପରୀକ୍ଷା ପଦ୍ଧତିକୁ ନେଇ ଉଠିଲା ପ୍ରଶ୍ନ । ଘରୋଇ କଲେଜ କରିପାରନ୍ତି ମାର୍କ ଜାଲିଆତି!  ଅଧିକ ମାର୍କ ଦେବା ଆଶା ଦେଖାଇ ଆଡମିଶନ କରାଉଥିବାର ଅଭିଯୋଗ ଆସିଛି । ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଏଭଳି ଅଭିଯୋଗ କରିଛନ୍ତି । ଗତବର୍ଷ ଯୁକ୍ତ ଦୁଇ ପରୀକ୍ଷା କୋଭିଡ୍ ଯୋଗୁ ବାତିଲ ହେବା ପରେ ଛାତ୍ରଛାତ୍ରୀ ମାନଙ୍କୁ ଦଶମ ପରୀକ୍ଷା ଆଧାରରେ ମାର୍କ ଦିଆଯାଇଥିଲା । କାରଣ କଲେଜ ଗୁଡିକରେ ଦୁଇ ବର୍ଷରେ ଯାଏଁ ଗୋଟିଏ ବି ପରୀକ୍ଷା କରାଇନଥିଲା । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଏହି ଭୁଲକୁ ସଜାଡିବା ପାଇଁ ବର୍ଷକୁ ତିନୋଟି ୨୦ ମାର୍କ ବିଶିଷ୍ଟ ଇଣ୍ଟରନାଲ୍ ଓ ବର୍ଷ ଶେଷରେ ବାର୍ଷିକ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ କେବଳ ଦ୍ୱିତୀୟ ବର୍ଷର ବୋର୍ଡ ପରୀକ୍ଷା ସିଏଚ୍ଏସ୍ଇ ପରିଚାଳନା କରିବ, ଏବଂ ଅନ୍ୟ ପରୀକ୍ଷାଗୁଡ଼ିକ କଲେଜରେ ମାର୍କ ଦିଆଯିବ ।

ବୋର୍ଡ ପରୀକ୍ଷା ଯଦି ମହାମାରୀ ଲାଗି ବାତିଲ ହୁଏ ତେବେ କଲେଜ କରିଥିବା ଇଣ୍ଟରନାଲ୍ ଓ ପ୍ରଥମ ବର୍ଷ ବାର୍ଷିକ ପରୀକ୍ଷା ମାର୍କ ଆଧାରରେ ପିଲାଙ୍କୁ ମାର୍କ ଦିଆଯିବ । ତେବେ ଛାତ୍ରଛାତ୍ରୀଙ୍କ ମନରେ ଆଶଙ୍କା ହେଲା, ଘରୋଇ କଲେଜ ଗୁଡିକ କଲେଜ ସ୍ତରରେ ହେଉଥିବା ପରୀକ୍ଷାରେ ନିଜ ପିଲାଙ୍କୁ ଅଧିକ ମାର୍କ ଦେବେ । ଫଳରେ ସେମାନେ ମହାମାରୀ ସମୟରେ ମାର୍କ ଦୌଡ଼ରେ ଆଗରେ ରହିବେ । ଅଧ୍ୟାପକ ସଂଘର ସଭାପତି ଗୋଲକ ନାୟକ ମଧ୍ୟ ମାର୍କ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ରାଜ୍ୟରେ ମୋଟ୍ ୨୦୩୫ଟି ଯୁକ୍ତ ଦୁଇ କଲେଜ ରହିଛି । ଏଥିରୁ ୪୭୭ ଟି ହେଉଛି ସେଲ୍ଫ ଫାଇନାନ୍ସିଂ କଲେଜ । ଖୋର୍ଦ୍ଧାରେ ସର୍ବାଧିକ ୭୪ଟି ସେଲ୍ଫ ଫାଇନାନ୍ସିଂ କଲେଜ ରହିଛି । ପ୍ରଥମରୁ ପରୀକ୍ଷାକୁ ବ୍ୟବସ୍ଥିତ ଓ ସ୍ବଚ୍ଛ କରିବା ଲାଗି ମାନଦଣ୍ଡ ନିହାତି ଆବଶ୍ୟକ । ଘରୋଇ କଲେଜଗୁଡିକ ଲାଗି ମାର୍କ ଜାଲିଆତିର ସୁଯୋଗ ରହିଥିବାର ନିଜେ ଗଣଶିକ୍ଷା ମନ୍ତ୍ରୀ ସ୍ବୀକାର କରିଛନ୍ତି । ପରୀକ୍ଷାର ସ୍ବଚ୍ଛତା ଲାଗି ସ୍କ୍ବାଡ ବ୍ୟବସ୍ଥା, ପାଖ କଲେଜରୁ ଅଧ୍ୟାପକ ଆଣି ପରୀକ୍ଷା ପରିଚାଳନା ଆଦି ଦିଗ ଉପରେ ବିଚାର କରାଯିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ କାହିଁକି ସିଏଚ୍ଏସ୍ଇ ପ୍ରଶ୍ନପତ୍ର ପ୍ରସ୍ତୁତ କରିବନି? ଯଦି କଲେଜ ପ୍ରଶ୍ନପତ୍ର ପ୍ରସ୍ତୁତ କରେ ତେବେ ପିଲାଙ୍କ ପାଖକୁ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପହଞ୍ଚିବାର ଅାଶଙ୍କା ରହିଛି । ଏବେ ନଜର, ପିଲାଙ୍କ ଆଶଙ୍କାକୁ କିପରି ଭାବେ ସିଏଚ୍ଏସ୍ଇ ସମାଧାନ କରୁଛି ।