• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୀଳଗିରି( ବିଶ୍ୱମ୍ବର ଦାସ) : ଧନୀ ନୁହେଁ ଜ୍ଞାନୀ ହେବାର ସ୍ୱପ୍ନ ଦେଖୁଛନ୍ତି ଗରିବ ଘରର ଝିଅ । ପାଠ ପଢ଼ିବାର ଇଚ୍ଛା ଥିଲେ ବି ଦିନ ମଜୁରିଆ ବାପା ପଢ଼ାଇବାକୁ ଅକ୍ଷମ । ଯୁକ୍ତଦୁଇ ପରୀକ୍ଷାରେ ବୋର୍ଡ ତାଙ୍କୁ ଦେଇଥିଲା ୫୩ ପ୍ରତିଶତ ନମ୍ବର । ହେଲେ ଯୁକ୍ତ ଦୁଇରେ ମିଳିଥିବା ମାର୍କକୁ ଚ୍ୟାଲେଞ୍ଜ କରି ପୁଣି ଥରେ ପରୀକ୍ଷା ଦେଇଥିଲେ । ପାଖାପାଖି ଦୁଇଗୁଣ ଅଧିକ ନମ୍ବର ବି ରଖିଲେ । ହେଲେ ଏବେ ଆଗକୁ ପାଠ ପଢିବାକୁ ପରିବାର ଆର୍ଥିକ ସ୍ଥିତି ଦେଉନି ଅନୁମତି । ଏପରି ସ୍ଥଳେ ମଉଳି ଯିବକି ମେଧାବୀ ଛାତ୍ରୀଙ୍କ ମନର ଆଶା ? ପାଠ ପଢ଼ାରେ ଡୋରି ବନ୍ଧା ହୋଇଯିବକି ବୋଲି ପ୍ରଶ୍ନ ଉଠୁଛି ।

ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଆରବନ୍ଧ ପଂଚୟତ ଉପରଡ଼ିହା ଗ୍ରାମର ମହେନ୍ଦ୍ର ନାୟକଙ୍କ ଝିଅ କରିସ୍ମା ନାୟକ । ଆଗକୁ ପାଠ ପଢ଼ିବା ପାଇଁ ଭାରି ଇଚ୍ଛା, ତାଙ୍କ ଆଖିରେ ଆଖିଏ ସ୍ୱପ୍ନ । ନିଜକୁ ଜଣେ ଅଧ୍ୟାପିକା ଭାବେ ଗଢି ତୋଳିବାକୁ ଇଚ୍ଛା । ଗରିବ ପିଲାମାନଙ୍କୁ ପାଠ ପଢ଼ାଇ ବିଦ୍ୟାରେ କିପରି ଧନୀ କରିବେ ତାହା ପିଲାଟି ଦିନରୁ ସ୍ୱପ୍ନ ଦେଖି ଆସିଛନ୍ତି । ଘରୁ ପ୍ରତିଦିନ ପାଞ୍ଚ କିଲୋମିଟର ସାଇକେଲ ଚଳାଇ ବରହମପୁର କଲେଜକୁ ପାଠ ପଢ଼ିବାକୁ ଯାଉଥିଲେ । କୌଣସିମତେ କଷ୍ଟେମଷ୍ଟେ ଯୁକ୍ତ ଦୁଇ ପଢ଼ା ଶେଷ କରିଦେଲେ ।

କରୋନା ଯୋଗୁ ଯୁକ୍ତ ଦୁଇରେ ପରୀକ୍ଷା ନହୋଇ ମାଟ୍ରିକ ମାର୍କ ଅନୁସାରେ ପ୍ରଥମେ ତାଙ୍କୁ ୫୩ ପ୍ରତିଶତ ମାର୍କ ମିଳିଥିଲା । ହେଲେ ଏଥିରେ ସନ୍ତୁଷ୍ଟ ନହୋଇ କରିସ୍ମା ପୁଣିଥରେ ପରୀକ୍ଷା ଦେବା ଚେଲେଞ୍ଜକୁ ଗ୍ରହଣ କରି ପରୀକ୍ଷା ଦେଲେ । ଯେଉଁଥିରେ ୫୪୬ ନମ୍ବର ରଖି ସେ ୯୧ ପ୍ରତିଶତ ମାର୍କ ରଖିଛନ୍ତି । ଫକୀରମୋହନ କଲେଜରେ ପାଠ ପଢିବାକୁ ଇଛା ଥିଲେ ବି ଅର୍ଥ ଅନଟନ ପାଇଁ ଇଚ୍ଛାକୁ ଚାପି ନୀଳଗିରି କଲେଜରେ ପ୍ରଥମ ସିଲେକ୍ସନରେ ଫର୍ମ ପକାଇଛନ୍ତି ।

ହେଲେ ଆଗକୁ ଦେଖିଥିବା ସ୍ୱପ୍ନକୁ ପୂରଣ କରିବାକୁ ଆଖି ପାଉଛି । ବରହମପୁର କଲେଜରେ ସେ ପଢ଼ିବାକୁ ଚାହୁଁଥିବା ବିଷୟର ସୁବିଧା ନାହିଁ । ଯୁକ୍ତ ଦୁଇ ଯାଏ ଘରେ କୁନି କୁନି ପିଲାଙ୍କୁ ଟିଉସୁନ ପଢ଼ାଇ କିଛି ଟଙ୍କା ରୋଜଗାର କରି ପାଠ ପଢିପାରିଲେ । ହେଲେ ଏବେ ନୀଳଗିରି କଲେଜରେ ପଢିବାକୁ ହେଲେ ମେସ୍ ଖର୍ଚ୍ଚ ସହ ବହିପତ୍ର କିଣିବାକୁ ପଡ଼ିବ । ହେଲେ ଏତେ ସବୁ ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ । ନୀଳଗିରିରେ ମେସରେ ରହି ପିଲାଙ୍କୁ ଟିଉସୁନ କରିବା ବି ସମ୍ଭବ ନୁହଁ । କିନ୍ତୁ ନୀଳଗିରିରେ ରହି ପାଠ ପଢ଼ାଇବା ତାଙ୍କ ପରିବାର ପକ୍ଷେ ସମ୍ଭବ ନୁହଁ ବୋଲି ସେ କହିଛନ୍ତି।

ପରିବାରର ଅର୍ଥ ରୋଜଗାର କହିଲେ ଦିନ ମଜୁରିଆ ଭାବେ ବାପା । ମୂଲମଜୁରୀ ଲାଗି ଯେତିକି ଆଣନ୍ତି ସେଥିରେ ଛ ପ୍ରାଣୀକୁଟୁମ୍ବ ଚଳନ୍ତି । ଯେଉଁଥିରେ ଅର୍ଥ ସଞ୍ଚି ଝିଅକୁ ପଢ଼ାଇବା ଅସମ୍ଭବ ବୋଲି ସେ କହିଛନ୍ତି । ମାବି ନିରୁପାୟ ।ଝିଅର ପାଠପଢିବା ଇଛା ଥିଲେ ବି ତାକୁ ଆଗକୁ କିଭଳି ପଠାଇବା ଚିନ୍ତାରେ ପରିବାର ଅଛନ୍ତି । ଏଭଳି ମେଧାବୀ ଛାତ୍ରୀ ବଣମଲ୍ଲୀ ହୋଇ ମଉଳି ନଯାଇ କିଭିଲି ସୁଯୋଗଟିଏ ପାଇଲେ ଆଗକୁ ପଢିପାରନ୍ତେ ବୋଲି ଗ୍ରାମବାସୀ କହିଛନ୍ତି।

ତେବେ ଏଭଳି ସଂଘର୍ଷର ସ୍ଥିତି ଦେଇ ଗତି କରୁଥିବା କରିସ୍ମାଙ୍କ ସମ୍ପର୍କରେ ଜାଣିବା ପରେ ନୀଳଗିରି କଲେଜର ଅଧ୍ୟକ୍ଷାଙ୍କୁ ଭେଟିଥିଲୁ । ସେ ତାଙ୍କ କଲେଜ ପାଇଁ ଗର୍ବ ବୋଲି କହିବା ସହ ପାରୁପର୍ଯ୍ୟନ୍ତ ସହାୟତା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।