୮୩ ବର୍ଷ ବୟସରେ ପଡିନି ବୟସର ଛାପ : ଦୀର୍ଘ ୨୩ ବର୍ଷ ହେଲା ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି ମାୟାଧର ସାର୍

ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଗଁପୁର ପଞ୍ଚାୟତର ଅଙ୍ଗାରୁଆ ଗାଁ । ଗାଁ କଜଳେଇ ମନ୍ଦିରର ଶାନ୍ତ ଓ ଶୁଦ୍ଧ ବାତାବରଣରେ ପାଠ ପଢୁଛନ୍ତି ପିଲାଏ । ପ୍ରଥମ ଶ୍ରେଣୀରୁ କଲେଜ୍ ପିଲାମାନଙ୍କୁ ଏଠାରେ ପାଠ ପଢାଉଛନ୍ତି ମାୟାଧର ସାର୍ । ଏଥିପାଇଁ ପିଲାଙ୍କଠାରୁ କୌଣସି ପାରିଶ୍ରମିକ ନିଅନ୍ତି ନାହିଁ ମାୟାଧର ସାର୍ ।

ଅବସର ଗ୍ରହଣ ପରେ ବି ଥକି ଯାଇ ନାହାଁନ୍ତି ମାୟାଧର ସାର୍

ଆନ୍ଦପୁର(ମୁନା ସିଂ) : ଶିକ୍ଷାଦାନ ପାଇଁ ଉତ୍ସର୍ଗୀକୃତ ଜୀବନ । ଅବସର ଗ୍ରହଣ ପରେ ବି ଥକି ଯାଇ ନାହାଁନ୍ତି । ୮୩ ବର୍ଷ ବୟସରେ ମଧ୍ୟ ତାଙ୍କ ଉପରେ ପଡିନି ବୟସର ଛାପ । ଦୀର୍ଘ ୨୩ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ବିନା ପାରିଶ୍ରମିକରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି ମାୟାଧର ରଥ । ତାଙ୍କର ଉତ୍ସର୍ଗୀକୃତ ଜୀବନର କାହାଣୀ ସମସ୍ତଙ୍କୁ ପ୍ରେରଣା ଦେବ ନିଶ୍ଚୟ ।

ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଗଁପୁର ପଞ୍ଚାୟତର ଅଙ୍ଗାରୁଆ ଗାଁ । ଗାଁ କଜଳେଇ ମନ୍ଦିରର ଶାନ୍ତ ଓ ଶୁଦ୍ଧ ବାତାବରଣରେ ପାଠ ପଢୁଛନ୍ତି ପିଲାଏ । ପ୍ରଥମ ଶ୍ରେଣୀରୁ କଲେଜ୍ ପିଲାମାନଙ୍କୁ ଏଠାରେ ପାଠ ପଢାଉଛନ୍ତି ମାୟାଧର ସାର୍ । ଏଥିପାଇଁ ପିଲାଙ୍କଠାରୁ କୌଣସି ପାରିଶ୍ରମିକ ନିଅନ୍ତି ନାହିଁ ମାୟାଧର ସାର୍ । ଅଳତୀ ଦରିଦ୍ର ନାରାୟଣ ବିଦ୍ୟାପୀଠରୁ ଅବସର ନେବା ପରେ ଗାଁମନ୍ଦିର ବେଢା ତାଙ୍କ ପାଇଁ ପାଲଟିଛି ନୂତନ କର୍ମକ୍ଷେତ୍ର ।

ପାଠପଢା ଶେଷ କରିବା ପରେ ଅନ୍ୟ ଚାକିରୀ ଛାଡି ପିତାମାତାଙ୍କ ସେବା କରିବା ପାଇଁ ଅଳତୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ ମାୟାଧର ସାର୍ । ସଫଳତାର ସହ ୪୦ ବର୍ଷ ଶିକ୍ଷାଦାନ କରିବା ସହ ଜଣେ କୃତି ଶିକ୍ଷକ ଭାବେ ସେ ରାଜ୍ୟପାଳ ପୁରସ୍କାର ମଧ୍ୟ ପାଇଛନ୍ତି । ଏଥିସହ ଶତାଧିକ ଗଳ୍ପ,କବିତା ଓ ପ୍ରବନ୍ଧ ରଚୟିତା ମାୟାଧର ସାର୍ । ତାଙ୍କର ଲେଖା ଓଡିଶାର ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହୋଇଛି । ସେଥିପାଇଁ ତାଙ୍କୁ ବହୁ ସାହିତ୍ୟିକ ଅନୁଷ୍ଠାନ ତରଫରୁ ପୁରସ୍କୃତ ମଧ୍ୟ କରାଯାଇଛି । ଦୁଃଖ ଓ ବିଷାଦରେ ଅନ୍ୟମାନେ ଅବସର ସମୟ କାଟୁଥିବା ବେଳଳେ ଅବସର ସମୟ, ମାୟାଧର ସାରଙ୍କ ପାଇଁ ଏକ ନୂତନ ପ୍ରେରଣାର ଉତ୍ସ ପାଲଟିଛି ।

ଅବସର ତାଙ୍କ ପାଇଁ ଆଶୀର୍ବାଦ ପାଲଟିଛି । ୨୩ ବର୍ଷ ଧରୀ ମାଗଣାରେ କରୁଛନ୍ତି ଶିକ୍ଷା ଦବ, ଉପକୃତ ହେଉଛନ୍ତି ଶହଶହ ଛାତ୍ରଛାତ୍ରୀ । ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ମାୟାଧର ସାର୍ ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।