• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପିଲାଙ୍କ ପାଠପଢାରେ କରୋନା ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତି ।

  • ଦଶମ ଓ ଦ୍ୱାଦଶ ଟର୍ମ ଓ୍ୱାନ୍ ପରୀକ୍ଷା ଲାଗି ସିବିଏସଇର ତାରିଖ ଘୋଷଣା ।

  • ଆସନ୍ତା ୨୨ରୁ ନବମର ସମ୍ମେଟିଭ୍ ଟେଷ୍ଟ କରିବ ଓଡ଼ିଶା ବୋର୍ଡ ।

ଭୁବନେଶ୍ୱର: ପିଲାଙ୍କ କ୍ୟାରିୟର ଉପରେ କରୋନା ମାଡ଼ । ଠିକ୍ ସମୟରେ ହୋଇପାରୁନି ପରୀକ୍ଷା, ବାହାରି ପାରୁନି ରେଜଲ୍ଟ । ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନକୁ ନେଇ ବି ବିବାଦ । ଏଭଳି ସ୍ଥିତିରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଟର୍ମ ଓ୍ୱାନ୍ ପରୀକ୍ଷା କରିବାକୁ ତାରିଖ ଘୋଷଣା କରିଛି ସିବିଏସଇ । ସେହିପରି ଓଡ଼ିଶା ବୋର୍ଡ ମାଟ୍ରିକ୍ ସହ ନବମ ଶ୍ରେଣୀର ସବ୍‌ଜେକ୍ଟିଭ୍ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି । 

ମହାମାରୀରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଛି ଶିକ୍ଷା କ୍ଷେତ୍ର । କ୍ୟାରିୟରକୁ ନେଇ ଶଙ୍କାରେ ଛାତ୍ରଛାତ୍ରୀ । ୟୁଜି, ପିଜି ହେଉ କି ବୈଷୟିକ ଶିକ୍ଷା । ପରୀକ୍ଷାକୁ ନେଇ ସବୁଠି ଦ୍ୱନ୍ଦ୍ୱ । ତାସହିତ କରୋନା ପାଇଁ ବିଭିନ୍ନ କୋର୍ସରେ ଅସଙ୍ଗତି ବି ସୃଷ୍ଟି ହୋଇଛି । ଯାହାଫଳରେ ଉଚ୍ଚ ଶିକ୍ଷା ଓ ନିଯୁକ୍ତିରୁ ବଞ୍ଚିତ ହେଉଛନ୍ତି ଅନେକ ଆଶାୟୀ । ତେବେ ଆଗକୁ ଗତବର୍ଷ ଭଳି ଅଡୁଆ ଏଡାଇବାକୁ ଆରମ୍ଭ ହୋଇଛି ଉଦ୍ୟମ । ସିବିଏସ୍ଇ ନଭେମ୍ବର ୩୦ରୁ ଦଶମ ଓ ଡିସେମ୍ବର ୧ରୁ ଦ୍ୱାଦଶ ବୋର୍ଡ ଲାଗି ଟର୍ମ ଓ୍ୱାନ ପରୀକ୍ଷା କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି । ସେହିପରି ଚଳିତ ବର୍ଷରୁ ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ମାଟ୍ରିକ ସହ ନବମ ସବ୍‌ଜେକ୍ଟିଭ୍ ପରୀକ୍ଷା ମଧ୍ୟ କରାଇବ । ନଭେମ୍ବର ୨୨ରୁ ନବମର ସବ୍‌ଜେକ୍ଟିଭ୍ ପରୀକ୍ଷା ଆରମ୍ଭ ହେବ । ଲକ୍ଷ୍ୟ ହେଉଛି ଯଦି ମହାମାରୀ ଲାଗି ବୋର୍ଡ ପରୀକ୍ଷା ବାତିଲ ହୁଏ ତେବେ ଏହି ପରୀକ୍ଷା ଆଧାରରେ ମାର୍କ ଦିଆଯିବ ।

ଗଲା ଶିକ୍ଷାବର୍ଷରେ ଦଶମ ଓ ଦ୍ୱାଦଶ ପିଲା ବିନା ପରୀକ୍ଷାରେ ପାସ୍ କରିଥିବା ବେଳେ, ମିଳିଥିବା ମାର୍କକୁ ନେଇ ସୃଷ୍ଟି ହୋଇଥିଲା ଅସନ୍ତୋଷର ଝଡ଼ । ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଛାତ୍ରଛାତ୍ରୀ । ଫଳରେ ପୁଣି ଅଫ୍‌ଲାଇନ୍ ପରୀକ୍ଷା କରାଯାଇଥିଲା । ଅନ୍ୟପକ୍ଷରେ ଡିପ୍ଲୋମା ଇଞ୍ଜିନିୟରିଂର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ବିବାଦ ଏଯାଏଁ ତୁଟିନି । ଛାତ୍ରଛାତ୍ରୀ କେତେବେଳେ ମନ୍ତ୍ରୀଙ୍କ ବାସଭବନ ଘେରାଉ କରୁଛନ୍ତି ତ ଆଉ କେତେବେଳ ଆନ୍ଦୋଳନକୁ ଓହ୍ଲାଉଛନ୍ତି । ଏସବୁ ଭିତରେ ଅଭିଭାବକ ସଂଘର ଯୁକ୍ତି ହେଉଛି ସଂକ୍ରମଣ କମୁଛି, ଶିକ୍ଷା କ୍ୟାଲେଣ୍ଡରକୁ ବ୍ୟବସ୍ଥିତ ଓ ପାଠପଢାକୁ ନିୟମିତ କରି ପରୀକ୍ଷା କରାଯାଉ । ତେବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ କହିଛନ୍ତି, ବିଭାଗ ଖୁବ ଶୀଘ୍ର ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣୁଛି, ଯାହାଦ୍ୱାରା ଠିକ୍ ସମୟରେ ପରୀକ୍ଷା କରିବା ସହ ରେଜଲ୍ଟ ବାହାରି ପାରିବ ।

 

(ରିପୋର୍ଟର- ଦେବାଶିଷ ମହାନ୍ତି/ ଜଗଦୀଶ ଦାସ)