• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଏମିତି ଗୁରୁଙ୍କୁ ଶହେ ପ୍ରଣାମ

  • ଦୃଷ୍ଟିଶକ୍ତି ନାହିଁ, ବାଣ୍ଟୁଛନ୍ତି ଶିକ୍ଷାର ଆଲୋକ

ବାସୁଦେବପୁର(କିରୀଟି ଦାସ) : ଦୃଷ୍ଟିଶକ୍ତି ନାହିଁ, ହେଲେ ସେ ଶିକ୍ଷାର ବିନ୍ଧାଣୀ । ଦୁନିଆ କ'ଣ ନିଜେ ଦେଖିପାରୁ ନଥିଲେ ବି ଅନ୍ୟକୁ ଶିକ୍ଷାର ଆଲୋକ ଦେଖାଉଛନ୍ତି । ଗଣିତ ହେଉକି ସାହିତ୍ୟ ଅବା ଇଂରାଜୀ, ସବୁ ବିଷୟରେ ସେ ର୍ନିଭୁଲ ପାଠ ପଢାଉଛନ୍ତି । ଶିକ୍ଷକତା ତାଲିମ ନେଇ ନାହାଁନ୍ତି, ପିଲାଙ୍କ ଠାରୁ ପ୍ରଶ୍ନ ଶୁଣିବା ପରେ ସହଜସାଧ୍ୟ ପ୍ରଣାଳୀରେ ପାଠ ବୁଝାଇ ଦେଉଛନ୍ତି । ପାରିଶ୍ରମିକ ଯାହାବି ମିଳୁ ପିଲାମାନଙ୍କୁ ପାଠ ପଢାଇ ଆତ୍ମସନ୍ତୋଷ ପାଉଛନ୍ତି ।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲୁଙ୍ଗା ପଂଚାୟତ ନୂଆସାହିର ଭାସ୍କର ସାର୍ । ବୟସ ୬୦ ପାରି ହେଲାଣି । ଦୃଷ୍ଟିଶକ୍ତିକୁ ନାହିଁ ସତ, ହେଲେ ମେଧାଶକ୍ତି ବଳରେ ସେ ବହୁ ମେଧାବୀ ଛାତ୍ର ତିଆରୀ କରି ଚାଲିଛନ୍ତି । ସକାଳ ସନ୍ଧ୍ୟା ଦୁଇ ବେଳା ତାଙ୍କ ଘର ପାଖରେ ପିଲାମାନଙ୍କ ଭିଡ ଲାଗୁଛି । ପିଲାଟି ବେଳୁ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଥିଲେ ଭାଷ୍କର ସାର୍ ।

ସ୍କୁଲରେ ପାଠପଢିବା ସମୟରେ ସାମାନ୍ୟ ଆଖି ସମସ୍ୟା ଦେଖାଦେଇଥିଲା । ୧୯୮୦ ରେ ଏକାଦଶ ଶ୍ରେଣୀ ପାଶ କରିଥିଲେ । ପରେ ଭୁବନେଶ୍ୱର ବିଜେବି କଲେଜରେ ବାଣିଜ୍ୟ ବିଭାଗରେ ନାମ ଲେଖାଇଥିଲେ । ସେ ସମୟରେ ଆଖିକୁ ଭଲଭାବେ ଦେଖାଯାଉ ନଥିଲେ ବି ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ । ଆଉ ବିକମ୍ ପଢିବା ପାଇଁ ପୁଣି ସେଇ ଠାରେ ନାମ ଲେଖାଇଥିଲେ । କିଛିଦନ ପାଠ ପଢିବାରେ ଦୃଷ୍ଟିଶକ୍ତି ବହୁ ମାତ୍ରାରେ କମିଗଲା । ବହିର ଅକ୍ଷର ଭଲଭାବରେ ଦେଖାଗଲା ନାହିଁ । ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ବ୍ୟବହାର ପରେ ବି ଦେଖାଗଲା ନାହିଁ । ଧୀରେ ଧୀରେ ଦୃଷ୍ଟିଶକ୍ତି ହରାଇବସିଲେ ଭାସ୍କର ସାର୍ ଆଉ ପାଠ ପଢିବାର ତାଙ୍କ ଉଚ୍ଚ ଆଶା ମଉଳି ଗଲା । ଆଉ ସେବେ ଠାରୁ ବନ୍ଧାହେଲା ପାଠ ପଢାର ଡୋରୀ ।

ତେବେ ଦୃଷ୍ଟିଶକ୍ତି ହରାଇବା ପରେ ଘରେ ବସି ନରହି ସେ ପ୍ରଥମେ ସାନଭାଇ ମାନଙ୍କୁ ପାଠ ପଢାଇବା ଆରମ୍ଭ କଲେ । ଧୀରେ ଧୀରେ ନିଜ ଭାଇ ମାନଙ୍କ ସହ ପାଖ ପଡୋଶୀ ପିଲାଙ୍କୁ ମଧ୍ୟ ପଢ଼ାଇବା ଆରମ୍ଭ କଲେ । ଭାସ୍କର ସାରଙ୍କ ପାଖରେ ପାଠ ପଢୁଥିବା ପିଲାମାନେ ଭଲ ରେଜଲ୍ଟ ମଧ୍ୟ କଲେ ।

ଏବେ ଭାସ୍କର ସାରଙ୍କ ପାଖରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୦ଜଣ ପାଖାପାଖି ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏହି ଗୁରୁଙ୍କ ପାଖରେ ପଢୁଥିବା ଅନେକ ପିଲା ଭଲ ପଦବୀରେ ଏବେ ଅବସ୍ଥାପିତ ହୋଇପାରିଛନ୍ତି । ଦୃଷ୍ଟି ବାଧିତ ଭାସ୍କର ସାର୍‌ଙ୍କ ଗୁଣକୁ ସମ୍ମାନ ଜଣାଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ମଧ୍ୟ କରାଯାଇଛି । ଦୃଷ୍ଟିଶକ୍ତି ନଥିବା ଶିକ୍ଷା ଗୁରୁ ଆଜି ଦୁନିଆକୁ ଶିକ୍ଷାର ଆଲୋକ ଦେଖାଉଛନ୍ତି । ସେଭଳି ଗୁରୁଙ୍କୁ ଆଜିର ଗୁରୁ ଦିବସରେ ଶତ ଶତ ପ୍ରଣାମ ।