• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସ୍କୁଲ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ନେଇ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା

  • ଢେଙ୍କାନାଳ ଓ ବରଗଡ଼ର ୨ଟି ସ୍କୁଲର ୩୪ ପିଲା ପଜିଟିଭ୍ ସୂଚନା ପାଇଛୁ

  • ଇନକ୍ୱାରୀ କରୁଛୁ, ଢେଙ୍କାନାଳ ସିଡିଏମ୍ଓଙ୍କ ସହ ଯୋଗାଯୋଗରେ ଅଛୁ

  • ବାସ୍ତବ ସ୍ଥିତି ଜାଣିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ- ମନ୍ତ୍ରୀ

ଭୁବନେଶ୍ୱର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇନି । ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିଥିଲେ ହେଁ ପିଲାଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଉଛି । ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଯଥାସମ୍ଭବ ଗହଳି ଏଡ଼ାଇବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ବର୍ତ୍ତମାନ ରାଜ୍ୟରେ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ଚିନ୍ତାର କାରଣ ସାଜିଛି । ଆଜି ଚିହ୍ନଟ ହୋଇଥିବା ମୋଟ୍ ୬୩୮ ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି ୯୩ ଜଣ ।

କିଛି କିଛି ସ୍ଥାନରେ ସ୍କୁଲ ପିଲା କରୋନା ସଂକ୍ରମିତ ହୋଇଥିବା ଖବର ଆସିଛି । ସ୍କୁଲ ଖୋଲାବା ମାତ୍ରେ ପଶିଛି କରୋନା । ଢେଙ୍କାନାଳ ଓ ବରଗଡ଼ର ୨ଟି ସ୍କୁଲରେ ୩୪ ପିଲା ସଂକ୍ରମିତ ଚିହ୍ନଟ ହେବାପରେ କଟକଣାକୁ କଠୋର କରାଯାଇଛି । ଏ ସମ୍ପର୍କରେ ସୂଚନା ପାଇଥିବା କଥା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ତେବେ ଏନେଇ ତଦନ୍ତ ଚାଲିଛି । ଢ଼େଙ୍କାନାଳର ସିଡିଏମଓଙ୍କ ସହ ଯୋଗାଯୋଗ ରହିଛି । ଷ୍ଟାଟସ୍ ଜାଣିବା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ତେବେ ଯେକୌଣସି ନିଷ୍ପତ୍ତି ହେଲେ ମଧ୍ୟ କୋଭିଡ୍ ଗାଇଡଲାଇନକୁ ପାଳନ କରାଯିବ । ଯେଉଁ ସ୍କୁଲରେ ପଜିଟିଭ୍ ବାହାରିଛନ୍ତି, ଆବଶ୍ୟକ ସ୍ଥଳେ ସେଠାରେ ସ୍କୁଲ ବନ୍ଦ କରିଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ ।

ସେପଟେ ପଜିଟିଭ ଚିହ୍ନଟ ହେବାପରେ କାମାକ୍ଷାନଗରରେ ୭ ଦିନ ପାଇଁ କାନପୁରା ପଞ୍ଚାୟତିରାଜ ହାଇସ୍କୁଲକୁ ବନ୍ଦ କରାଯାଇଛି । ବିଦ୍ୟାଳୟର ୨୦ ଜଣ କରୋନା ପଜିଟିଭ ଚିହ୍ନଟ ପରେ ଏପରି ନିଷ୍ପତ୍ତି ନିଆଯାଇଛି । ଚିହ୍ନଟ ୨୦ ଜଣଙ୍କ ମଧ୍ୟରେ ୧୪ ଛାତ୍ରଛାତ୍ରୀ ଓ ୬ ଜଣ ଶିକ୍ଷକ ଥିବା ଜଣାପଡ଼ିଛି । ସ୍କୁଲରୁ ମୋଟ୍ ୩୪୪ଟି ନମୁନା ସଂଗ୍ରହ କରାଯାଇଥିଲା, ସେଥିରୁ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଖବର ମିଳିଛି ।

ସେହିପରିରେ ଶିଶୁଙ୍କ ସଂକ୍ରମଣ ନେଇ DMET ଡାକ୍ତର ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ପିଲାଙ୍କ ସଂକ୍ରମଣ ପାଇଁ ପରିବାରକୁ ପରୋକ୍ଷରେ ଦାୟୀ କରିଛି ସ୍ୱାସ୍ଥ୍ୟ ବିଭାଗ । ଏହାସହ ପିଲାଙ୍କୁ ଥଣ୍ଡା, କାଶ, ଜ୍ୱର ହୋଇଥିଲେ ନଲୁଚାଇ ଜଣାଇବାକୁ ପରାମର୍ଶ ଦିଆଯାଇଛି । ଅଭିଭାବକ ନ ଜଣାଇଲେ ପରିସ୍ଥିତି ଭୟାନକ ହେବ । ଆବଶ୍ୟକ ହେଲେ ସ୍କୁଲ ବନ୍ଦ ହୋଇପାରେ ବୋଲି ସେ କହିଛନ୍ତି । 

ସୂଚନାଯୋଗ୍ୟ ଆଜି ରାଜ୍ୟରେ ୬୩୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୩୭୨ ଥିବାବେଳେ ଲୋକାଲ କେସ୍ ରହିଛି ୨୬୬ । ସେହିପରି ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଅନୁଗୁଳ, କଟକ, ଖୋର୍ଦ୍ଧାରୁ ୨ ଲେଖାଏଁ ପ୍ରାଣ ହରାଇଥିବା ବେଳେ ପୁରୀରୁ ଜଣଙ୍କ ଜୀବନ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮,୦୬୨କୁ ବୃଦ୍ଧି ପାଇଛି