• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ୱେବ୍ ପୋର୍ଟାଲ ସାମ୍ବାଦିକଙ୍କ କଳା କାରନାମା ।

     

  • କେତେବେଳେ ଅପହରଣ ତ କେତେବେଳେ ଦାଦାବଟି ଆଦାୟ ଆଭିଯୋଗ ।

  • ଏବେ ଆସିଛି ସାମ୍ବାଦିକ କରୁଛନ୍ତି ଗଞ୍ଜେଇ ଚାଳାଣ ।

ସାମ୍ବାଦିକ ନାଁରେ କେତେବେଳେ ଅପହରଣ ଓ ଦାଦାବଟି ଆଦାୟ ତ ଆଉ କେତେବେଳେ ବେଆଇନ୍ କାମ ଧରାଇ ଦେବାକୁ ଧମକ ଦେଇ ବିଭିନ୍ନ କମ୍ପାନୀ ମାଲିକଙ୍କ ଠାରୁ ଟଙ୍କା ଆଦାୟ ଘଟଣା । ସାମ୍ନାକୁ ଆସୁଛି ଜଣକ ପରେ ଜଣେ ୱେବ୍ ପୋର୍ଟାଲ ସାମ୍ବାଦିକଙ୍କ କଳା କାରନାମା । ଏଭଳି ସ୍ଥିତିରେ ଆଜି ଚୋରା ଗଞ୍ଜେଇ ଚାଲାଣ କରି ପୋଲିସ ହାତରେ ଧରାପଡିଛନ୍ତି କୋରାପୁଟ ବୈପାରୀଗୁଡାର ଜଣେ ୱେବ୍ ପୋର୍ଟାଲ ସାମ୍ବାଦିକ । ରାଜ୍ୟରେ ଛତୁ ଫୁଟିଲା ଭଳି ୱେବ୍ ପୋର୍ଟାଲ ଖୋଲୁଥିବା ବେଳେ କିଛି ଖଳ ପ୍ରକୃତିର ଲୋକଙ୍କ ପାଇଁ ସରକାର ୱେବ ମିଡିଆ ଉପରେ ଅଙ୍କୁଶ ଲଗାଇପାରନ୍ତି, ଯାହା ପୁରା ଗଣମାଧ୍ୟମ ପାଇଁ ବିପଦ ବୋଲି ମତ ପ୍ରକାଶ ପାଇଛି ।

ହେମନ୍ତ ଟାକ୍ରି କୋରାପୁଟ ବୈପାରୀଗୁ଼ଡାର ବିଶ୍ୱବିଜୟୀ ୱେବ୍ ପୋର୍ଟାଲ ସାମ୍ବାଦିକ । ସମାଜ ପ୍ରତି ଜଣେ ସାମ୍ବାଦିକର ଦାୟିତ୍ୱ ଓ କର୍ତ୍ତବ୍ୟ ଭୁଲି ଏହି ବ୍ୟକ୍ତି ଜଣକ ଚଲାଇଥିଲେ ବେଆଇନ୍ ଗଞ୍ଜେଇ କାରବାର । ମାଲକାନଗିରି ଜିଲ୍ଲା ଝରିଆଗୁଡ଼ାଠାରେ ମଙ୍ଗଳବାର ପୋଲିସର କଡା ଯାଞ୍ଚକୁ ଭେଦି ଗଞ୍ଜେଇ ଭର୍ତ୍ତି ଗା଼ଡି ନେବାକୁ ଉଦ୍ୟମ କରୁଥିଲେ ଏହି ସାମ୍ବାଦିକଙ୍କ ସମେତ ୫ ଜଣ ଯୁବକ । ହେଲେ ସମସ୍ତଙ୍କୁ ଗୋଡାଇ ଗୋଡାଇ ଧରିଛି ପୋଲିସ । ଚେକିଂ ବେଳେ ଗାଡିରୁ ମିଳିଛି ୧୫ କୁଇଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ । ଯାହାର ଆନୁମାନିକ ମୂଲ୍ୟ କୋଟିଏରୁ ଅଧିକ ହେବ । ଚିତ୍ରକୋଣ୍ଡା ଅଂଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି ଅଭିଯୁକ୍ତ ।

ସାମ୍ବାଦିକ ନାଁରେ ଅନେକ ଅପହରଣ ଓ ଦାଦାବଟି ଆଦାୟ ଅଭୀଯୋଗ । ନିକଟରେ ରାଜଧାନୀରେ ଜଣେ ଖଣି ବ୍ୟବସାୟୀ ଓ ତାଙ୍କ ସହଯୋଗୀଙ୍କୁ ଅପହରଣ କରି ଦାଦାବଟି ମାଗିବା ଘଟଣାରେ ପୋଲିସ ଏକ ୱେବ୍ ଚ୍ୟାନେଲର ମହିଳା ସାମ୍ବାଦିକାଙ୍କ ସମେତ ୪ ଜଣ କର୍ମଚାରୀଙ୍କୁ ଗିରଫ କରିଛି । ସେହିପରି ଗତ ବର୍ଷ ଅକ୍ଟୋବରରେ ରାଜଧାନୀରେ ଏକ ଘିଅ କମ୍ପାନୀ ମାଲିକଠାରୁ ବେଆଇନ୍ ଟଙ୍କା ଆଦାୟ ଅଭିଯୋଗରେ ଗିରଫ ହୋଇଥିଲେ ବିଭିନ୍ନ ୱେବ ଚ୍ୟାନେଲର ୬ଜଣ ସାମ୍ବାଦିକ । ଅପମିଶ୍ରଣ ଖବର ଧରାଇ ଦେବାକୁ ଧମକ ଦେଇ ମାଲିକଙ୍କଠାରୁ ଏହି ୱେବ୍ ସାମ୍ବାଦିକ ଆଦାୟ କରିଥିଲେ ଲକ୍ଷାଧିକ ଟଙ୍କା । ସେହିପରି ଗତ ୨୩ ତାରିଖରେ ବାରିପଦାରେ ୨ ମାସର ଶିଶୁକୁ ୨ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଘଟଣାରେ ସଂପୃକ୍ତି ଅଭିଯୋଗରେ ପୋଲିସ ଜଣେ ୱେବ୍ ମିଡିଆ ସାମ୍ବାଦିକଙ୍କୁ ଗିରଫ କରିଥିଲା ।

ସାମ୍ବାଦିକ ନାଁରେ ଏଭଳି ବେଆଇନ୍ କାମ ପୁରା ସାମ୍ବାଦିକ ସମାଜ ପାଇଁ ଗଭୀର ଉଦବେଗର ବିଷୟ ପାଲଟିଛି । କାରଣ, ଅଳ୍ପ କିଛି ଲୋକଙ୍କ ପାଇଁ ସାମ୍ବାଦିକତା ପେଶାରେ ଥିବା ବ୍ୟକ୍ତିବିଶେଷ ବଦନାମ ହେଉଛନ୍ତି । ସାମ୍ବାଦିକତା ପ୍ରତି ଥିବା ସାମ୍ବାଦିକଙ୍କ ନିଷ୍ଠା ଏବଂ କର୍ତ୍ତବ୍ୟ ପରାୟଣତା ପ୍ରଭାବିତ ହେଉଥିବା ମତ ରଖିଛନ୍ତି ବରିଷ୍ଠ ସାମ୍ବାଦିକ ।