• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

OPHWCର ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ଓଲିଉଡ ଲିଙ୍କ୍ ନେଇ ଭିଜିଲାନ୍ସର ତନାଘନା । ଗତକାଲିଠାରୁ ପ୍ରତାପଙ୍କୁ ପୁଣି ଥରେ ରିମାଣ୍ଡରେ ନେଇ ଘନ ଘନ ଜେରା କରୁଛି ଭିଜିଲାନ୍ସ । ବିଶେଷ କରି ତାଙ୍କର ଓଲିଉଡ ଲିଙ୍କ୍ ନେଇ ଛାନ୍‌ଭିନ୍‌ ଚାଲିଛି । ପ୍ରତାପ ଦୁଇଟି ଓଡ଼ିଆ ଫିଲ୍ମରେ ଟଙ୍କା ଲଗାଇଥିବାର ଆପାତତଃ ପ୍ରମାଣ ମିଳିଛି । ରାଧାକ୍ରିଷ୍ଣ ବ୍ୟାନରରେ ଦୁଇଟି ଫିଲ୍ମ ନିର୍ମାଣ ପାଇଁ ତାଙ୍କ ସ୍ତ୍ରୀ ସସ୍ମିତା ସାମଲ ଓ ଭଉଣୀ ନମିତା ଦାସଙ୍କ ସହିତ ଚୁକ୍ତି ହୋଇଥିବା ଜଣାପଡ଼ିଛି ।

ପ୍ରତାପ ପ୍ରାୟ ୫୦ ଲକ୍ଷ ଟଙ୍କା ଏହି ୨ଟି ଫିଲ୍ମରେ ଲଗାଇଥିଲେ । ପ୍ରତାପ ଓ ତାଙ୍କ ପରିବାରର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ସନ୍ଦେହଜନକ ଭାବେ ଜମା ହୋଇଛି ପ୍ରାୟ ଦେଢ଼ କୋଟି ଟଙ୍କା । ଏହି ଟଙ୍କାରେ ଭୁବନେଶ୍ୱର ଆଖପାଖରେ ଜମି କିଣାଯାଇଛି । ତା’ସହିତ ୧ କୋଟିରୁ ଅଧିକ ଟଙ୍କା ସେୟାର ଓ ଡିବେନଚର୍ ଜରିଆରେ ବିନିଯୋଗ ହୋଇଛି । ପ୍ରତାପଙ୍କ ଅନ୍ୟ କାରବାରର କାଗଜପତ୍ର ଯାଞ୍ଚ କରୁଛି ଭିଜିଲାନ୍ସର ଫାଇନାନ୍ସିଆଲ ଓ୍ୱିଙ୍ଗ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗତ ୧୦ ତାରିଖରେ ପ୍ରତାପ ସାମଲଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ତାଙ୍କ ପାଖରୁ ପ୍ରାୟ ୧୫ କୋଟି ଟଙ୍କାର ସଂପତ୍ତି ଠାବ ହୋଇଛି । ୧୬ ତାରିଖରୁ ୨ ଦିନିଆ ରିମାଣ୍ଡରେ ନେବାକୁ ଭିଜିଲାନ୍ସକୁ କୋର୍ଟ ଅନୁମତି ଦେଇଥିଲେ ।

ସୂଚନାଯୋଗ୍ୟ, କୋଟିପତି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ପ୍ରାୟ ଦୁଇ ଦିନ ଧରି ଭିଜିଲାନ୍ସ ପକ୍ଷରୁ ରେଡ୍‌ ଚାଲିଥିଲା । କାରଣ ସମ୍ପତ୍ତି ଏତେ ମାତ୍ରାରେ ବାହାରିଲା ଯେ, ତାହା ଆକଳନ କରୁ କରୁ ପ୍ରାୟ ଦୁଇ ଦିନ ସମୟ ଲାଗିଲା । ତେବେ ତାଙ୍କଠାରୁ ମୋଟ ୧୪ କୋଟି ୮୭ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତି ଜବତ କରାଯାଇଥିଲା । ଏହା ତାଙ୍କର ମୋଟ ଆୟର ୧୦୮୭ ଗୁଣା ଅଧିକ ସମ୍ପତି । ପରେ ଉଭୟ ପ୍ରତାପ ସାମଲ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ପ୍ରତାପ ହେଉଛନ୍ତି OPHWCର ଡେପୁଟି ମ୍ୟାନେଜର ।

ପୋଲିସ୍ ହାଉସିଂ କର୍ପୋରେସନରେ ଏକ ସରକାରୀ ଚାକିରି କରିଛନ୍ତି ପ୍ରତାପ । ହେଲେ ଅମାପ ସମ୍ପତ୍ତିର ମାଲିକ । ନିଜ ନାଁରେ କମ୍, ସ୍ତ୍ରୀ ଓ ପିଲାଙ୍କ ନାଁରେ ଲମ୍ବା ତାଲିକାର କୋଠା ଓ ପ୍ଲଟ୍ ରହିଛି । ଭୁବନେଶ୍ୱର-ଖୋର୍ଦ୍ଧା-ଭଦ୍ରକରେ ଠାବ ହୋଇଥିଲା ୨୨ଟି ପ୍ଲଟ ସାଙ୍ଗକୁ ୭ରୁ ଅଧିକ ମୂଲ୍ୟବାନ କୋଠା । ଖାଲି ସେତିକି ନୁହେଁ, ଭିଜିଲାନ୍ସ ଟିମକୁ ଦେଖି ପଡ଼ିଶା ଘର ଛାତକୁ ପ୍ରତାପ ଫିଙ୍ଗି ଦେଇଥିଲେ ୨୦ଲକ୍ଷ ଟଙ୍କା । ଏହି ୨୦ ଲକ୍ଷ ଟଙ୍କା ସହ ମୋଟ ୩୮ଲକ୍ଷ ଟଙ୍କା ତାଙ୍କ ଘରୁ ଜବତ ହୋଇଥିଲା ।