• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୟାଗଡ଼: ଗୁଣିଗାରେଡି ସନ୍ଦେହରେ ନିର୍ଯାତନା । ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଅଞ୍ଚଳର ଚଢ଼େୟାପଲ୍ଲୀ ଗାଁରେ ୪ ଜଣଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମଳ ଖୁଆଇବା ଭଳି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଗୁଣିଗାରେଡି ସନ୍ଦେହରେ ୪ ଦିନ ତଳେ ଏହି ନିର୍ଯାତନା ଦିଆଯାଇଥିବା ବାଣିଗୋଚ୍ଛା ଥାନାରେ ଲିଖିତ ଅଭିଯୋଗ ହୋଇଛି । କାଳେ କିଏ ଏହି ନିର୍ଯାତନା ବେଳର ଫଟୋ କି ଭିଡିଓ କରିବ ସେହି ଆଶଙ୍କାରେ ଗାଁର ବିଦ୍ୟୁତ ବିଚ୍ଛିନ୍ନ କରି ଅନ୍ଧାରରେ କଙ୍ଗାରୁ କୋର୍ଟ କରାଯାଇଥିବା ଜଣାପଡ଼ିଛି । ଏହା ସହ ଗାଁ ଭିତରକୁ ବାହାର ଲୋକ ପଶିବାକୁ ମଧ୍ୟ ବାରଣ କରାଯାଇଥିଲା । ଏନେଇ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅଭିଯୁକ୍ତ ମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିବା କହିଛନ୍ତି ବାଣିଗୋଚ୍ଛା ଥାନା ଅଧିକାରୀ । ସେପଟେ ପୁଣି ନିର୍ଯାତନା ଭୟରେ ଗାଁ ଛାଡିଛନ୍ତି ୪ ପରିବାର ।

ତେବେ ଦୁଇ ଦିନ ପୂର୍ବରୁ ଏମିତି ଏକ ଘଟଣା ପାଇଁ ୯ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଘଟଣାଟି ୨୦୧୬ ମସିହାରେ ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା କିତ୍ତୁମ୍‌ ଗାଁରେ ଘଟିଥିଲା । ଗୁଣି ଗାରେଡ଼ି ସନ୍ଦେହରୁ ପତି-ପତ୍ନୀ ଓ ଝିଅ, ୩ ଜଣଙ୍କୁ ବିଷ ଇଂଜେକ୍ସନ ଦେଇ ହତ୍ୟା କରିଥିଲେ ସେହି ଗାଁର ଲୋକ । ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା । ଏ ଜଘନ୍ୟ ହତ୍ୟାକାଣ୍ଡରେ ୨୦୧୯ରେ ୯ ଜଣ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଦେଇଥିଲେ ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଏହା ବିରୋଧରେ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ହେଲେ ହାଇକୋର୍ଟ ଏହି ମାମଲାକୁ ତଳକୋର୍ଟକୁ ପୁଣି ଥରେ ଶୁଣାଣି କରିବା ପାଇଁ ଦାୟିତ୍ୱ ଦେଇଥିଲେ । ଆଉ ଏହି ମାମଲାରେ ସବୁ ଦୋଷୀଙ୍କ ଫାଶି ଦଣ୍ଡାଦେଶକୁ କାଏମ ରଖିଛନ୍ତି ରାୟଗଡ଼ା ଜିଲ୍ଲା ଓ ଦୌରାଜଜ୍ କୋର୍ଟ ।

୫ ବର୍ଷ ତଳେ ଘଟିଥିଲା ଏଭଳି ବିଭତ୍ସ ଘଟଣା । ୯ ସେପ୍ଟେମ୍ବର ୨୦୧୬ କିତ୍ତୁମ୍‌ ଗାଁରେ ଜ୍ୱର ଓ ଝାଡ଼ାବାନ୍ତି ବ୍ୟାପିବାରୁ ଜଣକ ପରେ ଜଣକର ମୃତ୍ୟୁ ହେଉଥିଲା । ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ବଞ୍ଚୁଥିବା ଏ ଗାଁ ଲୋକେ ସେତେବେଳେ ଏ ଘଟଣା ପାଇଁ ଡାଆଣୀ ଓ ଗୁଣି ଗାରେଡ଼ି ସନ୍ଦେହ କରି ଆସିନ ଶବର, ତାଙ୍କ ପତ୍ନୀ ଆମ୍ବିଆ ସବର ଓ ଝିଅ ଆସ୍ମରୀଙ୍କୁ ଦାୟୀ କରିଥିଲେ । ତିନି ଜଣଙ୍କୁ ଗାଁ ଦାଣ୍ଡରେ ବାନ୍ଧି ନିସ୍ତୁକ ପିଟିବା ପରେ ଅତି ନୃଂଶସ ଭାବେ ସମସ୍ତଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିଲେ । ପରେ ମୃତଦେହକୁ ପୋଡ଼ି ଦେବା ସହ ପ୍ରମାଣ ନଷ୍ଟ ପାଇଁ ମାଟି ତଳେ ପୋତି ଦେଇଥିଲେ । ହେଲେ ଆସିନଙ୍କ ସାନ ଝିଅ ପୁଟା ସିଂ ଥାନାରେ ଏତଲା ଦେବା ପରେ ପୋଲିସ ଖୋଳତାଡ଼ କରି ଜଣେ ନାବାଳକ ସହ ୯ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।