• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରାଯାଇଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବାର ଅଭିଯୋଗ ଆଣି ବିରୋଧୀ ଦଳ ତାଙ୍କର ଇସ୍ତଫା ପାଇଁ ଅଡି ବସିଛନ୍ତି। ପୋଲିସର ତଦନ୍ତ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିରୋଧୀ ଦଳ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଧମକ ଦେଇଛନ୍ତି। ନଜର ପକାନ୍ତୁ, ଏବେ ସୁଦ୍ଧା ଘଟିଛି କଣ ?

  • ୮ ଅକ୍ଟୋବର ୨୦୨୧

ନିଖୋଜ ହୋଇଥିଲେ ଶିକ୍ଷୟତ୍ରୀ ମମିତା ମେହେର: କଳାହାଣ୍ଡି ମହାଲିଙ୍ଗ ସନସାଇନ ସ୍କୁଲର ପ୍ରତିଷ୍ଠାତା ଗୋବିନ୍ଦ ସାହୁ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଝରନୀ ଗାଁର ମମିତା ମେହେରଙ୍କୁ ଡକାଇଥିଲେ। ମମିତା ସ୍କୁଲର ଅଧ୍ୟକ୍ଷା ଥିଲେ। ସ୍କୁଲରେ କାମ ଅଛି କହି ସେ ତାଙ୍କୁ ଡକାଇଥିଲେ।

  • ୧୦ ଅକ୍ଟୋବର ୨୦୨୧

ଗୋବିନ୍ଦ ସାହୁ ସହ କଥାବାର୍ତ୍ତା: ସ୍କୁଲର ସଭାପତି ଗୋବିନ୍ଦ ସାହୁ ସହ କଥାବାର୍ତ୍ତା କରିଥିଲେ ମମିତାଙ୍କ ପରିବାର ଲୋକ । କିନ୍ତୁ କୌଣସି ସନ୍ତୋଷଜନକ ଉତ୍ତର ପାଇନଥିଲେ ।

  • ୧୧ ଅକ୍ଟୋବର ୨୦୨୧

ଏତଲା ରଖିଲାନି ପୋଲିସ: କଳାହାଣ୍ଡିର କେ.ଗାଁ ଥାନାରେ ମମିତାଙ୍କ ପରିବାର ପକ୍ଷରୁ ନିଖୋଜ ସଂପର୍କରେ ଦିଆଯାଇଥିଲା ଏତଲା। ପୋଲିସ ଏତଲା ଗ୍ରହଣ ନକରି ଫେରାଇ ଦେଇଥିଲା। 

  • ୧୨ ଅକ୍ଟୋବର ୨୦୨୧

ଅନ୍ୟ ଏକ ଥାନାରେ ଏତଲା: ବଲାଙ୍ଗୀର ତୁରେକେଲା ଥାନାରେ ମମିତାଙ୍କ ନିଖୋଜ ନେଇ ଥାନାରେ ଦିଆଯାଇଥିଲା ଏତଲା।

  • ୧୨ ଅକ୍ଟୋବର ୨୦୨୧:

ପଦାକୁ ଆସିଲା ଚାଞ୍ଚଲ୍ୟକର ଅଡିଓ: ମହାଲିଙ୍ଗ ସନସାଇନ୍ ଇଂଲିଶ ମିଡିୟମ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ଘଟଣାରେ ପଦାକୁ ଆସିଲା ଏକ ଚାଞ୍ଚଲ୍ୟକର ଅଡିଓ । ମିଳୁନଥିଲା ମମିତାଙ୍କ ସଂପର୍କରେ ସୁରାକ୍ । ମମିତାଙ୍କ ଜଣେ ସମ୍ପର୍କୀୟ ଭାଇ ଏହି ସ୍କୁଲର ଜଣେ ସହଯୋଗୀ ଶିକ୍ଷୟିତ୍ରୀଙ୍କ ସହ ଫୋନରେ କଥା ହେବାବେଳେ ମିଳିଲା ନୂଆ ତଥ୍ୟ । ପଦାକୁ ଆସିଥିଲା ଚାଞ୍ଚଲ୍ୟକର ଅଡିଓ । ମହାଲିଙ୍ଗ କଲେଜ ଓ ସନସାଇନ୍ ଇଂଲିଶ୍ ମିଡିୟମ ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କୁ ଖୋଲା ଚାଲେଞ୍ଜ ଦେଇଥିଲେ ମମିତା । କାରଣ ବି ସଫା ସଫା କହିଥିଲେ ସହଯୋଗୀ ଶିକ୍ଷୟିତ୍ରୀ ଜଣକ । ଗୋବିନ୍ଦ ସାହୁ କୁଆଡ଼େ ଶିକ୍ଷାନୁଷ୍ଠାନର କେତେଜଣ ଝିଅଙ୍କ ସହ ରଖୁଥିଲେ ଅନୈତିକ ସମ୍ପର୍କ। ଆଉ ଏହି ଗୁମରର ଖୁଲାସା କରିବାକୁ ଧମକ ଦେଇଥିଲେ ମମିତା।

  • ୧୩ ଅକ୍ଟୋବର ୨୦୨୧

ଅପହରଣ ନେଇ ଏତଲା: ଅଡିଓରୁ ମିଳିଥିଲା ସୁରାକ୍ । ଏଇଠି ଉଠିଥିଲା ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କ ନାମ। ଗୋବିନ୍ଦ ସାହୁଙ୍କ ଉପରକୁ ଅଙ୍ଗୁଳି ଉଠାଇ ସିନ୍ଧେକେଲା ଥାନାରେ ମମିତାଙ୍କ ଭାଇ ବଣ୍ଟି ମେହେର ମମିତାଙ୍କୁ ଅପହରଣ କରାଯାଇଥିବା ନେଇ ଏତଲା ଦେଇଥିଲେ।

  • ୧୬ ଅକ୍ଟୋବର ୨୦୨୧

ଥାନା ସମ୍ମୁଖରେ ବିକ୍ଷୋଭ: କେ.ଗାଁ ଥାନା ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଗୋବିନ୍ଦ ସାହୁଙ୍କୁ ଗିରଫ କରାଯିବା ପାଇଁ ଦାବି କରାଯାଇଥିଲା । ଘଟଣାର ବିଧିବଦ୍ଧ ତଦନ୍ତ ଦାବି କରାଯାଇଥିଲା।

  • ୧୭ ଅକ୍ଟୋବର ୨୦୨୧

ପୁଣି ବିକ୍ଷୋଭ: ବିଜେପି ପକ୍ଷରୁ କେ.ଗାଁ ଥାନା ଆଗରେ ବିକ୍ଷୋଭ କରାଯାଇଥିଲା । ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ କରି କଂଗ୍ରେସ ଇସ୍ତଫା ଦାବି କରିଥିଲା । ଗୋବିନ୍ଦ ସାହୁଙ୍କୁ ଗିରଫ କରାଯିବାକୁ ମଧ୍ୟ ଦାବି ହୋଇଥିଲା ।

ପୋଲିସ୍ ହେପାଜତରୁ ଚମ୍ପଟ ମାରିଲା ଗୋବିନ୍ଦ ସାହୁ: ପୋଲିସ ଗୋବିନ୍ଦ ସାହୁକୁ ଆଣି ଟିଟିଲାଗଡ ପୋଲିସ ବାରାକରେ ରଖି ପଚରାଉଚରା କରୁଥିଲା । ତେବେ ପୋଲିସ୍ ହେପାଜତରୁ ଚମ୍ପଟ ମାରିଥିଲା ଗୋବିନ୍ଦ ସାହୁ । ହାତ ଧୋଇବାକୁ ଯିବାକୁ କହି ସେ ଖସି ଯାଇଥିଲା। କର୍ତ୍ତବ୍ୟରେ ଅବହେଳା ପାଇଁ ଦାୟିତ୍ୱରେ ଥିବା ୩ ଜଣ ପୋଲିସ୍‌ କର୍ମଚାରୀଙ୍କୁ ସସ୍‌ପେଣ୍ଡ୍‌ କରାଯାଇଥିଲା।

ମମିତାଙ୍କ ବାପା ଆଣିଲେ ସେକ୍ସ ରାକେଟ ଅଭିଯୋଗ: ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲାରେ ତାଙ୍କ ବାପା ମୁହଁ ଖୋଲିଥିଲେ। ସିଧାସଳଖ ସେକ୍ସ ରାକେଟର ଅଭିଯୋଗ ଆଣିଥିଲେ। କଳାହାଣ୍ଡି ପୋଲିସ ଆଞ୍ଚଳିକ ମହାବିଦ୍ୟାଳୟର ଯୁକ୍ତ ଦୁଇ କଲେଜର ପ୍ରିନ୍ସିପାଲ ରଞ୍ଜିତ ସାହୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ଗୋବିନ୍ଦକୁ ଠାବ କରିବାକୁ ଉଦ୍ୟମ କରିଥିଲା ପୋଲିସ।

  • ୧୯ ଅକ୍ଟୋବର ୨୦୨୧

ଜବତ ହେଲା ବ୍ୟବହୃତ କାର୍: ଏହି ଘଟଣାରେ ସିନ୍ଧେକେଲା ପୋଲିସ ଦ୍ୱାରା ଏକ କାର୍ ଜବତ କରାଯାଇଥିଲା । ଜବତ କାର୍‌ଟି ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କ ନାଁରେ ଥିବା ଜଣାପଡିଥିଲା । ନିଖୋଜ ମମିତାଙ୍କୁ ନେବା ଆଣିବାରେ ଉକ୍ତ କାର୍ ବ୍ୟବହାର ହୋଇଥିଲା । ଏହି କାର୍ ଜବତ ହେବା ବେଳକୁ ଚମ୍ପଟ ମାରିଥିବା ଗୋବିନ୍ଦ ସାହୁର ପତ୍ତା ମିଳୁନଥିଲା ।

ମାଟିତଳୁ ଉଦ୍ଧାର ହେଲା ପୋଡା ମୃତଦେହ ଉଦ୍ଧାର: ମହାଲିଙ୍ଗସ୍ଥିତ ନିର୍ମାଣାଧୀନ ଷ୍ଟାଡିୟମରୁ ଏକ ମୃତଦେହ ଉଦ୍ଧାର ହୋଇଥିଲା। ମାଟି ଖୋଳିବା ପରେ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ଏହା ମମିତାଙ୍କ ମୃତଦେହ ବୋଲି ଜଣାପଡିଥିଲା। ମୃତଦେହ ନିକଟରୁ ସୁନା ଚେନ୍ ଓ ପାଉଁଜି ମିଳିଥିଲା

ମୁହଁ ନଖୋଲିବାକୁ କହିଥିଲା ପୋଲିସ୍‌: ମୁହଁ ନ ଖୋଲିବାକୁ ପରିବାର ଲୋକଙ୍କୁ କହିଥିଲା ପୋଲିସ। ମମିତା ମେହେରଙ୍କ ବଡ଼ବାପା ଏହି ଚାଞ୍ଚଲ୍ୟକର ବୟାନ ଦେଇଥିଲେ । ସେ କହିଛନ୍ତି ଯେ ୯ ତାରିଖରେ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲୁ। କିନ୍ତୁ ପୋଲିସ ମାମଲା ରଖି ନଥିଲା। ଏହା ପରେ ଆମେ ଗୋବିନ୍ଦ ସାହୁଙ୍କ ସହ ଯୋଗାଯୋଗ କରିଥିଲୁ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅଛନ୍ତି, କିଛି ଅସୁବିଧା ହେବନି ବୋଲି ସେ କହିଥିଲେ। ଏବେ ତଦନ୍ତରେ ସହଯୋଗ କରନ୍ତୁ, ମୁହଁ ଖୋଲନ୍ତୁନି ବୋଲି ପୋଲିସ କହିଥିଲା । ଝିଅ ଜୀବିତ ଥିବା ପୋଲିସ ଆଶ୍ୱାସନା ଦେଇଥିବା ମମିତାଙ୍କ ବଡ଼ବାପା କହିଥିଲେ।

ତେଜିଲା ମନ୍ତ୍ରୀଙ୍କ ଇସ୍ତଫା ଦାବି: ମହାଲିଙ୍ଗ ପବ୍ଲିକ୍ ସ୍କୁଲରେ ଦେହ ବ୍ୟବସାୟ ପରି ଗୁରୁତର ଅଭିଯୋଗ ଆଣିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ମମିତା ମେହେରଙ୍କ ବାପାଙ୍କ ସୂଚନା ଆଧାରରେ ଅଭିଯୋଗ କରିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ଏକ ପ୍ରେସମିଟ୍ କରି ସେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଥିଲେ । ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ସେ କହିଥିଲେ । ନୈତିକତା ଦୃଷ୍ଟିରୁ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

ଆଖୁ କିଆରିରୁ ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ: ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ ସାହୁ । ବଙ୍ଗମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁରୁ ସେ ଧରାପଡ଼ିଲା ଗୋବିନ୍ଦ ସାହୁ । ଏକ ଆଖୁବାଡ଼ିରେ ଲୁଚି ରହିଥିଲା ବେଳେ ଧରିଥିଲା ପୋଲିସ। ତାକୁ ଧରାଇଦେଲେ ଏକ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲା ପୋଲିସ୍ । ଚକମା ଦେଇ ପୋଲିସ ହାତରୁ ଖସିପଳାଇଥିଲା ଗୋବିନ୍ଦ।

ମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଅଣ୍ଡାମାଡ: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଅଭିଯୁକ୍ତ ଗୋବିନ୍ଦର ନିବିଡ଼ତା ପଦାକୁ ଆସିବା ପରେ କ୍ୟାପଟେନଙ୍କ ଇସ୍ତଫା ଦାବିକୁ ଜୋରଦାର୍ କରିଥିଲେ ବିରୋଧୀ। ଏପରିକି ଭୁବନେଶ୍ୱରରେ ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା ମାଡ଼ କରିଥିଲା ଛାତ୍ର କଂଗ୍ରେସ ।

  • ୨୦ ଅକ୍ଟୋବର ୨୦୨୧

୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ: ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ କଳାହାଣ୍ଡି ବନ୍ଦ ଡାକରା ଦେଇଥିଲା ବିଜେପି। ମାମଲାରେ କାର୍ଯ୍ୟାନୁଷ୍ଠାନ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଥିଲା ଜିଲ୍ଲା ବିଜେପି। ଏଥିସହ ଘଟଣାର CBI ତଦନ୍ତ କରି ଦୋଷୀଙ୍କୁ ଧରିବା ପାଇଁ ଦାବି କରାଯାଇଥିଲା। ଗୋବିନ୍ଦ ସାହୁକୁ ଗିରଫ ପରେ ଅଧିକ ପଚରାଉଚରା ପାଇଁ ବଲାଙ୍ଗିର ଆଣିଥିଲା ପୋଲିସ।

ମମିତାଙ୍କୁ ହତ୍ୟା କରିଥିବା ମାନିଲା ଗୋବିନ୍ଦ: ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ପୋଲିସ ନିକଟରେ ଅପରାଧ ସ୍ୱୀକାର କରିଥିଲା । ମମିତା ମେହେରଙ୍କୁ ହତ୍ୟା କରିଥିବା ଗୋବିନ୍ଦ ମାନିଥିଲା । ଗୋବିନ୍ଦ ସାହୁ ସମେତ ୪ ଜଣଙ୍କୁ ଅଟକ ରଖି ପୋଲିସର ଜେରା କରିଥିଲା । ପୋଲିସ ଘନ ଘନ ଜେରା କରିଥିଲା । ଗୋବିନ୍ଦଙ୍କ ସହଯୋଗୀ ରାଧେ, ଜେସିବି ଜ୍ରାଇଭର ଓ ଷ୍ଟାଡିୟମ ମୁନ୍‌ସିଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା । OD-08K-1002 ନମ୍ବର ବିଶିଷ୍ଚ କାର୍‌ରେ ହିଁ ମମିତାଙ୍କୁ ହତ୍ୟା କରାଯାଇଥିଲା । ଗୋବିନ୍ଦ କହିଥିଲା, ଗତ ୮ ତାରିଖରେ ମମିତାଙ୍କୁ କାର୍‌ରେ ନେଇ ଗୋବିନ୍ଦ ଆସିଥିଲା। କାର୍ ଭିତରେ ହିଁ ମମିତାଙ୍କ ସହ ଗୋବିନ୍ଦର ବଚସା ହୋଇଥିଲା। ବଚସା ପରେ କାର୍‌ରେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରିଥିଲା । ହତ୍ୟା ପରେ ୮ ତାରିଖ ବିଳମ୍ବିତ ରାତିରେ ମୃତଦେହକୁ ପୋତା ଯାଇଥିଲା ।

ସିବିଆଇ ତଦନ୍ତ ଦାବି କଲେ ସାଂସଦ ଅପରାଜିତା: ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ । ଏହା ରାଜନୈତିକ ପ୍ରୋତ୍ସାହନରେ ହତ୍ୟାକାଣ୍ଡ ହୋଇଥିବା ସେ କହିଥିଲେ । ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହେଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତ ହେଲେ ମମିତାଙ୍କୁ ନ୍ୟାୟ ମିଳିବନି ବୋଲି ଅପରାଜିତା କହିଥିଲେ। ସେ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ।

ଗୋବିନ୍ଦର ପରକୀୟା ସଂପର୍କ ମମିତାଙ୍କୁ ଜଣାଥିଲା: ପ୍ରେସମିଟ କରି ଘଟଣା ସଂପର୍କରେ ତଥ୍ୟ ଦେଇଥିଲେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର । ପୂର୍ବ ଯୋଜନା ଅନୁସାରେ ଗୋବିନ୍ଦ ହିଁ କାର୍ ଭିତରେ ହତ୍ୟା କରିଥିଲା। ଗତ ୮ ତାରିଖରେ ଭବାନୀପାଟଣାରୁ କେ.ଗାଁ ଫେରିବା ବେଳେ ମାରିଥିଲା। ଗୋବିନ୍ଦର ପରକୀୟା ସଂପର୍କ ନେଇ ମମିତା ଜାଣିଥିଲେ। ପରକୀୟା ପ୍ରୀତି ପ୍ରଘଟ ହେବା ଆଶଙ୍କାରେ ହତ୍ୟା କରିଥିଲା ଗୋବିନ୍ଦ । ହତ୍ୟା ପରେ ପୂର୍ବରୁ ପ୍ରସ୍ତୁତ ଗାତରେ ପକାଇ ପୋଡ଼ି ଦେଇଥିଲା। କାର୍ଡବୋର୍ଡ, ଟାୟାର ଆଦି ପକାଇ ମୃତଦେହକୁ ଜାଳି ଦେଇଥିଲା। ଘଟଣା ପରଦିନ ସକାଳେ ଉକ୍ତ ଗାତଟିକୁ ଗୋବିନ୍ଦ ପୋତି ଦେଇଥିଲା।

୫ ଦିନିଆ ରିମାଣ୍ଡ ମଞ୍ଜୁର: ଅଭିଯୁକ୍ତ ଗୋବିନ୍ଦ ସାହୁକୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ମଂଜୁର କରିଥିଲେ । ଗୋବିନ୍ଦକୁ ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରାଯାଇଥିଲା । ୭ ଦିନିଆ ରିମାଣ୍ଡ ପାଇଁ ପୋଲିସ ଆବେଦନ କରିଥିଲା । ହେଲେ କୋର୍ଟ ୫ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଥିଲେ ।

ସାରା ରାଜ୍ୟରେ ତେଜିଲା ଆନ୍ଦୋଳନ: ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବି କରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିରୋଧୀ ଦଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କୁ ଜାତୀୟ ମହିଳା କମିଶନଙ୍କ ଚିଠି: ମମିତା ହତ୍ୟା ମାମଲାରେ ନିଜ ଆଡୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ । ଏମିତିକି ମାମଲାର ନିରପେକ୍ଷ ତଦନ୍ତ ପାଇଁ ସଂପୃକ୍ତି ଅଭିଯୋଗ ଆସୁଥିବା ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ NCW ଅଧ୍ୟକ୍ଷା ରେଖା ଶର୍ମା । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମାମଲା ଉପରେ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରିବା ପାଇଁ ମଧ୍ୟ ଚିଠିରେ ଲେଖିଥିଲେ ।

  • ୨୧ ଅକ୍ଟୋବର ୨୦୨୧

ବିଜେପିର ବଲାଙ୍ଗିର ବନ୍ଦ: ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ କରାଯାଇଥିବା ବେଳେ ବଲାଙ୍ଗିର, କଟକ ଓ ଭୁବନେଶ୍ୱରରେ ଦଳ ବିକ୍ଷୋଭ କରିଥିଲା । ଭବାନୀପାଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଘର ଉପରକୁ ମହିଳା ମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ କରାଯାଇଥିଲା । ସେହିପରି ନବୀନ ନିବାସ ସମ୍ମୁଖରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଯୁବ କଂଗ୍ରେସ ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଥିଲା ।

ଗୁମର ଖୋଲିଥିଲା ଗୋବିନ୍ଦ, କାହିଁକି କରିଥିଲା ହତ୍ୟା: ସବୁ କଥା ପୋଲିସ୍ ଆଗରେ ସ୍ୱୀକାର କରିଥିଲା ଅଭିଯୁକ୍ତ ଗୋବିନ୍ଦ। ବିଚ୍ ରାସ୍ତାରେ କାର୍ ଭିତରେ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା। ଗାଡ଼ି ଭିତରେ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହକୁ ନଷ୍ଟ କରାଯାଇଥିଲା

ଗତ ୮ ତାରିଖ ଦିନ ଭବାନୀପାଟଣାରେ ଶପିଂ କରାଇବା ପରେ ଗୋବିନ୍ଦ ମର୍ଡର ପାଇଁ ପ୍ଲାନ୍ ପ୍ରସ୍ତୁତ କରିଥିଲା। ତାଙ୍କ ସମ୍ପର୍କରେ ମମିତା ଏପରି କିଛି ଗୁମର ଜାଣିଥିଲେ ଯାହାକୁ ନେଇ ଗୋବିନ୍ଦ ଡରି ଯାଇଥିଲେ। କାହାକୁ ନ କହିବା ପାଇଁ ମମିତାଙ୍କୁ ସେ ଗୁହାରି କରିଥିଲା। ଏପରିକି ମାଣିକେଶ୍ୱରୀଙ୍କ ମନ୍ଦିର ଯାଇ ଶପଥ କରି ଗୁମର ପ୍ରଘଟ ନ କରିବାକୁ ମଧ୍ୟ ଗୋବିନ୍ଦ ନେହୁରା ହୋଇଥିଲେ। ହେଲେ ଏଥିରେ ମମିତା ରାଜି ହୋଇନଥିଲେ। ଆଉ ଏଥିରେ ଉତ୍‌କ୍ଷିପ୍ତ ହୋଇ କାର୍ ପଛ ସିଟ୍‌ରେ ମମିତାଙ୍କୁ ତଣ୍ଟି ଚିପି ମାରିଥିଲା ଗୋବିନ୍ଦ। ପରେ ମୃତଦେହକୁ ନଷ୍ଟ କରିବାକୁ ସେ ପ୍ଲାନିଂ କରିଥିଲେ।

ମହାଲିଙ୍ଗ ଷ୍ଟାଡିୟମ୍‌ରେ ଗାତ ଖୋଳିବାକୁ ନିଜର ନିକଟତର ସହଯୋଗୀ ରାଧେକୁ ଗୋବିନ୍ଦ କହିଥିଲା। ମୁନସୀକୁ କହି କାଡ୍‌ବୋର୍ଡ ପ୍ରସ୍ତୁତ ରଖା ଯାଇଥିଲା। ଗାତରେ ପାଣି ଜମିବାରୁ କାଡବୋର୍ଡ ପକାଇବା ପରେ ମୃତଦେହ ରଖା ଯାଇଥିଲା। ଏହା ଉପରେ କାଠ, ଟାୟାର ପକାଇ ଗୋବିନ୍ଦ ଜାଳି ଦେଇଥିଲା।

ହାଇକୋର୍ଟରେ ସିବିଆଇ ତଦନ୍ତ ପାଇଁ ପ୍ରାର୍ଥନା: ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ପ୍ରାର୍ଥନା କରି ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା। ଏହାସହ ପୀଡ଼ିତାଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ପାଇଁ ମଧ୍ୟ ପ୍ରାର୍ଥନା କରାଯାଇଥିଲା । ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀଙ୍କ ନାଁ ଏଥିରେ ଆସୁଥିବାରୁ ପୋଲିସ ଦ୍ୱାରା ନିରପେକ୍ଷ ତଦନ୍ତ ସମ୍ଭବ ନୁହେଁ ବୋଲି ଦର୍ଶାଯାଇଥିଲା ।

ଅନ୍ୟତମ ଅଭିଯୁକ୍ତ ରାଧେ ଗିରଫ: ଏହି ଘଟଣାରେ ଅନ୍ୟତମ ଅଭିଯୁକ୍ତ ରାଧେ ଗିରଫ ହୋଇଥିଲା । ମମିତାଙ୍କ ମୃତଦେହ ମିଳିଥିବା ସ୍ଥାନକୁ ପୁଣି ଥରେ ପୋଲିସ୍ ଟିମ୍ ଯାଇ ଅନୁଧ୍ୟାନ କରିଥିଲା। ମେଟାଲ୍‌ ଡିଟେକ୍ଟର ନେଇ ଯାଞ୍ଚ କରାଯାଇଥିଲା । ମାଟି ତଳେ ମୋବାଇଲ୍ ଥିବା ସନ୍ଦେହରେ ଛାନ୍‌ଭିନ୍‌ କରାଯାଇଥିଲା। ଗୋବିନ୍ଦ ସାହୁର ସହଯୋଗୀ ରାଧେକୁ ଗିରଫ ପରେ ବଲାଙ୍ଗିର ପୋଲିସ କୋର୍ଟ ଚାଲାଣ କରିଥିଲା।

ଥାନା ଅଧିକାରୀ ସସପେଣ୍ଡ: କେ.ଗାଁ ଥାନା ଅଧିକାରୀ ଡମୁ ପରିଜା ସସ୍‌ପେଣ୍ଡ । ଦାୟିତ୍ୱରେ ଅବହେଳା ପାଇଁ ଥାନା ଅଧିକାରୀଙ୍କୁ ସସ୍‌ପେଣ୍ଡ କରିଦିଆଯାଇଥିଲା। ଏନେଇ କଳାହାଣ୍ଡି ଏସ୍‌ପି ଶ୍ରବଣା ବିବେକଙ୍କ ସୂଚନା ଦେଇଥିଲେ । ଅନ୍ୟପଟେ ଏହି ମାମଲାରେ ଅଧିକ ତଦନ୍ତ ପାଇଁ ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗିର ଏସ୍‌ପି ସନସାଇନ ସ୍କୁଲ ହଷ୍ଟେଲରେ ପହଞ୍ଚିଥିଲେ । ହଷ୍ଟେଲର ତାଲା ଭାଙ୍ଗି ପୋଲିସ ଭିତରେ ପଶିଥିଲା । ତାଲା ଭାଙ୍ଗିବା ବେଳେ କ୍ୟାମେରାକୁ ସାଙ୍ଗରେ ନେଇଥିଲା ପୋଲିସ । ଖାଲି ସେତିକି ନୁହେଁ ସାଥିରେ ସ୍କୁଲ ଓ କଲେଜର ୨ ଜଣ ଷ୍ଟାଫ୍ ମଧ୍ୟ ଉପସ୍ଥିତ ଥିଲେ । ଉକ୍ତ ହଷ୍ଟେଲ ଭିତରେ ଏକ ସିକ୍ରେଟ ରୁମ୍ ଥିବା ଚର୍ଚ୍ଚା ହୋଇଥିଲା ।

ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲା ବିଜେପି: ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲା ବିଜେପି । କମିଶନଙ୍କ ହସ୍ତକ୍ଷେପ ଦାବି କରି ବିଜେପି ମାନବାଧିକାର କମିଶନଙ୍କୁ ଭେଟି ଆଲୋଚନା କରିଥିଲା । ପୋଲିସ ନିଜ ବିଭାଗର ମନ୍ତ୍ରୀଙ୍କୁ ଖସାଇବାକୁ ଚେଷ୍ଟା କରୁଛି ବୋଲି କହି ସରକାରଙ୍କୁ ଟାର୍ଗେଟ କରିଥିଲେ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

ମନ୍ତ୍ରୀଙ୍କ ସଂପୃକ୍ତି ଥିବା କହିଲେ କଂଗ୍ରେସ ନେତା ଭକ୍ତ ଦାସ: ଘଟଣାରେ ସିଧାସଳଖ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିଥିଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ । ସେ ପ୍ରଶ୍ନ କରିଥିଲେ, ମମିତାଙ୍କୁ କେବଳ ଗୋବିନ୍ଦ ସାହୁ ହତ୍ୟା କରିଥିଲା ନା ଏତେ ବଡ଼ କାଣ୍ଡରେ ଆଉ କିଏ ସଂପୃକ୍ତ ଅଛନ୍ତି ? ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରଚ୍ଛନ୍ନ ହାତ ରହିଛି ବୋଲି ସେ କହିଥିଲେ । ଯଦି ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ, ତେବେ ସରକାର ଅଧିକ ଅପଦସ୍ତ ହେବେ ବୋଲି କହିଥିଲେ ଭକ୍ତ ଦାସ ।

  • ୨୨ ଅକ୍ଟୋବର ୨୦୨୧

ଡେମୋ ଦେଖାଇଲା ଗୋବିନ୍ଦ: ମହାଲିଙ୍ଗ ଷ୍ଟାଡିୟମ୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ। ଭୋର ୪ଟାରେ ମହାଲିଙ୍ଗ ଷ୍ଟାଡିୟମ୍‌ରେ ପୋଲିସ୍ ଗୋବିନ୍ଦକୁ ନେଇ ସିନ୍ ରିକ୍ରିଏସନ୍ କରାଇଥିଲା । ଷ୍ଟାଡିୟମ୍‌ରେ ପ୍ରାୟ ୧୦ରୁ ୧୫ ମିନିଟ୍ ଧରି ଗୋବିନ୍ଦ ଡେମୋ ଦେଖାଇଥିଲା।

ରାଧେ ଘରୁ ମିଳିଲା ମୋବାଇଲ୍‌: ଅନ୍ୟତମ ଅଭିଯୁକ୍ତ ରାଧେର ଘର ଖଟ ତଳେ ଥିବା ବ୍ୟାଗକୁ ରାଧେର ସ୍ତ୍ରୀ ପୋଲିସ୍‌କୁ ଦେଇଥିଲେ । ୩ ହଳ ମହିଳା ଡ୍ରେସ୍, ଗୋଟିଏ ମୋବାଇଲ, ମୋବାଇଲ ଚାର୍ଜର ଓ କିଛି ଔଷଧ ଏହି ବ୍ୟାଗ୍‌ରୁ ମିଳିଥିଲା । ମୋବାଇଲ୍‌ଟି ମମିତାଙ୍କର ହୋଇଥିବା ସନ୍ଦେହ କରାଯାଉଥିଲା । ମୋବାଇଲଟି ମମିତାଙ୍କର ନା ଆଉ କାହାର ତାହା ଜଣାପଡ଼ି ନଥିଲା । ରାଧେର ସ୍ତ୍ରୀ କହିଥିଲେ, ତାଙ୍କ ସ୍ୱାମୀକୁ ଫସାଇ ଦିଆଯାଇଛି।

କ୍ୟାପିଟାଲ ଥାନାରେ ଧସେଇ ପସିଲେ ବିଜେପି ମହିଳା କର୍ମୀ: ମମିତା ମେହେର ହତ୍ୟା ମାମଲାକୁ ନେଇ ଭୁବନେଶ୍ୱରରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରାଯାଇଥିଲା। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଏତଲା ଦେବାକୁ ମହିଳା ମୋର୍ଚ୍ଚାର ନେତ୍ରୀମାନେ କ୍ୟାପିଟାଲ ଥାନା ଭିତରକୁ ଯାଇଥିଲେ। ଏହି ସମୟରେ ପୋଲିସ ଅଟକାଇବା ବେଳେ ଥାନା ଭିତରକୁ ଧସେଇ ପଶି ନାରାବାଜି କରିଥିଲେ ବିଜେପି ମହିଳା ମୋର୍ଚ୍ଚାର ଶତାଧିକ କର୍ମକର୍ତ୍ତା।

ବୈଜୟନ୍ତ ପଣ୍ଡା କହିଲେ ନବୀନ ନିଦାବିଷ୍ଣୁ ସାଜିଛନ୍ତି: ଏହି ପ୍ରସଙ୍ଗରେ ଟ୍ୱିଟ୍ ଯୋଗେ ପ୍ରତିକ୍ରିୟା ରଖିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ ଲେଖିଥିଲେ, ଜଣେ ମହିଳାଙ୍କୁ ହତ୍ୟା କରାଗଲା, ଯୁବତୀମାନଙ୍କୁ ଶୋଷଣ କରାଯାଇଥିବାର ଅଭିଯୋଗ ରହିଛି। ଏହାକୁ ନେଇ ରାଜ୍ୟରେ ନିଆଁ ଜଳୁଛି, କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀଙ୍କୁ ବାଦ ଦେବାକୁ ମନା କରୁଛନ୍ତି। ଏସବୁ ପଢ଼ି କାନ୍ଦିବା ଛଡ଼ା ଆଉ କିଛି ଉପାୟ ନାହିଁ।

  • ୨୩ ଅକ୍ଟୋବର ୨୦୨୧

ସସ୍‌ପେନ୍ସ ବଢ଼ାଇଲା ଲେଡିଜ ହଷ୍ଟେଲର ରୁମ୍ ନଂ ୨୦: ମହାଲିଙ୍ଗ କଲେଜ ଲେଡିଜ ହଷ୍ଟେଲର ରୁମ୍ ନମ୍ବର ୨୦କୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଯୁକ୍ତ ୩ର ଲେଡିଜ୍ ହଷ୍ଟେଲର ଏହି ରୁମ୍‌ ନଂ ୨୦ରେ ଏକ ଭିନ୍ନ ତାଲା ପଡ଼ିଥିଲା । ଚାବି କେଉଁଠି ଅଛି ବୋଲି ପଚାରିବାରୁ ହଷ୍ଟେଲର ଓ୍ୱାର୍ଡେନ ବିଚଳିତ ହୋଇପଡ଼ିଥିଲେ । ଘଟଣା ଘଟିବା ପରେ ଅଭିଯୁକ୍ତ ଗୋବିନ୍ଦ ସାହୁ ୮ ତାରିଖରୁ ୧୩ ତାରିଖ ମଧ୍ୟରେ ଏହି ରୁମ୍ ନମ୍ବର ୨୦କୁ ବାରମ୍ବାର ଆସିଥିବା ଚର୍ଚ୍ଚା ହୋଇଥିଲା ।

ଗୋବିନ୍ଦକୁ ଫାଶୀ ଦିଆଯାଉ ଦାବି: ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ବଲାଙ୍ଗିର ତୁରେକେଲା ଝରଣୀ ଗାଁକୁ ଯାଇ ମମିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ଘଟଣା ପାଇଁ ଦୁଃଖ ପ୍ରକାଶ ଓ ସମବେଦନା ଜଣାଇଥିଲେ ମହିଳା କମିଶନ ଅଧ୍ୟକ୍ଷା। ତେବେ ଦୋଷୀ ଯେପରି କଠୋର ଦଣ୍ଡ ପାଇବ ସେ ବିଷୟରେ କଥା ହୋଇଥିଲେ। ଗୋବିନ୍ଦକୁ ଫାଶୀ ଦିଆଯାଉ ବୋଲି ମମିତାଙ୍କ ବାପା ତାଙ୍କ ନିକଟରେ ଦାବି କରିଥିଲେ । କମିଶନ ଅଧ୍ୟକ୍ଷା ଘଟଣାସ୍ଥଳ ମଧ୍ୟ ବୁଲି ଦେଖିଥିଲେ ।

ରାଧେ ସ୍ତ୍ରୀ ଦେଇଥିବା ବ୍ୟାଗ୍‌ ମମିତାଙ୍କର ନୁହେଁ: ଅଭିଯୁକ୍ତ ରାଧେର ସ୍ତ୍ରୀ ଦେଇଥିବା ବ୍ୟାଗ ମମିତାଙ୍କର ନୁହେଁ ବୋଲି ପୋଲିସ କହିଥିଲା । ମମିତାଙ୍କ ପରିବାର ଲୋକଙ୍କୁ ସୁନା ଚେନ୍ ଓ ପାଉଁଜିକୁ ହସ୍ତାନ୍ତର କରାଯାଇଥିଲା। ମହାଲିଙ୍ଗ ଷ୍ଟାଡିୟମ୍‌ରେ ମମିତାଙ୍କ ମୃତଦେହ ପୋତା ଯାଇଥିବା ସ୍ଥାନରୁ ମିଳିଥିଲା ପାଉଁଜି ଓ ସୁନା ଚେନ । ପରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟିଥିଲେ ମମିତାଙ୍କ ବାପା, ମାଆ। ମନୋହରପୁର ରିଜର୍ଭରେ ଉତ୍ତରାଞ୍ଚଳ ଡିଆଇଜି ଓ ଏସ୍ପିଙ୍କ ସହ ଆଲୋଚନା କରିଥିଲେ।

ମୁଖ୍ୟମନ୍ତ୍ରୀ ଦ୍ୱନ୍ଦ୍ୱରେ ଥିବା କହିଲା କଂଗ୍ରେସ: ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ । ସେ ଅଭିଯୋଗ କରିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେଉଛନ୍ତି । ଦିବ୍ୟଶଙ୍କରଙ୍କୁ ନେଇ ଏବେ ମୁଖ୍ୟମନ୍ତ୍ରୀ ଦ୍ୱନ୍ଦ୍ୱରେ ରହିଛନ୍ତି । ଏଥିପାଇଁ ମଞ୍ଚରେ ତାଙ୍କୁ ପାଖରେ ବସିବାକୁ ଦେଇନାହାନ୍ତି । ଏପରିକି ଏହି ଦ୍ୱନ୍ଦ୍ୱ କାରଣରୁ ବାରିପଦା ଗସ୍ତବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ସାଥିରେ ମଧ୍ୟ ନେଇ ନାହାନ୍ତି ।

ସିପିଆଇ, ସିପିଏମ୍, ସିପିଆଇଏମ୍ଏଲ୍ ଓ ଏଆଇଏଫ୍‌ବି ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଇଥିଲା । ଭୁବନେଶ୍ୱର ପିଏମ୍‌ଜି ଛକରେ ଦଳ ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଥିଲା । ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତିମଣ୍ଡଳରୁ ବହିଷ୍କାର ଦାବି କରିଥିଲା ବାମଦଳ । ଏହାସହ ମମିତାଙ୍କ ପରିବାରଙ୍କୁ ଏକ କୋଟି ଟଙ୍କା ଆର୍ଥିକ ସହାୟତା ଦେବାକୁ ବାମଦଳ ଦାବି କରାଯାଇଥିଲା ।

ଭୁବନେଶ୍ୱରରେ ବିଜେପି ମହିଳା କର୍ମୀ-ପୋଲିସ ମୁହାଁମୁହିଁ: ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱରରେ ଜୋରଦାର ବିକ୍ଷୋଭ କରାଯାଇଥିଲା । ବିଜେପି ମହିଳା ମୋର୍ଚ୍ଚା କର୍ମୀମାନେ କୋକେଇ ଶୋଭାଯାତ୍ରା କରିଥିଲେ। ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଏହି କୋକେଇ ଶୋଭାଯାତ୍ରା ବାହାରି ନବୀନ ନିବାସ ଅଭିମୁଖେ ଯାତ୍ରା କରୁଥିଲା। ତେବେ ଶିଶୁ ଭବନ ଛକରେ ପୋଲିସ୍‌ ବିଜେପି କର୍ମୀଙ୍କୁ ଅଟକାଇଥିଲା। ଏହି ସମୟରେ ଶିଶୁ ଭବନ ଛକରେ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଓ ପୋଲିସ ଧସ୍ତାଧସ୍ତି ହୋଇଥିଲେ। ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପରେଖ ଦିଆଯାଉଛି ବୋଲି ଶାସକ ଦଳ ବିଜେଡି କହିଥିଲା । ବିଜେପି ମହିଳା ମୋର୍ଚ୍ଚା ଶସ୍ତା ରାଜନୀତି କରୁଥିବା ବିଜେଡି କହିଥିଲା ।

  • ୨୪ ଅକ୍ଟୋବର ୨୦୨୧

ବିଜୟ ମହାପାତ୍ର କହିଲେ ସିଲ୍‌ କଭର୍‌ର ସିକ୍ରେଟ୍‌ ମୁଖ୍ୟମନ୍ତ୍ରୀଙ୍କୁ ଅଜଣା: ଛତିଶଗଡ଼ ରାୟପୁରରେ ଥିବା ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଘରେ ହୋଇଥିଲା ଏକ ବୁଝାମଣା ବୈଠକ। ହତ୍ୟାକାଣ୍ଡର କିଛି ଦିନ ପୂର୍ବରୁ ଗୋବିନ୍ଦ ଓ ମମିତାଙ୍କ ମଧ୍ୟରେ କଂପ୍ରମାଇଜ୍ ଲାଗି କୁଆଡେ ଉଦ୍ୟମ କରିଥିଲେ ମନ୍ତ୍ରୀ ଦିବ୍ୟଶଙ୍କର । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହପାତ୍ର। ପୋଲିସକୁ ମିଳିଥିବା ମନ୍ତ୍ରୀଙ୍କ କିଛି କଲ୍ ରେକର୍ଡରୁ ଏହା ସ୍ପଷ୍ଟ ହୋଇଛି ଏବଂ ଏହି ରିପୋର୍ଟକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦିଆଯାଇଛି ବୋଲି କହିଛନ୍ତି ବିଜୟ। ତେବେ କଲ୍ ରେକର୍ଡ ରିପୋର୍ଟକୁ ଅଣଓଡ଼ିଆ ଅଫିସର୍ ଲୁଚେଇ ରଖିଥିବା ସେ ଅଭିଯୋଗ କରିଛନ୍ତି । ଏହାସହ କାହିଁକି ପୋଲିସ୍ ଗୋବିନ୍ଦର ଜୁଡିସିଆଲ କନଫେସନ୍ ଓ ଟିଆଇ ପରେଡ୍ କରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ମମିତାଙ୍କ ଗାଁରେ ମହିଳା କଂଗ୍ରେସ ଜାତୀୟ ସଭାନେତ୍ରୀ: ଜାତୀୟ ମହିଳା କଂଗ୍ରେସ୍ ସଭାନେତ୍ରୀ ନୀତା ଡିସୁଜା ମମିତାଙ୍କ ଗାଁରେ ଏକ ପ୍ରତିବାଦ ଶୋଭାଯାତ୍ରା କରି ନ୍ୟାୟ ଦାବି କରିଥିଲେ। ସେ ମମିତାଙ୍କ ପରିବାର ସହ ସେ ପ୍ରାୟ ଘଣ୍ଟାଏ ଧରି ଆଲୋଚନା କରିଥିଲେ।