• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • NCRB ରିପୋର୍ଟ କହୁଛି, ମହାମାରୀ ସମୟରେ ଢେର୍ ବଢ଼ିଛି ପାରିବାରିକ ହିଂସାଜନିତ ହତ୍ୟାକାଣ୍ଡ ।

  • ବେରୋଜଗାରୀ ଓ ମାନସିକ ଚାପ ଲୋକଙ୍କୁ କରିଦେଇଛି ଅମାନୁଷିକ ।

  • କେବଳ ୨୦୨୦ରେ ପାରିବାରିକ ବିବାଦରୁ ରାଜ୍ୟରେ ଘଟିଛି ୨୭୪ ହତ୍ୟାକାଣ୍ଡ ।

ଝାରସୁଗୁଡ଼ା ବ୍ରଜରାଜନଗରରେ ମାଆ ଓ ଦୁଇ ଝିଅଙ୍କ ସନ୍ଦେହଜନକ ମୃତ୍ୟୁ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଛି । ସ୍ୱାମୀ ନିଜ ପତ୍ନୀ ଓ ଦୁଇ ଛୁଆଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି । କେବଳ ଏ ଗୋଟିଏ ଘଟଣା ନୁହେଁ, ସଦ୍ୟତମ NCRB ରିପୋର୍ଟ କହୁଛି, ମହାମାରୀ ସମୟରେ ଢେର୍ ବଢ଼ିଛି ପାରିବାରିକ ହିଂସାଜନିତ ହତ୍ୟାକାଣ୍ଡ । ବେରୋଜଗାରୀ ଓ ମାନସିକ ଚାପ ଲୋକଙ୍କୁ କରିଦେଇଛି ଅମାନୁଷିକ । କେବଳ ୨୦୨୦ରେ ପାରିବାରିକ ବିବାଦରୁ ରାଜ୍ୟରେ ଘଟିଛି ୨୭୪ ହତ୍ୟାକାଣ୍ଡ ।

ତେବେ ଏଠାରେ ଘର ଭିତରୁ ଉଦ୍ଧାର ହୋଇଛି ମାଆ ସହ ୨ କୋମଳମତି ଝିଅଙ୍କ ମୃତଦେହ । ଝାରସୁଗୁଡ଼ା ବ୍ରଜରାଜନଗର ଫାଟକପଡ଼ାର ଏ ସନ୍ଦେହଜନକ ଟ୍ରିପଲ ମର୍ଡର ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି । ଶ୍ୱଶୁର ଘର ଲୋକଙ୍କ ସହ ବାରମ୍ବାର କଳହରୁ ଏ କରୁଣ ପରିଣତି ବୋଲି ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାର ଲୋକେ। ପୋଲିସ୍ କହିଛି, ଯଦିଓ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନି, ପାରିବାରିକ ବିବାଦରୁ ଘରର କୌଣସି ସଦସ୍ୟ ଏହା ଘଟାଇଥାଇ ପାରନ୍ତି । ମହିଳାଙ୍କ ସ୍ୱାମୀ ଏବେ ଫେରାର ଅଛନ୍ତି ।

ସେହିଭଳି ମଙ୍ଗଳବାର ପାରିବାରିକ ବିବାଦର ଆଉ ଏକ କରୁଣ ଚିତ୍ର ଆସିଥିଲା ଭୁବନେଶ୍ୱର ଡମଣା ମଣ୍ଡପ ବସ୍ତିରୁ । ଏଠାରେ ନିଜ ସ୍ୱାମୀଙ୍କୁ ହତ୍ୟା ପରେ ଘଟଣାକୁ ଲୁଚାଇବା ପାଇଁ ଶବ ପାଖରେ ପତ୍ନୀ ଦୁଇ ରାତି ବିତାଇଥିଲା । ଆଉ ଏଭଳି ଖବର ସମସ୍ତଙ୍କୁ ଚମକାଇଦେଇଥିଲା । ପୋଲିସର ପ୍ରାଥମିକ ତଦନ୍ତ କହୁଛି, ଉଭୟେ ନିଶା ଚୁର୍ ହେବା ପରେ ପରସ୍ପର ପିଟାମରା ହୋଇଥିଲେ । ଯେଉଁଥିରେ ସ୍ୱାମୀର ଜୀବନ ଚାଲି ଯାଇଥିଲା ।

ନ୍ୟାସନାଲ କ୍ରାଇମ୍ ରେକର୍ଡସ ବ୍ୟୁରୋ ବା NCRBର ସଦ୍ୟତମ ରିପୋର୍ଟ କହୁଛି, ଗତ ବର୍ଷ ରାଜ୍ୟରେ ୧୩୬ ଗୁଣା ବଢ଼ିଛି ପାରିବାରିକ ବିବାଦ ଜନିତ ହତ୍ୟାକାଣ୍ଡ । ୨୦୧୯ରେ ରାଜ୍ୟରେ ପାରିବାରିକ ବିବାଦରୁ ଘଟିଥିଲା ୨ଟି ହତ୍ୟାକାଣ୍ଡ । କିନ୍ତୁ ୨୦୨୦ରେ ଏ ସଂଖ୍ୟା ୨୭୪ରେ ପହଞ୍ଚିଛି । ବିଶେଷଜ୍ଞଙ୍କ ମତ, ପାରିବାରିକ ବିବାଦ ଜନିତ ହତ୍ୟାକାଣ୍ଡ ବୃଦ୍ଧି ପଛରେ ଏକ ମୁଖ୍ୟ କାରଣ ହେଲା କରୋନା ମହାମାରୀର ଗୃହବନ୍ଦୀ ଜୀବନ ଓ ଏ ଜନିତ ମାନସିକ ଚାପ ପରିବାର ଭିତରେ ଏଭଳି ହୀନ କାର୍ଯ୍ୟକୁ ଅଧିକ ପ୍ରୋତ୍ସାହିତ କରିଛି । ଏବେକାର ଆଧୁନିକ ଲାଇଫ୍‌ଷ୍ଟାଇଲ ଓ ଇଣ୍ଟରନେଟ୍‌ରେ ଅପରାଧର ନୂଆ ତରିକା ମଧ୍ୟ ଏଭଳି ଅପରାଧ ବୃଦ୍ଧିକୁ ଖୋରାକ ଯୋଗାଉଛି ।

NCRB ରିପୋର୍ଟ କହୁଛି, ୨୦୨୦ରେ କେବଳ ପାରିବାରିକ ବିବାଦ ଜନିତ ହତ୍ୟାକାଣ୍ଡ ନୁହେଁ, ସମ୍ପତ୍ତି ବା ଜମି ବିବାଦ ଜନିତ ହତ୍ୟାକାଣ୍ଡ ବି ଢେର୍ ବଢ଼ିଯାଇଛି । ୨୦୧୯ରେ ସମ୍ପତ୍ତି ଓ ଜମି ବିବାଦରୁ ୫୮ଟି ହତ୍ୟାକାଣ୍ଡ ଘଟିଥିଲା ବେଳେ ୨୦୨୦ରେ ଏହା ୧୧୩ରେ ପହଞ୍ଚିଛି ।