• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବୁର୍ଲା: ଭିସୁଟର ଜଣେ ଛାତ୍ରଙ୍କୁ ମାଡ଼ ମରା ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ । ୨ ଜଣ ଛାତ୍ରଙ୍କୁ ୨ ବର୍ଷ ଲେଖାଏଁ ଓ ଅନ୍ୟ ୧୦ ଛାତ୍ରଙ୍କୁ ବର୍ଷେ ଲେଖାଏଁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯାଇଛି । କାର୍ଯ୍ୟାନୁଷ୍ଠାନ ଅବଧି ସରିବା ପରେ ମଧ୍ୟ ଏଭଳି ବେଆଇନ କାମ କରିବେ ନାହିଁ ବୋଲି ଅଣ୍ଡରଟେକିଂ ଲେଖିବା ପାଇଁ ସଂପୃକ୍ତଙ୍କୁ କୁହାଯାଇଛି ।

ଗତ ୨୨ ତାରିଖ ରାତିରେ ଭିସୁଟ ପୁଲହ ହଷ୍ଟେଲର ଜଣେ ତୃତୀୟ ବର୍ଷର ଛାତ୍ରଙ୍କୁ ଆଉ କିଛି ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ମାଡ଼ ଖାଇଥିବା ଛାତ୍ରଙ୍କ ମୁହଁ, ପିଠି, ହାତରେ ଗଭୀର ଆଘାତ ଲାଗିଥିଲା । ଏହାର ତଦନ୍ତ ପାଇଁ ବସିଥିଲା ଶୃଙ୍ଖଳା କମିଟି ବୈଠକ । ସମସ୍ତଙ୍କୁ ପଚରାଉଚରା ପରେ ଅଭିଯୋଗ ସତ ବୋଲି ଜଣାପଡ଼ିଥିଲା । ଶୃଙ୍ଖଳା କମିଟିର ରିପୋର୍ଟରେ କୁହାଯାଇଛି, ବ୍ୟକ୍ତିଗତ ଆକ୍ରୋଶ ଓ ପୂର୍ବ ଶତ୍ରୁତାକୁ ନେଇ ଛାତ୍ରଙ୍କୁ ମାଡ଼ ମରାଯାଇଥିଲା ।

ତେବେ କିଛି ଦିନର ଅନ୍ତର ପରେ ପୁଣି ଭିସୁଟ୍‌ରେ ଏପରି ଘଟଣା ଘଟିଥିବା ସାମ୍ନାକୁ ଆସିଛି । ପୂର୍ବରୁ ରାଗିଂର ଦୁଇଟି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା । ଭାଇରାଲ ଭିଡ଼ିଓ ମଧ୍ୟରୁ ଗୋଟିକରେ ୫୦ରୁ ଅଧିକ ଛାତ୍ରଙ୍କୁ ୧୦୦ରୁ ଅଧିକ ଛାତ୍ର ରାଗିଂ କରୁଥିବା ଦେଖିବାକୁ ମିଳିଥିଲା । ଉକ୍ତ ୫୦ ଜଣ ହେଉଛନ୍ତି ଦ୍ୱିତୀୟ ବର୍ଷର ଛାତ୍ର ବୋଲି ସୂଚନା ମିଳିଥିଲା ।

ସେହିପରି ଅନ୍ୟ ଭିଡିଓଟିରେ ନବାଗତ ଛାତ୍ରମାନଙ୍କୁ ରାଗିଂ କରାଯାଉଥିବା ଦେଖିବାକୁ ମିଳିଥିଲା । ଏଥିରେ ସେମାନଙ୍କ ସାର୍ଟ ଚିରି ସେମାନଙ୍କୁ ଅପମାନିତ କରାଯାଉଥିବା ସ୍ପଷ୍ଟ ଜଣାପଡ଼ୁଥିଲା । ଭିଏସ୍‌ଏସ୍‌ୟୁଟି ହେଉଛି ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ବୈଷୟିକ ବିଶ୍ୱବିଦ୍ୟାଳୟ । ରାଗିଂକୁ ଦୃଷ୍ଟିରେ ରଖି ଏଠାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଥମ ବର୍ଷର ଛାତ୍ରଙ୍କୁ ଏକ ସ୍ୱତନ୍ତ୍ର ହଷ୍ଟେଲ୍‌ରେ ରଖନ୍ତି । ତା’ପର ବର୍ଷ ଅର୍ଥାତ୍‌ ଦ୍ୱିତୀୟ ବର୍ଷରେ ଏହି ଛାତ୍ରମାନଙ୍କୁ କମନ୍‌ ହଷ୍ଟେଲ୍‌କୁ ସ୍ଥାନାନ୍ତର କରାଯାଇଥାଏ, ଯେଉଁଠି ତୃତୀୟ ଓ ଚତୁର୍ଥ ବର୍ଷ ଛାତ୍ରମାନେ ରହିଥାନ୍ତି ।