• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସନ୍ଦେହ ଘେରରେ ବନ ସଂରକ୍ଷକମୃତ୍ୟୁ । 

  • ରୋଷେଇ ଘରେ ନଥାଇ ବି ନିଆଁ ଲାଗିଲା କେମିତି ?

  • ମୁହଁ ଖୋଲୁ ନାହାନ୍ତି ପତ୍ନୀ ।

ପାରଳାଖେମୁଣ୍ଡି: ସନ୍ଦେହ ଘେରରେ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ । ଗତକାଲି ରାତିରେ ସରକାରୀ ବାସଭବନରେ ପତ୍ନୀଙ୍କ ସହ ଥିବା ବେଳେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିବା ସୌମ୍ୟରଞ୍ଜନଙ୍କ ଆଜି କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ହେଲେ ଏ ଘଟଣା ସମ୍ପର୍କରେ ତାଙ୍କ ନବ ବିବାହିତା ପତ୍ନୀ ପାଟି ଖୋଲିନଥିବା ବେଳେ ସେପଟେ ସୌମ୍ୟଙ୍କ ପରିବାର ଲୋକେ ଏ ଘଟଣା ପାଇଁ ବୋହୁକୁ ସନ୍ଦେହ ଘେରକୁ ଆଣିଛନ୍ତି ।

ସରକାରୀ ବାସଭବନରେ ସନ୍ଦେହଜନକ ଭାବେ ଜଳିଗଲେ ବନ ସଂରକ୍ଷକ । ପତ୍ନୀଙ୍କ ଉପସ୍ଥିତିରେ ନିଆଁରେ ପୋଡ଼ି ହୋଇ ଗୁରୁତର ହେବାର କେଇ ଘଣ୍ଟା ପରେ ଉଡ଼ିଗଲା ପ୍ରାଣ ବାୟୁ । ପାରଳାଖେମୁଣ୍ଡିସ୍ଥିତ ଏକ ସରକାରୀ କ୍ୱାର୍ଟରରେ ଗତକାଲି ରାତି ପ୍ରାୟ ୯ଟା ବେଳେ ଘଟିଥିଲା ଏହି ଅଘଟଣ ।  ACFO ସୌମ୍ୟରଞ୍ଜନ ମହାପାତ୍ର ହଠାତ ନିଆଁରେ ପୋଡ଼ି ହୋଇ ଯାଇଥିବା ନେଇ ପଡ଼ୋଶୀଙ୍କୁ ସୂଚନା ଦେଇଥିଲେ ପତ୍ନୀ । ପରେ ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମେଡିକାଲ ଓ ପରେ ବ୍ରହ୍ମପୁର MKCG ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଆଜି ସକାଳୁ କଟକସ୍ଥିତ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଶରୀରର ପ୍ରାୟ ୯୦ ଭାଗ ପୋଡ଼ିଯାଇଥିବାରୁ ମୃତ୍ୟୁ ସହ ପ୍ରାୟ ୧୨ ଘଣ୍ଟାର ସଂଘର୍ଷ କରି ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ଆଖି ବୁଜିଦେଇଥିଲେ ସୌମ୍ୟରଞ୍ଜନ । 

ସୌମ୍ୟରଞ୍ଜନ ସନ୍ଦେହଜନକ ଭାବେ ପୋଡ଼ିଯିବା ନେଇ ଖବର ପ୍ରଚାର ପରେ ଗତକାଲି ବିଳମ୍ବିତ ରାତିରେ ତାଙ୍କ କ୍ୱାର୍ଟରକୁୁ ଯାଇ ସରଜମିନ୍ ତଦନ୍ତ କରିଛି ପାରଳାଖେମୁଣ୍ଡି ପୋଲିସ । ପାରଳାଖେମୁଣ୍ଡି ଏସଡିପିଓ ଓ ଆଇଆଇସି ଘର ସର୍ଚ୍ଚ କରିବା ବେଳେ ଏକ କିରୋସିନ୍ ବୋତଲ ସହ ଅନ୍ୟ କିଛି ସାମଗ୍ରୀ ଜବତ କରିଛି । ପ୍ରାଥମିକ ତଦନ୍ତ ପରେ ପୋଲିସ ଏହାକୁ ଦୁର୍ଘଟଣା ବୋଲି କହିଛି । ତେଣେ ଘଟଣା ବେଳେ ଉପସ୍ଥିତ ଥିବା ସୌମ୍ୟରଞ୍ଜନଙ୍କ ପତ୍ନୀ କିନ୍ତୁ ଏ ବାବଦରେ ଆଦୌ ପାଟି ଖୋଲି ନାହାନ୍ତି । ସ୍ୱାମୀ କେମିତି ପୋଡ଼ିଲେ, ନିଆଁ କେଉଁଠୁ ଆସିଲା ଏବଂ ଏହା ଦୁର୍ଘଟଣା କି ଆଉ କିଛି ? ସେ ନେଇ ପଦୁଟିଏ ବି କହିନାହାନ୍ତି ।

ଏପଟେ ଏତେବଡ଼ ଘଟଣା ପରେ ବି ବୋହୁର ନିରବତା ନେଇ ତାଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଛନ୍ତି ସୌମ୍ୟରଞ୍ଜନଙ୍କ ବାପା ଓ ମାମୁଁ । ଏପରିକି ସୌମ୍ୟରଞ୍ଜନ ପୂର୍ବରୁ ପତ୍ନୀଙ୍କ ଦ୍ୱାରା ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ବି ସାମ୍ନାକୁ ଆସିଛି ।

ବାଲେଶ୍ୱର ଖଇରା ଅଞ୍ଚଳର ସୌମ୍ୟରଞ୍ଜନ ୨୦୧୮ରେ ଓଡ଼ିଶା ଫରେଷ୍ଟ ସର୍ଭିସରେ କୃତକାର୍ଯ୍ୟ ପରେ ୨୦୨୦ରୁ ଗଜପତି ଜିଲ୍ଲାରେ ପୋଷ୍ଟିଂ ହୋଇଥିଲେ । ଆଜିକୁ ପ୍ରାୟ ବର୍ଷେ ହେବ ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟରରେ ରହିଆସୁଥିବା ବେଳେ ମାତ୍ର ୬ ମାସ ତଳେ ତାଙ୍କର ବିବାହ ହୋଇଥିଲା । ବିବାହ ପରଠୁ ପତି-ପତ୍ନୀ ସରକାରୀ କ୍ୱାର୍ଟରରେ ରହି ଆସୁଥିଲେ ।

ତେବେ ପତ୍ନୀଙ୍କ ସହ ଥିବା ବେଳେ ରୋଷେଇ ଘରେ ନଥାଇ ବି ନିଆଁ ଆସିଲା କେଉଁଠୁ ଏବଂ ସୌମ୍ୟରଞ୍ଜନ କେଉଁ ପରିସ୍ଥିତିରେ ପୋଡ଼ି ହୋଇ ଏତେ ଗୁରୁତର ହୋଇପଡ଼ିଲେ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସବୁ ଭିତରେ ପୋଲିସ୍ ମୃତ୍ୟୁ ପୂର୍ବରୁ ସୌମ୍ୟରଂଜନଙ୍କ ଜମାନବନ୍ଦୀ ରେକର୍ଡ କରିଥିବା ବେଳେ ସେ ପୋଲିସ୍ ଆଗରେ କଣ କହିଛନ୍ତି ସେନେଇ ସୂଚନା ସାମ୍ନାକୁ ଆସିନାହିଁ ।