• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାଲେପୁର: ମାହାଙ୍ଗା ଡବଲ ମର୍ଡର ଘଟଣାରେ ନୂଆ ଟ୍ୱିଷ୍ଟ । ମାହାଙ୍ଗା ଥାନା IICଙ୍କୁ ନୋଟିସ । ଟାଇମ ପିଟିସନ ଖାରଜ କରି ସୋ-କଜ୍ ନୋଟିସ୍ କଲେ କୋର୍ଟ । ଥାନାଧିକାରୀ ନିହାର ମହାନ୍ତିଙ୍କୁ ସୋ-କଜ୍ ନୋଟିସ୍ ପଠାଇଛନ୍ତି କୋର୍ଟ । ଆଇଆଇସିଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନହେବ ସେନେଇ ଜଣାଇବାକୁ କୋର୍ଟ ନୋଟିସ ପଠାଇଛନ୍ତି ।

ବାରମ୍ବାର କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ହାଜର ନହେବା ଓ ମହଲତ ମାଗିବାକୁ ନେଇ କୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି । ୧୦ ତାରିଖ ମଧ୍ୟରେ ଏହି ନୋଟିସ୍‌ର ଜବାବ୍ ଦେବା ସହ ମାମଲାର ପୁନଃ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ଅଦାଲତ । ପୋଲିସର ଟାଇମ୍ ପିଟିସନ୍‌କୁ ଖାରଜ କରିବା ସହ ପୂର୍ବରୁ କୋର୍ଟ ମାଗିଥିବା ତିନି ଅଭିଯୁକ୍ତଙ୍କ କଲ୍ ଡିଟେଲ୍ ରିପୋର୍ଟ-CDRକୁ ବି ୧୦ ତାରିଖ ସୁଦ୍ଧା ଦାଖଲ କରିବାକୁ କହିଛନ୍ତି । ମାହାଙ୍ଗାରେ ଦୁଇ ବିଜେପି ନେତାଙ୍କ ହତ୍ୟା ମାମଲାରେ ପୁନଃ ତଦନ୍ତ ରିପୋର୍ଟ ମାଗିଥିଲେ କୋର୍ଟ ।

ତେବେ ଏହା ଦାଖଲ କରିବାକୁ ବାରମ୍ବାର କୋର୍ଟଙ୍କୁ ମହଲତ ମାଗିଥିଲେ ମାହାଙ୍ଗା ଥାନା IIC । ଏପରିକି ଗତକାଲି ବ୍ୟକ୍ତିଗତ ଭାବେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏହାକୁ ମାହାଙ୍ଗା ଥାନା IIC ଖିଲାପ କରିଥିଲେ । ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ମୃତକଙ୍କ ପୁଅ ରମାକାନ୍ତ ବରାଳ । ଥାନାଧିକାରୀ ମନ୍ତ୍ରୀ ପ୍ରତାପ ଜେନାଙ୍କ ଚାପରେ ଥିବାରୁ କୋର୍ଟଙ୍କୁ ଅଧିକ ସମୟ ମାଗୁଛନ୍ତି । ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି ବୋଲି ରମାକାନ୍ତ ବରାଳ କହିଛନ୍ତି । ଅପରପକ୍ଷେ ଏହି ଅଭିଯୋଗ ନେଇ ମନ୍ତ୍ରୀ ପ୍ରତାପ ଜେନା କିମ୍ବା ମାହାଙ୍ଗା ଥାନାଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି । 

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁନଃ ତଦନ୍ତ ରିପୋର୍ଟ ଦାଖଲ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC କୋର୍ଟ । ମାମଲାର ଶୁଣାଣି କରୁଥିବା ସାଲେପୁର JMFC କୋର୍ଟ ଗତ ୨୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତାସହ ମାମଲାରେ ସଂପୃକ୍ତି ନେଇ ୩ ଜଣଙ୍କ ସିଡିଆର୍ ରିପୋର୍ଟ ମଧ୍ୟ ମାଗିଥିଲେ । ୨୯ ତାରିଖ ସୁଦ୍ଧା ପୋଲିସ୍ ଏସବୁ କୋର୍ଟରେ ଦାଖଲ କରିବାର ଥିଲା । କିନ୍ତୁ ପୋଲିସ ତାହା ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ ନକରି କୋର୍ଟଙ୍କୁ ଅଧିକ ସମୟ ମାଗିଥିଲା । ପର ମୁହୁର୍ତ୍ତାରେ ପୁଣି ଥରେ ମାସେ ପାଇଁ ସମୟ ମାଗିଥିଲା ପୋଲିସ । ହେଲେ କୋର୍ଟ ଆଜି ଏଭଳି ଶୁଣାଣି କରିଛନ୍ତି । କୋର୍ଟ ସିଧାସଳଖ ଭାବେ ପୋଲିସର କାର୍ଯ୍ୟଶୈଳୀ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।