• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ପୁଣି ରାଜଧାନୀରେ କମିଶନରେଟ୍‌ ପୋଲିସକୁ ଚ୍ୟାଲେଞ୍ଜ । ନାକ ତଳୁ ଲୁଟ୍‌ କଲେ ଲୁଟେରା । ରାଜଧାନୀରେ ଏକ ବଡ଼ ଧରଣର ଲୁଟ୍ । ରାଜଧାନୀ ଛାତି ଉପରେ ଥିବା ଏକ ଦୋକାନରୁ କୋଟିଏ ଟଙ୍କାର ଗହରା ଲୁଟ୍‌ । ଭୁବନେଶ୍ୱର ଡେଲ୍ଟା ଛକ ନିକଟରେ ଥିବା ଏକ ଜୁଏଲାରୀରୁ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ଲୁଟ୍ ହୋଇଛି । ଜୁଏଲରୀ ଦୋକାନରୁ ଲୁଟେରା ମାନେ ୧ କେଜି ସୁନା ଲୁଟ୍‌ କରିବା ସହ ୧୦ କେଜି ରୁପା ଲୁଟି ନେଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ଏମିତିକି ଦୋକାନରେ ରଖାଯାଇଥିବା ନଗଦ ଦେଢ଼ ଲକ୍ଷ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି ଲୁଟେରା । ଜୁଏଲାରୀ ଦୋକାନର ସଟର୍ ଓ ଗ୍ରୀଲ୍ କାଟି ଲୁଟେରା ଏହି ଲୁଟ୍‌ କରିଛନ୍ତି । ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ଏଭଳି ଏକ ବଡ଼ ଧରଣର ଲୁଟ୍‌ ପାଇଁ କେମିତି ସାହସ କରିପାରିଲେ ଲୁଟେରା ? ଯେଉଁଠି ୨୪ ଘଣ୍ଟିଆ ପୋଲିସ ପାଟ୍ରୋଲିଂର ବ୍ୟବସ୍ଥା ଅଛି ସେଠାରେ ଏଭଳି ଲୁଟ୍‌ ହେବା ଅର୍ଥ କମିଶନରେଟ୍‌ ପୋଲିସ୍‌କୁ ଲୁଟେରାଙ୍କ ଖୋଲା ଖୋଲି ଚ୍ୟାଲେଞ୍ଜ ଦେବା । ବିଭିନ୍ନ ସମୟରେ କମିଶନରେଟ୍‌ ପୋଲିସ ପକ୍ଷରୁ ଚେକିଂ ବ୍ଲକିଂ ହେଉଥିଲେ ବି ତାହା କେବଳ ଲୋକ ଦେଖାଣିଆ ବୋଲି ମନେ ହୁଏ । କାରଣ ଏଭଳି ଲୁଟ୍‌ ଘଟଣା କମିଶନରେଟ୍‌ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କମିଶନରେଟ୍‌ ପୋଲିସ ବିଭିନ୍ନ ସମୟରେ ଛାତି ପିଟି ବାହା ବାହା ନେଉଥିବା ବେଳେ ରାଜଧାନୀରେ ଏଭଳି ଅପରାଧ ବାରମ୍ବାର ଘଟୁଥିବା ଦେଖାଯାଇଛି । ତେବେ ଏହି ଲୁଟ୍‌ ଘଟଣା ପରେ କମିଶନରେଟ ପୋଲିସ କିଭଳି ଉତ୍ତର ରଖୁଛି ତାହା ଦେଖିବା ବାକି ରହିଲା ।

କିଛି ଦିନ ପୂର୍ବରୁ ରାଜଧାନୀ ରାଜରାସ୍ତାରେ କେବିଏନ୍‌ ଗ୍ରୁପ୍‌ର ତାଣ୍ଡବ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏଥିରୁ ସ୍ପଷ୍ଟ ଯେ, ଯେଉଁ କମିଶନରେଟ୍‌ ପୋଲିସ ଭରସାରେ ରାଜଧାନୀବାସୀ ନଶ୍ଚିନ୍ତରେ ଶୋଉଛନ୍ତି, ସେହି ସମୟରେ କମିଶନରେଟ୍‌ ପୋଲିସ ମଧ୍ୟ ନିଘୋଡ଼ ନିଦରେ ରହୁଛି । ତେଣୁ ଏଭଳି ଅପରାଧ ବାରମ୍ବାର ରାଜଧାନୀ ଛାତି ପରେ ଘଟୁଛି ।