• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କ’ଣ ଜୀବନର ମୂଲ୍ୟ ଏତେ ଶସ୍ତା ? ମାତ୍ର ୩୧ ଟଙ୍କା ପାଇଁ ଜଣେ ଜଣକ ଜୀବନ ନେଇପାରେ ? ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କାରଣ ଏମିତି କିଛି ଘଟଣା ଆପଣଙ୍କ ଆଖପାଖରେ କେବେ ଘଟିଥିବା ଶୁଣିନଥିବେ । ତେଣୁ ଏହାକୁ ଆପଣ ସହଜରେ ବିଶ୍ୱାସ ମଧ୍ୟ କରିପାରୁନଥିବେ । କିନ୍ତୁ ଏମିତି କିଛି ଘଟିଛି । ମାତ୍ର ୩୧ ଟଙ୍କା ପାଇଁ ଜଣେ ଜଣଙ୍କ ଜୀବନ ନେଇଛି । ଆଉ ଏଭଳି ଘଟଣା ସମ୍ପର୍କରେ ରାୟଗଡ଼ା ଜିଲ୍ଲାରୁ ଖବର ସାମ୍ନାକୁ ଆସିଛି ।

କୁହାଯାଏ କ୍ରୋଧ ବ୍ରହ୍ମ ଚଣ୍ଡାଳ । ରାଗିଗଲେ ମଣିଷ କିଛି ବି ଅନର୍ଥ କରିପାରେ । ତେଣୁ ସବୁବେଳେ ନିଜ କ୍ରୋଧକୁ ବସ କରିବାର ଶକ୍ତି ରଖିବା ଉଚିତ୍‌ । ମଣିଷ ଜୀବନରେ ସହନଶିଳତା ଏକ ଗୁରତ୍ୱପୂର୍ଣ୍ଣ ଅଙ୍ଗ । ଯଦି ମଣିଷ ଜୀବନରେ ସହିବାର ଶକ୍ତି କ୍ଷୀଣ ହେବ ତେବେ ସେହି ମଣିଷ ଦ୍ୱାରା ବାରମ୍ବାର ଭୁଲ ହୋଇଥାଏ ବୋଲି କୁହାଯାଏ ।

ଠିକ୍‌ ଏମିତି କିଛି ଭୁଲ କରିଛନ୍ତି ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନା ଗକୁଳମୁଣ୍ଡା ଅଞ୍ଚଳର ଜଣେ ଦୋକାନୀ । ନିଜର କୋଧକୁ ସମ୍ଭାଳି ନପାରି ଜଣେ ଗ୍ରାହକଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲେ । ଫଳରେ ଗ୍ରାହକଙ୍କ ଜୀବନ ଚାଲିଯାଇଛି । ମିଳିଥିବା ସୂଚନା ଆନୁଯାୟୀ, ଗ୍ରାହକ ଜଣକ ଦୋକାନୀଙ୍କୁ ୩୧ ଟଙ୍କା ଶୁଝିବାର ଥିଲା । ହେଲେ ସେ ସୁଝି ନଥିଲେ । ଦୋକାନୀ ଜଣକ ତାଙ୍କୁ ବାକି ଟଙ୍ଗା ମାଗିଥିଲେ । ଯାହାଫଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ଦୋକାନୀ ଜଣଙ୍କ ଉତ୍‌କ୍ଷିପ୍ତ ହୋଇ ପାଖରେ ପଡ଼ିଥିବା ଏକ କାଠ ଫାଳିଆ ଆଣି ଗ୍ରାହକଙ୍କ ମୁଣ୍ଡକୁ ପ୍ରହାର କରିଥିଲେ । ଆଉ ଘଟଣାସ୍ଥଳରେ ଛଟପଟ ହୋଇ ତଳେ ପଡ଼ିଯାଇଥିଲେ ଗ୍ରାହକ ଜଣକ ।

ସେଠାରେ ଥିବା ସ୍ଥାନୀୟ ଲୋକ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ତାଙ୍କ ଅବସ୍ଥା ବିଗିଡିବାରୁ ତାଙ୍କୁ ପ୍ରଥମେ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟ ଓ ପରେ ବିଶାଖପାଟଣା ସ୍ଥାନାନ୍ତର କରାଯାଉଥିଲା । ହେଲେ ସ୍ଥାନାନ୍ତର ବେଳେ ଆଜି ସକାଳୁ ବାଟରେ ତାଙ୍କର ମୃତ୍ୟୁ ଘଟିଛି । ସୋମବାର ସନ୍ଧ୍ୟାରେ ଆକ୍ରମଣର ଶିକାର ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଦୋକାନୀ ଜଣକ ହେଉଛନ୍ତି ସେହି ଗାଁର ବାବୁଲି ବେହେରା ଓ ମୃତ ଗ୍ରାହକ ଜଣକ ହେଉଛନ୍ତି ଭିତରମୁଶୁକୁଣି ଗ୍ରାମର କୃଷ୍ଣ ଝଡ଼ିଆ । ସେ ଉତ୍କଳ ଆଲୁମିନା କାରଖାନାରେ କାର୍ଯ୍ୟ କରୁଥିଲେ ।

ତେବେ ଏହି ଘଟଣା ପରେ ଅଭିଯୁକ୍ତ ଦୋକାନୀ ବାବୁଲି ଟିକିରି ପୋଲସ ନିକଟରେ ଆତ୍ମ ସମର୍ପଣ କରିଛି । ଅନ୍ୟପଟେ କୃଷ୍ଣଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ରାସ୍ତାରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି । ଏହାସହ ସ୍ଥାନୀୟ ଅଞ୍ଚଳରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ଟିକିରିରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ଖବରପାଇ ଟିକିରି ପୋଲିସ ଓ ଅତିରିକ୍ତ ତହସିଲଦାର କୁଶ ଗୋରଡା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛନ୍ତି ।