• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ମୁଣ୍ଡ ଉପରେ ଦଦରା ଟିଣ ଛପର ଛାତ ।

  • ପୁରୁଣା ମାଟି ଘରର କାନ୍ଥସବୁ ଫାଟି ଆଁ କଲାଣି ।

  • କିନ୍ତୁ ଘରର ମୁଖ୍ୟ ଦ୍ୱାର ନିକଟରେ ଲାଗିଛି ଚକାଚକ ସାଇନ୍ ବୋର୍ଡ ।

  • ଏହି ସାଇନ୍ ବୋର୍ଡକୁ ଭଲ କରି ଦେଖିଲେ ଆପଣଙ୍କ ମଥା ଘୁରିଯିବ ।

ରାୟଗଡ଼ା: ମୁଣ୍ଡ ଉପରେ ଦଦରା ଟିଣ ଛପର ଛାତ । ପୁରୁଣା ମାଟି ଘରର କାନ୍ଥସବୁ ଫାଟି ଆଁ କଲାଣି । କିନ୍ତୁ ଘରର ମୁଖ୍ୟ ଦ୍ୱାର ନିକଟରେ ଲାଗିଛି ଚକାଚକ ସାଇନ୍ ବୋର୍ଡ । ଏହି ସାଇନ୍ ବୋର୍ଡକୁ ଭଲ କରି ଦେଖିଲେ ଆପଣଙ୍କ ମଥା ବି ଘୁରିଯିବ । ରାୟଗଡ଼ା କଲ୍ୟାଣସିଂପୁର ବ୍ଲକ ପାରାସାଲି ପଂଚାୟତ ଅନ୍ତର୍ଗତ ନିୟମଗିରି ପାହାଡ଼ ଅଞ୍ଚଳର ଏହି ଘଟଣା । ଏଠି ରହୁଥିବା ବହୁ ଡଙ୍ଗରିଆ କନ୍ଧଙ୍କୁ ପକ୍କା ଘର ଯୋଗାଇ ଦେବା ନାଁରେ ଦିନ ଦିପହରେ ଏମିତି ଲଣ୍ଠନ ଦେଖାଇଛି ସ୍ଥାନୀୟ ପ୍ରଶାସନ ।

ବହୁ ଡଙ୍ଗରିଆଙ୍କ, ପୁରୁଣା ପାରମ୍ପରିକ ଘର ଉପରେ ଟିଣ ଛପର ଛାତ ଉଡ଼ିଯାଇଥିବାରୁ କେହି କେହି ଖରା ଓ ବର୍ଷାଠୁ ସୁରକ୍ଷା ଲାଗି ପଲିଥିନକୁ ଆଶ୍ରା କରିଛନ୍ତି । ହେଲେ ସେମିତି ଲୋକଙ୍କୁ ବି ହିତାଧିକାରୀ ସଜାଇବାକୁ ପଛାଇ ନାହାନ୍ତି ଏଠିକାର ଆବାସ ଯୋଜନା ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀ ।

ଏବେ ଆସନ୍ତୁ ଜାଣିବା ଆବାସ ଯୋଜନାରେ ପାରସାଲି ପଞ୍ଚାୟତରେ ହୋଇଥିବା ମହା ଘୋଟାଲା ପଛର ସତ । ଇଟା, ମାଟି ଓ ଟିଣ ଛପର ଘର ସବୁ ତିଆରି ହୋଇଥିଲା ୨୦୧୩-୧୪ ଆର୍ଥିକ ବର୍ଷରେ । କେନ୍ଦ୍ର ଆଦିବାସୀ କଲ୍ୟାଣ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଫରେଷ୍ଟ ରାଇଟ୍ ଅନୁଯାୟୀ ଡଙ୍ଗରିଆ କନ୍ଧ ଜନଜାତିର ୨୫୦ରୁ ଅଧିକ ହିତାଧିକାରୀଙ୍କୁ ଏ ଯୋଜନାରେ ଘର ମିଳିଥିଲା ।

ସେତେବେଳେ ଏ ଅଞ୍ଚଳକୁ ଯୋଗାଯୋଗ ବ୍ୟବସ୍ଥା ନଥିବାରୁ ଟିଣ ଛପର ଘର ହିଁ ଯୋଗାଇ ଦିଆଯାଇଥିଲା । ତେବେ ଏହାର ପ୍ରାୟ ୯ ବର୍ଷ ପରେ ଏବେ ସେହି ଘର ଉପରେ ହିଁ ଫଳକ ମାରି ଆବାସ ଯୋଜନାକୁ ମୁଣ୍ଡି ମାରି ଦେଇଛନ୍ତି କଲ୍ୟାଣସିଂପୁର ବ୍ଲକ୍ କର୍ତ୍ତୃପକ୍ଷ । ଏ ଘଟଣା ଜଣାପଡ଼ିବା ପରେ ନିକଟରେ ବିଡିଓଙ୍କୁ ଘେରିଥିଲେ ବହୁ ଡଙ୍ଗରିଆ । ତେବେ ବିଡିଓ କିନ୍ତୁ ନୂଆ ଆସିଥିବା ଏବଂ ମାମଲାରେ ବେଶି ଦଖଲ ନଥିବା କହି ଫଳକ ଛପାରେ ତ୍ରୁଟି ବୋଲି ସଫେଇ ଦେଇଛନ୍ତି । ନିରୀହ ଡଙ୍ଗରିଆ କନ୍ଧଙ୍କୁ ଆବାସ ଯୋଜନା ନାଁରେ ଦିନ ଦିପହରେ ଠକା ଯାଇଥିବା ଏବଂ ଏ ଦୁର୍ନୀତିରେ କୋଟି କୋଟି ହରିଲୁଟ୍ ଆଶଙ୍କା କରାଯାଉଥିବାରୁ ଏହା ପଛରେ କେଉଁମାନେ ଦାୟୀ, ତାର ତଦନ୍ତ ନହେଲେ ଏ ଆଦିମ ଜନଜାତିର ଲୋକେ କେବଳ ଜଳକା ହୋଇ ରହିଥିବେ ।