• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପୋଲିସ ହେପାଜତରେ ଗୋବିନ୍ଦ କୁମ୍ଭାର ମୃତ୍ୟୁ ମାମଲା ।

  • ବରଗଡ଼ରେ ପହଞ୍ଚିଲେ ଏଚଆରପିସିର ଦୁଇ ଜଣିଆ ଟିମ ।

  • ବରଗଡ଼ ଏସ୍‌ପିଙ୍କୁ ଭେଟି ଆଲୋଚନା କଲେ HRPC ଟିମ୍ ।

  • ପୋଲିସ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଥିଲା ।

ବରଗଡ଼: ପୋଲିସ ହେପାଜତରେ ଗୋବିନ୍ଦ କୁମ୍ଭାର ମୃତ୍ୟୁ ମାମଲାର ତଦନ୍ତ ପାଇଁ ବରଗଡ଼ରେ ପହଞ୍ଚିଲା ଏଚଆରପିସିର ଦୁଇ ଜଣିଆ ଟିମ୍ । ଗତ ସେପ୍ଟେମ୍ବର ୨୫ ତାରିଖରେ ପୋଲିସ ହେପାଜତରେ ବରଗଡ଼ ତୋରା ଗାଁର ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ସେତେବେଳେ ଉତ୍ତେଜନା ଦେଖାଦେଇଥିଲା । ସ୍ଥିତି ନିୟନ୍ତ୍ରଣ ଲାଗି ପୋଲିସ ପକ୍ଷରୁ ଲାଠିଚାର୍ଜ ମଧ୍ୟ କରାଯାଇଥିଲା ।

ପୋଲିସ ଗୋବିନ୍ଦଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଥିଲା । ଏଚଆରପିସି ନିକଟରେ ଏନେଇ ଅଭିଯୋଗ ହୋଇଥିଲା । ତଦନ୍ତ ପାଇଁ ଆଜି ଏଚଆରପିସିର ଦୁଇ ଜଣିଆ ଟିମ ବରଗଡ଼ରେ ପହଞ୍ଚିଛନ୍ତି । ପ୍ରଥମେ ବରଗଡ଼ ଏସପିଙ୍କୁ ଭେଟି ଆଲୋଚନା କରିବା ସହ ମୃତ ଗୋବିନ୍ଦଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ବୁଝିଛନ୍ତି । ପରେ ବରଗଡ଼ ଟାଉନ ଥାନାରେ ପହଞ୍ଚି ସବିଶେଷ ତଥ୍ୟ ନେଇଥିଲେ ।

ସୂଚନାଯୋଗ୍ୟ, ଗତ ଜୁଲାଇ ମାସ ୨୦ ତାରିଖରେ ମାରପିଟ ଘଟଣାକୁ ନେଇ ବରଗଡ଼ ଟାଉନ ଥାନାରେ ଏକ ମାମଲାକୁ ରୁଜୁ ହୋଇଥିଲା । ବରଗଡ ତୋରା ଗ୍ରାମର ରାଧେଶ୍ୟାମ କୁମ୍ଭାରଙ୍କ ପୁଅ ଗୋବିନ୍ଦ କୁମ୍ଭାରଙ୍କୁ ପୋଲିସ ଟାଉନ ଥାନାକୁ ଉଠାଇ ଆଣିଥିଲା । ପରଦିନ ସକାଳେ ଗୋବିନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ପ୍ରଥମେ ପୁରୁଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଖେଦାପାଲି ସ୍ଥିତ ବରଗଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଡାକ୍ତରଖାନାକୁ ପହଞ୍ଚିବା ପୂର୍ବରୁ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ଏହି ଘଟଣାରେ ପଶ୍ଚିମାଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ କହିଥିଲେ ଏହି ଘଟଣାରେ ୨ଟି ପୃଥକ ତଦନ୍ତ ହେବ ।