• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ୧୭ରେ ଫେରାର୍, ୧୯ରେ ଆରେଷ୍ଟ

  • ଅକ୍ଚୋବର ୧୮ରେ କେମିତି ହେଲା ଗୋବିନ୍ଦ ସାହୁର କୋଭିଡ୍ ଟେଷ୍ଟ ?

  • ରିମାଣ୍ଡ ସରିବା ପରେ ଭୋରୁ ଗୋବିନ୍ଦକୁ କୋର୍ଟଚାଲାଣ

  • ମହାଲିଙ୍ଗ କଲେଜ ଲେଡିଜ୍ ହଷ୍ଟେଲ୍ ରୁମ୍ ୨୦କୁ ନେଇ ଥମୁନି ସସ୍ପେନ୍ସ

ଭୁବନେଶ୍ୱର(ମନରଞ୍ଜନ ଯୋଶୀ): ୫ ଦିନିଆ ରିମାଣ୍ଡ ଶେଷ ପରେ ଜେଲ ହାଜତକୁ ଗଲା ଶିକ୍ଷୟିତ୍ରୀ ମମିତା ହତ୍ୟା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ। ବଲାଙ୍ଗିର ପୋଲିସ ଆଜି ସକାଳେ ଗୋବିନ୍ଦକୁ ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରିବା ପରେ କୋର୍ଟ ତାକୁ ବିଚାର ବିଭାଗୀୟ ହଜାତକୁ ଯିବାକୁ ନିର୍ଦ୍ଦେଶ ଦେବାରୁ କଣ୍ଟାବାଂଜି ଜେଲକୁ ଯାଇଛି ଗୋବିନ୍ଦ। ସେପଟେ ଜହ୍ଲାଦ ଗୋବିନ୍ଦ ସମ୍ପର୍କରେ ପଦାକୁ ଆସିବାରେ ଲାଗିଛି ଗୋଟିଏ ପରେ ପରେ ତଥ୍ୟ । ଯେପରିକି ଗୋବିନ୍ଦ ୧୭ରେ ଫେରାର ଆଉ ୧୯ରେ ଗିରଫ ହୋଇଥିବା ପୋଲିସ ଦର୍ଶାଇଥିବା ବେଳେ ସେପଟେ ପୋଲିସ ମାର୍ଫତରେ ତାର କୋଭିଡ୍ ଟେଷ୍ଟ ତାରିଖ ୧୮ରେ ହୋଇଥିବା ମେଡିକାଲ ରେଜିଷ୍ଟର ଦର୍ଶାଉଛି।

୫ ଦିନିଆ ପୋଲିସ ରିମାଣ୍ଡ ଅବଧି ଶେଷ ପରେ ଜେଲ ହାଜତରେ ଗୋବିନ୍ଦ ସାହୁ ହତ୍ୟାକାରୀ। ଗୋବିନ୍ଦକୁ ଆଜି କୋର୍ଟରେ ହାଜର କରିବା ପୂର୍ବରୁ ଗତ ରାତିରୁ ବଲାଙ୍ଗିର ରିଜର୍ଭ ପୋଲିସ କ୍ୟାମ୍ପସରେ ରଖିଥିଲା ପୋଲିସ। ଆଉ ଆଜି ଠିକ୍ ଭୋର ୪ଟା ବେଳକୁ ବଲାଙ୍ଗିର ପୋଲିସ ରିଜର୍ଭ ବାରାକରୁ ପଛ ଗେଟ୍ ବାଟ ଦେଇ କୋର୍ଟରେ ହାଜର ପାଇଁ ନେଇଥିଲା ପୋଲିସ। ଚତୁରତାର ସହ ଅଭିଯୁକ୍ତକୁ ସାମ୍ନା ଗେଟରେ ନନେଇ ପଛ ଗେଟରେ ନେବା ପରେ ଏହାର ଟେର୍ ପାଇନଥିଲେ ଗଣମାଧ୍ୟମ ପ୍ରତିନିଧି। ପରେ ସକାଳ ପ୍ରାୟ ୭ଟା ବେଳେ ଗୋବିନ୍ଦକୁ ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେବାରୁ କଣ୍ଟାବାଞ୍ଜି ଜେଲର ଚାରିକାନ୍ଥ ଭିତରକୁ ଯାଇଛି ଗୋବିନ୍ଦ।

ତେବେ ଗୋବିନ୍ଦକୁ ଆଜି କୋର୍ଟ ହାଜର ବେଳେ ପୋଲିସ ଗଣାମଧ୍ୟମକୁ କାହିଁକି ଆଢୁଆଳରେ ରଖିଲା, ତାକୁ ନେଇ ପ୍ରଶ୍ନ ଉଠିଛି। ସେପଟେ ସୁରକ୍ଷା ଦୃଷ୍ଟିକୋଣରୁ ହିଁ ଅଭିଯୁକ୍ତକୁ ସକାଳୁ କୋର୍ଟରେ ହାଜର କରାଯାଇଥିବା କହିଛନ୍ତି ଉତ୍ତରାଞ୍ଚଳ ଡିଆଇଜି।

ସେପଟେ ମମିତା ମେହେର ହତ୍ୟା ମାମଲାରେ ଗୋବିନ୍ଦ ସାହୁକୁ ନେଇ ଓଟିଭି ହାତରେ ଲାଗିଛି ନୂଆ ତଥ୍ୟ। ମମିତା ହତ୍ୟାକାଣ୍ଡ ହଇଚଇ ପରେ ୪ ଦିନ ଧରି ପୋଲିସ୍ ନିକଟରେ ଅଟକ ଥିବା ଗୋବିନ୍ଦ ଗତ ୧୭ ତାରିଖ ସାରେ ଟିଟିଲାଗଡ଼ ପୋଲିସ୍ ବାରାକରୁ ଫେରାର ହୋଇଯାଇଥିଲା। ପରେ ୧୯ରେ ଧରାପଡ଼ିଥିଲେ ବି ୧୮ ତାରିଖରେ ପୋଲିସ ମାର୍ଫତରେ ତାର କୋଭିଡ୍ ଟେଷ୍ଟ କିପରି କରାଗଲା, ତାକୁ ନେଇ ପ୍ରଶ୍ନ ଉଠିଛି। ଟିଟିଲାଗଡ଼ ମେଡିକାଲର ରେଜଷ୍ଟରରେ ରେଜିଷ୍ଟର ହୋଇଥିବା କଥା ସାମ୍ନାକୁ ଆସିବା ପରେ ପୋଲିସ୍‌ର କାର୍ଯ୍ୟଶୈଳୀକୁ ନେଇ ସନ୍ଦେହ ବଢିଛି। ଯେଉଁଥିରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ, ଅଭିଯୁକ୍ତ ଗୋବିନ୍ଦର କୋଭିଡ୍ ଟେଷ୍ଟ ୧୮ ତାରିଖରେ ହିଁ କରାଯାଇଛି । ତେବେ ଯଦି ଗୋବିନ୍ଦ ୧୭ ତାରିଖରେ ଫେରାର୍ ମାରିଥିଲା, ତେବେ ୧୮ ତାରିଖରେ ତାର କୋଭିଡ୍ ଟେଷ୍ଟ ହେଲା କିପରି ? ସେପଟେ ରେଜିଷ୍ଟର ତଥ୍ୟ ୧୮ ତାରିଖ କହୁଥିଲେ ବି ଟିଟିଲାଗଡ଼ ଏସ୍ଡିଏମ୍ଓ ଏବଂ ଟେଷ୍ଟ କରିଥିବା କର୍ମଚାରୀ କିନ୍ତୁ ୧୭ ତାରିଖରେ ହିଁ ଗୋବିନ୍ଦର କୋଭିଡ୍ ଟେଷ୍ଟ ହୋଇଥିବା କଥା ସଫେଇ ଦେଇଛନ୍ତି। ହେଲେ ସଫେଇ ସପକ୍ଷରେ କୌଣସି ତଥ୍ୟ ଦେଇପାରି ନାହନ୍ତି ମେଡିକାଲ କର୍ତ୍ତପକ୍ଷ । ତେଣୁ ଏଠିବି ଅଭିଯୁକ୍ତ ଗୋବିନ୍ଦର ଗିରଫ ଘଟଣାକ୍ରମକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ଗୋବିନ୍ଦ ସାହୁ, ବଲାଙ୍ଗିର ପୋଲିସ ଓ ତଦନ୍ତ ପ୍ରକ୍ରିୟାରେ ଗୋଳମାଳ ଭିତରେ ମହାଲିଙ୍ଗ କଲେଜ ହଷ୍ଟେଲ ରୁମ୍ ନମ୍ବର ୨୦କୁ ନେଇ ବଢୁଛି ଚର୍ଚ୍ଚା। କାରଣ ଶିକ୍ଷୟିତ୍ରୀ ମମିତା ହତ୍ୟା ସହ ଏ ରୁମର ଅନେକ କିଛି ସମ୍ପର୍କ ଥିବା କୁହାଯାଉଛି । ଉଭୟ ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗିର ଏସ୍‌ପି ହଷ୍ଟେଲ ଭିତରେ ପଶି ତଦନ୍ତ ବେଳେ ରୁମ୍ ନମ୍ବର ୨୦ରେ ଭିନ୍ନ ଏକ ତାଲାର ଦୃଶ୍ୟ ସାମ୍ନାକୁ ଆସିଥିଲା। ହଷ୍ଟେଲର ଅନ୍ୟ ସମସ୍ତ ରୁମରେ ସମାନ ପ୍ରକାର ତାଲା ପଡ଼ିଥିବାବେଳେ ୨୦ ନମ୍ବର ରୁମରେ ପଡ଼ିଥିଲା ଅଲଗା ତାଲା। ଗୋବିନ୍ଦ ଗତ ୮ ରୁ ୧୩ ତାରିଖ ଭିତରେ ଏ ରୁମକୁ ଏକାଧିକ ଥର ଆସିଥିବା କୁହାଯାଉଛି । ତେଣୁ ରୁମ୍ ନମ୍ବର ୨୦ରେ ନିଜ କେଳେଙ୍କାରୀର ପ୍ରମାଣ ନଷ୍ଟ କରିବାକୁ ଗୋବିନ୍ଦ ହିଁ ପୁରୁଣା ତାଲା ଭାଙ୍ଗି ପଶିବା ସହ ନୂଆ ତାଲା ପକାଇ ଥିବାର ଆଶଙ୍କା ବଢାଇଛି।