• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଏଟିଏମ୍‌ରୁ ଆଖି ପିଛୁଳାକେ ଗାଏବ ହେଉଥିଲା ଟଙ୍କା ।

  • ସାମାନ୍ୟ ଖଣ୍ଡେ ଲୁହା ପାତରେ ଚାଲୁଥିଲା କାରସାଦି ।

  • ୪୮ ଘଣ୍ଟାରେ ୧୧ ଏଟିଏମ୍‌ରେ ଲଗାଇଛନ୍ତି ଚୂନ । 

ଭୁବନେଶ୍ୱର: ଏଟିଏମ୍‌ରୁ ଆଖି ପିଛୁଳାକେ ଗାଏବ ହେଉଥିଲା ଟଙ୍କା । ସାମାନ୍ୟ ଖଣ୍ଡେ ଲୁହା ପାତରେ ଚାଲୁଥିଲା କାରସାଦି । ୪୮ ଘଣ୍ଟାରେ ୧୧ ଏଟିଏମ୍‌ରେ ଲଗାଇଛନ୍ତି ଚୂନ । ଖୋଦ୍ କମିଶନରେଟ୍ ପୋଲିସ ଆଗରେ ଲୁଟ୍ ଲାଇଭ୍ ଡେମୋ ଦେଖାଇଛନ୍ତି ଆନ୍ତରାଜ୍ୟ ଏଟିଏମ୍ ଲୁଟେରା । ସୈନିକ ସ୍କୁଲ ପାଖ ଏସବିଆଇ ଏଟିଏମ୍‌ରୁ ଗତ ୨୫ ତାରିଖରେ କେମିତି କରିଥିଲେ ଲୁଟ୍ ! ଆଜି ହୋଇଛି ସିନ୍ ରିକ୍ରିଏସନ୍ ।

ସେ ଦିନର ସିସିଟିଭି ଫୁଟେଜ୍‌ରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଟଙ୍କା ଉଠାଇବା ବାହାନା କରି କେମିତି ଏଟିଏମ୍ କାର୍ଡ ଧରି ଚକମା ଦେଉଥିଲା ଲୁଟେରା । ବାହାରେ ଥାଇ ସହଯୋଗୀ କରାଉଥିଲା ସଜାଗ । କେମିତି ଲୁଟ୍ ପାଇଁ ଏଟିଏମ୍ ମେସିନକୁ ରେଞ୍ଚିରେ ତାଡି ଲଗାଉଛି ଡିଭାଇସ୍ । ଏ ଲୁଟ୍ ଖେଳରେ କେବଳ ଜଣେ ନୁହେଁ, ତିନି ତିନି ଜଣ ଅଛନ୍ତି ସାମିଲ୍ । ଗତ ୨୪ ଓ ୨୫ ତାରିଖରେ ଭୁବନେଶ୍ୱରର ୫ ଓ କଟକର ୬ଟି ଏଟିଏମ୍‌କୁ କରିଥିଲେ ଟାର୍ଗେଟ୍ ।

ଗତ ୨୫ ତାରିଖରେ ଲିଙ୍ଗରାଜ ଥାନା ବଢ଼େଇବାଙ୍କ ଏସବିଆଇ ଏଟିଏମ୍‌ରେ ଏମାନଙ୍କୁ ସନ୍ଦିଗ୍ଧ ଅବସ୍ଥାରେ ସସିଟିଭି କଣ୍ଡ୍ରୋଲ ରୁମ୍ ଦେଖିବା ପରେ କାବୁକୁ ଆସିଥିଲେ । ପୋଲିସ୍ ସୂଚନା ଅନୁସାରେ-ଏମାନେ ମୁଖ୍ୟତଃ ଏସବିଆଇ ଏଟିଏମ୍‌କୁ ଟାର୍ଗେଟ୍ କରୁଥିଲେ । ଏକ ଲୁହା ପାତିଆ ଏଟିଏମ୍ ମେସିନ୍‌ର ଟଙ୍କା ବାହାରୁଥିବା ସ୍ଥାନରେ କୌଶଳ କରି ଖଞ୍ଜି ଦେଉଥିଲେ । ପାଖରେ ରଖିଥିବା ଏକାଧିକ ଏଟିଏମ୍ କାର୍ଡ ଭର୍ତ୍ତି କରି ଟଙ୍କା ଉଠାଇବାକୁ ପିନ୍ ଦେଉଥିଲେ ହେଲେ ପାତ ଲାଗିଥିବାରୁ ଟଙ୍କା ଆସୁନଥିଲା, ଏରର ଦେଖାଉଥିଲା ସେହି ସୁଯୋଗରେ ପାତ ଜରିଆରେ ଟଙ୍କା କାଢ଼ି ନେଉଥିଲେ ଲୁଟେରା । ଯେହେତୁ ଏରର ପରେ ଗ୍ରାହକ ଏଟିଏମ୍‌କୁ ଟଙ୍କା ଫେରି ଯାଉଥିଲା । ତେଣୁ ଏଥିରେ ଗ୍ରାହକ କ୍ଷତିଗ୍ରସ୍ତ ନହୋଇ ବରଂ ବ୍ୟାଙ୍କ ହେଉଥିଲା ଲୁଟ୍‌ର ଶିକାର । ୬ ମାସରେ ୩୦ ଏଟିମ୍‌ରୁ ଏମାନେ ଲୁଟିଛନ୍ତି ପ୍ରାୟ ୮କୋଟିରୁ ଅଧିକ ଟଙ୍କା ।

ଏସବିଆଇ ବ୍ୟାଙ୍କ ଏଟିଏମ୍ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ବି ଏହି କାରସାଦି ଦେଖି ତାଜୁବ୍ ହୋଇଯାଇଥିଲେ । ଆଉ ଲୁଟେରା ବି କ୍ୟାମେରା ଆଗରେ ବଖାଣିଥିଲା ଲୁଟ୍‌ର ଟେକନିକ୍ ।

 

ଲୁଟେରାମାନଙ୍କୁ ଗିରଫ କରି ପୋଲିସ ଜବତ କରିଛି ନଗଦ ୯୦ ହଜାର ଟଙ୍କା, ନମ୍ବର ବିହୀନ ଦାମୀ ଗାଡ଼ି, ୧୫ଟି ବିଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ, ୫ଟି ଲୁହା ପାତିଆ ଓ ମୋବାଇଲ୍ ଫୋନ୍ ଆଉ ଏହି ଲୁଟ୍ ଖେଳରେ ନିଜ ଏଟିଏମ୍ କାର୍ଡ ଦେଇ ଯେଉଁମାନେ କମିଶନ ପାଉଥିଲେ ସେମାନେ ବି ଏବେ ପୋଲିସ୍ ସ୍କାନରରେ । ଆଗକୁ ଏମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିପାରେ ପୋଲିସ୍ ।