• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପୁଣି ଗଞ୍ଜାମରେ ନକଲି ମଦ କାରବାରର ପର୍ଦ୍ଦାଫାସ ।

  • ନକଲି ମଦ କାରବାର ରାକେଟ୍‌ର ପର୍ଦ୍ଦାଫାସ କରିଛି ପୋଲିସ ।

  • ଏହାସହ ୫ ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ ।

ବ୍ରହ୍ମପୁର: ପୁଣି ଗଞ୍ଜାମରେ ନକଲି ମଦ କାରବାରର ପର୍ଦ୍ଦାଫାସ । ଗଞ୍ଜାମ ଗାଙ୍ଗପୁର ପୋଲିସ ନକଲି ମଦ କାରବାର ରାକେଟ୍‌ର ପର୍ଦ୍ଦାଫାସ କରିଛି । ଏହାସହ ୫ ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ । ଅଭିଯୁକ୍ତମାନେ ନକଲି ମଦ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ଏହାପରେ ଗାଙ୍ଗପୁର ପୋଲିସ ବ୍ଲକିଂ କରି ଗାଡ଼ି ଯାଞ୍ଚ କରିବା ବେଳେ ଏକ କାର୍ ଭିକତରୁ ବହୁ ପରିମାଣର ନକଲି ମଦ ଜବତ କରିଥିଲା । ପରେ ପୋଲିସ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରିଥିଲା । ଏହାପରେ ନକଲି ମଦ କାରବାରର ପୁରା ରାକେଟ୍ ସଂପର୍କରେ ଜାଣିବାକୁ ପାଇଥିଲା । ପରେ ଚୋରା ମଦ ପ୍ରସ୍ତୁତ ହେଉଥିବା ଧାନପୁଞ୍ଜା ଗାଁରେ ପୋଲିସ ଚଢ଼ାଉ କରି ୧୫୨ ଲିଟର ବିଦେଶୀ ମଦ ଜବତ କରିଛି ।

ଖାଲି ସେତିକି ନୁହେଁ, ବିପୁଳ ପରିମାଣର ସ୍ପିରିଟ୍ ବୋତଲ, ଠିପି, ବ୍ରାଣ୍ଡ ଲେବଲ, ବ୍ରାଣ୍ଡ ସିଲ୍ ଆଦି ଜବତ କରିଛି । ୫ଟି ମୋବାଇଲ୍ ଫୋନ୍ ନଗଦ ୩ ହଜାର ଟଙ୍କା ଏବଂ ଗୋଟିଏ କାର୍ ମଧ୍ୟ ଜବତ କରିଛି ପୋଲିସ ।

ପୂର୍ବରୁ ମଧ୍ୟ ବ୍ରହ୍ମପୁରରେ ନକଲି ମଦ କାରବାର ନେଇ ଅଭିଯୋଗ ହୋଇଛି । ଅନେକ ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ କିଛି ସ୍ଥାନରେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ହେଲେ ପୋଲିସ କିମ୍ବା ଅବକାରୀ ବିଭାଗ ଯେଉଁଭଳି ପଦକ୍ଷେପ ନେଉଛି, ତାହା ଦେଖିଲେ ଲାଗୁଛି ନକଲି ମଦ କାରବାର ଉପରେ  କେବଳ ଧର୍ମକୁ ଆଖିଠାର । ପୋଲିସ ରେଡ୍ ପରେ ମଧ୍ୟ ଯଥା ପୂର୍ବଂ ତଥା ପରଂ ।

ଗତ କିଛି ଦିନ ମଧ୍ୟରେ ୫ରୁ ଅଧିକ ନକଲି ମଦ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ ହୋଇସାରିଛି । ଏଥିରେ ଅନେକ ସ୍ପିରିଟ୍ ମଧ୍ୟ ଜବତ କରାଯାଇଛି । ଏହି ନକଲି ମଦ ଗୁଡ଼ିକ ହୋମିଓପ୍ୟାଥି ସ୍ପିରିଟରେ କଲର, ଏସେନ୍ସ ପକାଇ ତିଆରି ହେଉଛି । ଯାହାକି ମଣିଷ ଶରୀର ପାଇଁ ଢ଼େର କ୍ଷତି କାରକ । ଖାଲି ସେତିକି ନୁହେଁ ଏହାଦ୍ୱରା ମଦମୃତ୍ୟୁର ଆଶଙ୍କା ମଧ୍ୟ ରହିଛି । ଏଥିରେ ରାଜ୍ୟ ସରକାରଙ୍କ ରାଜସ୍ୱ ହାନୀ ମଧ୍ୟ ହେଉଛି । ଏଣୁ ହୋମିଓପ୍ୟାଥିକ ସ୍ପିରିଟ ସହ ଏହାର ବେପାରୀକୁ ଧରିବାକୁ ଏକ ଅପରେସନ୍ ଆରମ୍ଭ କରିଥିଲା ବ୍ରହ୍ମପୁର ପୋଲିସ ।

ନକଲି ପାନମସଲା, ଖାଦ୍ୟ, ସସ୍, କୋଲଡ ଡ୍ରିକ୍ସ ପରେ ଏବେ ବ୍ରହ୍ମପୁରରେ ନକଲି ବିଦେଶୀ ମଦ ବେପାର ଜୋରସୋରରେ ଚାଲିଛି । ନାମୀ ଦାମୀ ବ୍ରାଣ୍ଡର ସିଲ୍ ଲଗାଇ ମାର୍କେଟକୁ ଛଡ଼ାଯାଉଛି ଏହି ନକଲି ବିଦେଶୀ ମଦ । କମ୍ ଦାମରେ ବିଦେଶୀ ମଦ ପାଇଁ ଗ୍ରାହକ ବି ଖୁସ୍ । ଚାରିଆଡ଼େ ଲକଡାଉନ୍ ଓ ସଟଡାଉନ୍ ହେଉଥିବା ହେତୁ ସରକାରୀ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନ ଗୁଡ଼ିକ ସବୁ ବନ୍ଦ । ଆଉ ଏହାର ସୁଯୋଗ ନେଇ ଗତ ଏକ ବର୍ଷ ହେଲା ମାର୍କେଟରେ ମୁଣ୍ଡ ଟେକିଛନ୍ତି ଏହି ନକଲି ବିଦେଶୀ ମଦ ବେପାରୀ । ଗତ ବର୍ଷକ ଭିତରେ ୧୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଚଢ଼ାଉ କରି ହଜାର ହଜାର ଲିଟର ହୋମିଓପ୍ୟାଥି ସ୍ପିରିଟ ସହ ବହୁ ପରିମାଣରେ ନକଲି ବିଦେଶୀ ମଦକୁ ଜବତ କରିଛନ୍ତି ଅବକାରୀ ଓ ପୋଲିସ ଅଧିକାରୀ ମାନେ । ଆସାମୀ ଗିରଫ ହୋଇ ଜାମିନରେ ଆସି ପୁଣି ଥରେ କରୁଛନ୍ତି ବେପାର । ତେବେ ଏହି ମଦ ବେପାରକୁ ସମ୍ପୂର୍ଣ୍ଣ ଭାବେ ଧରିବାକୁ ଦାବି କରିଛନ୍ତି ମଦ ବେପାରୀ ସଂଘ ସଭାପତି । ନଚେତ୍ ଏହା ଆଗାମୀ ଦିନରେ ବ୍ରହ୍ମପୁରରେ ମଦ ବିଭୀଷିକା ତିଆରି କରିବ ବୋଲି ମଧ୍ୟ ଚେତାଇ ଦେଇଛନ୍ତି ।