• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଖାକିରେ ଲାଗିଲା ହାଜତ ମୃତ୍ୟୁର ଦାଗ । ଜୟପୁରରେ ୪ ବର୍ଷ ତଳେ ଘଟିଥିବା ହାଜତ ମୃତ୍ୟୁ ଘଟଣାରେ ୪ ପୋଲିସ୍ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା । ତତ୍କାଳୀନ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଂଚ୍ । ସେପଟେ ଗଞ୍ଜାମ ଗୋଳନ୍ଥରା ଥାନା ହାଜତ ମୃତ୍ୟୁ ମାମଲାରେ ରଙ୍ଗେଇଲୁଣ୍ଡା ବ୍ଲକ୍ ଉପାଧ୍ୟକ୍ଷ ତଥା ବିଜେଡି ନେତା ଅଜିତ ଦାସ ଓ ତତ୍କାଳୀନ ଥାନା ଅଧିକାରୀଙ୍କ ସମେତ ୫ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ତେବେ ଲଗାତାର ଦୁଇ ଦିନ ଧରି ହାଜତ ମୃତ୍ୟୁ ନେଇ ଓଡିଶା ପୋଲିସ୍‌ର ଆଚରଣ ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗେଇଛି ।

ପୋଲିସ ହେପାଜତରେ ଥିବା ବେଳେ ଯୁବକଙ୍କ ମୃତ୍ୟୁ । ଏହି ଘଟଣାରେ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ । ୪ ବର୍ଷ ତଳେ ଜୟପୁର ଟାଉନ୍ ଥାନାରେ ଘଟିଥିବା ହାଜତ ମୃତ୍ୟୁ ଘଟଣାର ହେବ ତଦନ୍ତ । କ୍ରାଇମ୍‌ବ୍ରାଞ୍ଚ ASP ରାମଚନ୍ଦ୍ର ଥମ୍ବଙ୍କୁ ଦିଆଯାଇଛି ମାମଲାର ତଦନ୍ତ ଦାୟିତ୍ୱ । କେଉଁ ପରିସ୍ଥିତିରେ ଅଭିଯୁକ୍ତର ମୃତ୍ୟୁ ହେଲା ? ହାଜତରେ ମାରପିଟ୍ ହୋଇଥିଲା କି ? ପୁରା ଘଟଣାରେ ପୋଲିସର ଭୂମିକା କଣ ଥିଲା ? ସେନେଇ ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।

୩୦ ଜାନୁଆରୀ ୨୦୧୭, ପୋଲିସ ହେପାଜତରେ ଆକାଶ ମହୁରିଆଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଆକାଶ ନାଁରେ ପୂର୍ବରୁ ୧୪ଟି ଅପରାଧିକ ମାମଲା ଥିବା ବେଳେ ସେ ଫେରାର ଥିଲା । ତେବେ ପୋଲିସ ଆକାଶଙ୍କୁ ଥାନାକୁ ଆଣି ନିସ୍ତୁକ ମାଡ଼ ମାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ପରିବାର । ପୋଲିସ ସଫେଇ ରଖିଥିଲା, ପିଛା କରିବା ବେଳେ ବାଇକ୍‌ରୁ ପଡି ଆକାଶ ପ୍ରାଣ ହରାଇଥିଲେ । ଏନେଇ ଥାନା, ଏସ୍‌ପି, ଡିଆଇଜି ଏବଂ ମାନବାଧିକାର କମିଶନରେ ଅଭିଯୋଗ କରିଥିଲେ ପରିବାର । ଘଟଣାର ୪ ବର୍ଷ ପରେ ୪ ଜଣ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ ।

ଏପଟେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ହାଜତ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼ । ଏସ୍‌ଡିଜେଏମ୍ କୋର୍ଟରେ ହୋଇଥିବା ମାମଲା ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗୋଳନ୍ଥରା ଥାନାରେ ରୁଜୁ ହୋଇଛି କେଶ୍ । ରଙ୍ଗେଇଲୁଣ୍ଡା ବ୍ଲକ୍ ଉପାଧ୍ୟକ୍ଷ ତଥା ବିଜେଡି ନେତା ଅଜିତ ଦାସ, ତାଙ୍କ ଭାଇ ଅମିତ୍ ଏବଂ ତତ୍କାଳୀନ ଥାନା ଅଧିକାରୀ ବାବୁଲି ନାୟକଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ୩ ମେ ୨୦୨୧, ରଙ୍ଗିପୁର ଗାଁର ଗଣେଶ ଡାକୁଆ ଥାନାର ଅଭ୍ୟର୍ଥନା କକ୍ଷରେ ବେକରେ ବେଲ୍ଟ ଲଗାଇ ଆତ୍ମହତ୍ୟା କରିଥିବା କହିଥିଲା ପୋଲିସ ।

ହେଲେ ପୋଲିସ ବିରୋଧରେ ପାଲଟା ଅଭିଯୋଗ ଆଣିଥିଲେ ପରିବାର । ବ୍ଲକ ଉପାଧ୍ୟକ୍ଷ ଅଜିତ ଦାସ ଗଣେଶଙ୍କୁ ବିନା କାରଣରେ ରାସ୍ତା ଉପରେ ମାରପିଟ୍ କରିଥିବା ପରିବାର ଅଭିଯୋଗ କରିଥିଲେ । ଏଥିସହ ବିନା ମାମଲାରେ ଗଣେଶଙ୍କୁ ଥାନାକୁ ନେବା, ସେଠାରେ ମାରପିଟ୍ କରିବା ଏବଂ ମୃତ୍ୟୁ ହେବା ପରେ ରାତି ଅଧରେ ଜୋର ଜବରଦସ୍ତ ଦସ୍ତଖତ ନେଇ ଶବ ବ୍ୟବଚ୍ଛେଦ କରାଯାଇଥିବା ପରିବାର ଅଭିଯୋଗ କରିଥିଲେ । ଏବେ ମାମଲାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ପରିବାର ।

ହାଜତ ମୃତ୍ୟୁ ରୋକିବାକୁ ଆଇନ୍‌ରେ ବ୍ୟବସ୍ଥା ସହ ଥାନାରେ ଢାଂଚାଗତ ପରିବର୍ତ୍ତନ ବି ଆସିଛି । ହେଲେ NCRBର ରିପୋର୍ଟ ଅନୁସାରେ, ୨୦୨୦ରେ ଦେଶରେ ମୋଟ୍ ୭୬ଟି ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଓଡ଼ିଶାରେ କୋର୍ଟ ଚାଲାଣ ପୂର୍ବରୁ ଜଣଙ୍କର ଏବଂ ରିମାଣ୍ଡରେ ଆସି ହାଜତରେ ଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ଭିତରୁ ଗୋଟିଏ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।