• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଷ୍ଟାଫ୍ ସିଲେକ୍ସନ୍ କମିଶନ୍‌ରେ ନିଯୁକ୍ତି କେଳେଙ୍କାରୀକୁ ନେଇ ତେଜୁଛି ଅସନ୍ତୋଷ ।

  • କୋଟିପତି ବିରଞ୍ଚି ସାହୁଙ୍କ ଗଡ୍‌ଫାଦର କିଏ ?

  • ଦୀର୍ଘଦିନ ଧରି ଚାଲିଛି ଏଭଳି ଦୁର୍ନୀତି !

ଭୁବନେଶ୍ୱର: ଷ୍ଟାଫ୍ ସିଲେକ୍ସନ୍ କମିଶନ୍‌ରେ ନିଯୁକ୍ତି କେଳେଙ୍କାରୀକୁ ନେଇ ତେଜୁଛି ଅସନ୍ତୋଷ । କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ପଦବୀରୁ ତଡ଼ା ଖାଇଥିବା କରିତକର୍ମା କୋଟିପତି ବିରଞ୍ଚି ସାହୁ କେବଳ ଜଣେ ନୁହଁନ୍ତି, ଦୀର୍ଘଦିନ ଧରି ଅନେକ ଲୋକଙ୍କ ସଂପୃକ୍ତିରେ ଏ ଦୁର୍ନୀତି ଚାଲିଥିବା ଅଭିଯୋଗ ଉଠିଛି । ଜଣଙ୍କ ପରେ ଜଣେ ଚାକିରି ଆଶାୟୀ ସାମ୍ନାକୁ ଆସି ବିଷୋଦଗାର୍ କରୁଛନ୍ତି । ତାସହ ବଖାଣୁଛନ୍ତି ନିଜ ବେଦନାଦାୟକ କାହାଣୀ । ଏସବୁ ଭିତରେ ଆଜି ବିରଞ୍ଚିଙ୍କ କୁବେରପଣର ସତ ଖୋଜିବାକୁ ଏବଂ ଆର୍ଥିକ କାରବାରର ଗୁମର ଖୋଲିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଅଣ୍ଟା ଭିିଡ଼ିଛି ।

ଶିକ୍ଷିତ ବେକାରଙ୍କୁ ଚାକିରିର ଚକ୍‌ମା ଦେଖାଇ ଧଳାହାତୀ ପୋଷା ନୀତି ଆପଣାଇଛି କି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ? OSSC ସଦସ୍ୟଙ୍କ ବହିଷ୍କୃତ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଭଳି ଆଉ କେତେ ଅଛନ୍ତି ମିଡିଲ୍‌ମ୍ୟାନ୍ ? କୋଟି କୋଟି ଟଙ୍କାର କାରବାର କରି ବିରଞ୍ଚିଙ୍କ କୁବେରପଣ ପଛରେ ଆଉ ସବୁ କିଏ ? ଭିଜିଲାନ୍ସର ଜାରି ରହିଥିବା ଖୋଳତାଡ଼ ଭିତରେ ମାମଲା ରୁଜୁ କରି ଏବେ ଏଣ୍ଟ୍ରି ମାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଶା କରାଯାଉଛି, ଇଡ଼ି ବିରଞ୍ଚିଙ୍କ ମନି ଲଣ୍ଡରିଂ ଏବଂ ଚାକିରି ଆଶାୟୀଙ୍କଠୁ ଅର୍ଥ ସଂଗ୍ରହ ପଛର ସତ ଉଗାରିବ । ସାଢ଼େ ୩ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଠୁଳର ମୁଖ୍ୟ ଉତ୍ସ କଣ ? କେମିତି ଏବଂ କାହାକୁ ଅସ୍ତ୍ର କରି ପୁଳା ପୁଳା ଟଙ୍କା, ସୁନା, କୋଠାବାଡ଼ି ଅର୍ଜନ କରିଥିଲେ ବାବୁ ବିରଞ୍ଚି ? ଏ ରାକେଟ୍‌ରେ ଆଉ କିଏ ସବୁ ଅଛନ୍ତି ? ଏସବୁ ଦିଗକୁ ନେଇ ଖୋଳତାଡ଼ ହେବ ବୋଲି କହିଛନ୍ତି ଇଡ଼ି ଯୁଗ୍ମ ନିର୍ଦ୍ଦେଶକ ।

ବିରଞ୍ଚିଙ୍କ ଗିରଫଦାରି ପରଠୁ OSSC ଦ୍ୱାରା ହେଉଥିବା ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତାକୁ ନେଇ କ୍ରମାଗତ ଭାବେ ପ୍ରଶ୍ନ ଉଠାଇ ଚାଲିଛନ୍ତି ଚାକିରି ଆଶାୟୀ । କିଏ ଟଙ୍କା କାରବାରର କଥା କହୁଛନ୍ତି ତ ଆଉ କିଏ ବିଳମ୍ବିତ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ।

ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ନିହାର ରଂଜନ ଦାଶ । ୨୦୧୮ରେ OSSC ଦ୍ୱାରା ପୋଲିସ SI ପାଇଁ ପ୍ରକାଶିତ ବିଜ୍ଞାପନ ଆଧାରରେ ଆବେଦନ କରିଥିଲେ । ଇତି ମଧ୍ୟରେ ୩ ବର୍ଷ ହୋଇଗଲାଣି, ନିଯୁକ୍ତି ତ ଦୂରର କଥା, ପରୀକ୍ଷା ହିଁ ହୋଇନଥିବା ଅଭିଯୋଗ କରିଛନ୍ତି । ଖାଲି ଯେ SI ନିଯୁକ୍ତି ତା’ନୁହେଁ, ଗତ କିଛି ବର୍ଷ ଧରି ବିଭିନ୍ନ ପଦପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରି ଅହେତୁକ ବିଳମ୍ବ ସହ କମିଶନ୍ ଆଶାୟୀଙ୍କ ଭବିଷ୍ୟତ ସହ ଖେଳ ଖେଳିଥିବା ଅଭିଯୋଗ ଆଣି ବର୍ଷୁଛନ୍ତି ଚାକିରି ଆଶାୟୀ । ଏପରିକି କିଛି ଆଶାୟୀ କମିଶନଙ୍କ ଅଫିସର ଦ୍ୱାରସ୍ଥ ହୋଇଥିବାବେଳେ ଆଉ କିଛି ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ଚାକିରି ନାଁରେ ବିରଞ୍ଚି ସାହୁଙ୍କ ଟଙ୍କା କେଳେଙ୍କାରୀର ଗୁମର ଖୋଲିଛନ୍ତି ।

ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତାର ଏଭଳି ଲମ୍ବି ଚାଲିଥିବା ଅଭିଯୋଗ ଭିତରେ ଚାକିରି ଆଶାୟୀଙ୍କ ଟାର୍ଗେଟ୍‌ରେ OSSC । କେବଳ ଚାକିରି ଆଶାୟୀ ନୁହଁନ୍ତି, ଗତ ୩ ଦିନ ହେଲା ବିରଞ୍ଚିଙ୍କ ପଛରେ ଥିବା ବଡ଼ ବଡ଼ିଆଙ୍କୁ ଧରିବା ସହ ନିଯୁକ୍ତି କେଳେଙ୍କାରୀର ଖୁଲାସା ଦାବି କରି ଗର୍ଜନ କରୁଛନ୍ତି ଛାତ୍ର କଂଗ୍ରେସ ଏବଂ ବିଜେପି ଯୁବମୋର୍ଚ୍ଚା ସଦସ୍ୟ । ଗତ ୨ ଦିନ ଧରି ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି ଯୁବମୋର୍ଚ୍ଚା ।