• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ରାଜଧାନୀର ରସିକିଆ ବିଲ୍‌ଡରଙ୍କ ରୋଚକ କାହାଣୀ ।

    ଯାହାଙ୍କ ପାଇଁ ବିବାହ ଏକ ବେପାର ।

    ସୁଖ ସଂସାରର ସ୍ୱପ୍ନ ଦେଖୁଥିବା ଯୁବତୀଙ୍କୁ ବିବାହ ବନ୍ଧନରେ ଛନ୍ଦୁଥିଲେ ଜାଣିଶୁଣି ।

ଭୁବନେଶ୍ୱର: ରାଜଧାନୀର ଜଣେ ରସିକିଆ ବିଲ୍‌ଡରଙ୍କ ରୋଚକ କାହାଣୀ । ଯାହାଙ୍କ ପାଇଁ ବିବାହ ଏକ ବେପାର । ସୁଖ ସଂସାରର ସ୍ୱପ୍ନ ଦେଖୁଥିବା ଯୁବତୀଙ୍କୁ ବିବାହ ବନ୍ଧନରେ ଛନ୍ଦୁଥିଲେ ଜାଣିଶୁଣି । ଆଉ ବିବାହ ପରେ ଯୌତୁକ ଆଳରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ଘରୁ ତଡ଼ି ଦେଉଥିଲେ । ପ୍ରାୟ ୪/୫ ଜଣ ଯୁବତୀଙ୍କୁ ସେ ଏଭଳି ପ୍ରତାରିତ କରିଥିବା କୁହାଯାଉଛି । ଶେଷରେ ୨ ଯୁବତୀଙ୍କ ଅଭିଯୋଗ ସାମ୍ନାକୁ ଆସିବା ପରେ ସଂପୃକ୍ତ ବିଲ୍‌ଡରଙ୍କୁ ବାନ୍ଧିଛି ପୋଲିସ । 

ଏହି ବିଲଡର୍ ଜଣକ ଯୌତୁକ ଆଳରେ ଆଦାୟ କରୁଥିଲେ ଟଙ୍କା, ସୁନା, ଗାଡ଼ି । ଆଉ ପତ୍ନୀକୁ ତଡ଼ି ଦେଉଥିଲେ ବାପ ଘରକୁ । ଏହି ବିଲ୍‌ଡରଙ୍କ ନାଁ ପ୍ରିୟବ୍ରତ ମିଶ୍ର ।

ପ୍ରଥମ ମାମଲା, କଟକ ନିଆଳି ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ ୨୦୧୮, ଜୁଲାଇ ୧୫ରେ । ରାଜଧାନୀର ଏକ ପଞ୍ଚତାରକା ହୋଟେଲ୍‌ରେ ଯାକଜମକରେ ହୋଇଥିଲା ବିବାହ । ଯୌତୁକ ବାବଦକୁ ପାଇଥିଲେ ମର୍ସିଡିଜ୍ କାର୍ ସହ ନଗଦ ୨୧ ଲକ୍ଷ ଟଙ୍କା ଏବଂ ଗହଣାଗାଣ୍ଠି । କିନ୍ତୁ ବିବାହର ୫ ମାସ ନପୁରୁଣୁ ହୋଇଗଲା ବିଛେଦ । ଗର୍ଭଧାରଣ ନକରିବାକୁ କଡ଼ା ତାଗିଦ୍ ସହ ନବ ବିବାହିତାଙ୍କୁ ଦିଆଯାଉଥିଲା ଔଷଧ । ଏପରିକି ଏକାଧିକ ଯୁବତୀଙ୍କ ସହ ସମ୍ପର୍କ ରଖି ସେମାନଙ୍କୁ ବିବାହ ଯୋଜନାରେ ଥିଲେ ପ୍ରିୟବ୍ରତ । ଏନେଇ ପ୍ରଥମେ ନିଆଳି ଥାନା ଓ ପରେ ଗତକାଲି ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା ଏବଂ ନ୍ୟାୟ ଭିକ୍ଷା କରିଛନ୍ତି ।

ମାମଲା ନମ୍ବର-୨, ଚଳିତ ବର୍ଷ ଫେବ୍ରୁୟାରୀ ୯ରେ ସମାନ ଢଙ୍ଗରେ ଗଞ୍ଜାମର ଜଣେ ଯୁବତୀଙ୍କୁ ବିବାହ କରିଥିଲେ ପ୍ରିୟବ୍ରତ । ତାପୁଣି ଆରେଞ୍ଜ ମ୍ୟାରେଜ୍ । ସେହି ବିବାହ ବେଳର କଉଡ଼ି ଖେଳର ଭିଡିଓ ମଧ୍ୟ ରହିଛି । ବିବାହ ସମୟରେ ମହିଲା ଜଣକ ପ୍ରାୟ ୩୦ ଲକ୍ଷ ଟଙ୍କାର ଯାନି ଯୌତୁକ ଆଣିଥିଲେ ବାପଘରୁ । ଦାବି ମୂତାବକ ନିଜର କ୍ଷମତା ଅନୁଯାୟୀ, ଟଙ୍କା ଦେଇଥିଲେ ବି ପ୍ରିୟବ୍ରତ ଏହି ଯୁବତୀଙ୍କୁ ଦେଉଥିଲେ ନିର୍ଯାତନା । ଏହି ବିବାଦ ଭିତରେ ପୀଡ଼ିତା ମଧ୍ୟ ଜାଣିପାରିଲେ, ପ୍ରିୟବ୍ରତ ବିବାହିତ ଏବଂ ଏକାଧିକ ଯୁବତୀଙ୍କ ସହ ତାଙ୍କର ସମ୍ପର୍କ ଅଛି । ଶେଷରେ ଗତ ଏପ୍ରିଲ୍ ୧୭ରେ ଏତଲା ପରେ କ୍ୟାପିଟାଲ୍ ଥାନା ପୋଲିସ ମାମଲା ରୁଜୁ କରିବା ସହ ଆଜି ଗିରଫ କରି କୋର୍ଟଚାଲାଣ କରିଛି ।

ସୁନାର ସଂସାର ପାଇଁ ସ୍ୱପ୍ନ ଦେଖୁଥିବା ଏଭଳି ପ୍ରାୟ ୪/୫ ଜଣ ଯୁବତୀଙ୍କୁ ନିଜ ଜାଲରେ ଫସାଇ ବିଲ୍‌ଡର ପ୍ରିୟବ୍ରତ, ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । କିନ୍ତୁ କ୍ୟାପିଟାଲ୍ ଥାନାରେ ହୋଇଥିବା ମାମଲା ଆଧାରରେ ପୋଲିସ 498-A (ଯୌତୁକ ନିର୍ଯାତନା) 417 (ବିବାହ ନାଁରେ ଠକେଇ) 506 (ହତ୍ୟା ଧମକ) ଦଫାରେ ଗିରଫ କରିଛି ।

ଏଠି ପ୍ରଶ୍ନ ଉଠୁଛି, ଏପ୍ରିଲ୍ ୧୭ରେ ମାମଲା ରୁଜୁ ହୋଇଥିଲେ ବି ଏବଂ ସେହି ସମୟରେ ଅଭିଯୁକ୍ତ ପ୍ରିୟବ୍ରତଙ୍କ ଜାମିନ ନାମଞ୍ଜୁର ହୋଇଥିଲେ ବି ପୂର୍ବରୁ ପୋଲିସ ତାଙ୍କୁ କାହିଁକି ଗିରଫ କରିନଥିଲା ? କେବଳ ପ୍ରିୟବ୍ରତ ନୁହଁନ୍ତି, ପୁଅର ଏଭଳି କାଣ୍ଡ ସମ୍ପର୍କରେ ଅବଗତ ଥିବା ବାପା, ମା’ଙ୍କ ବିରୋଧରେ ଥାନାରେ ଫେରାଦ୍ ହୋଇଛନ୍ତି ଏକାଧିକ ପୀଡ଼ିତା । ତଥାପି କାହିଁକି ଘଣ୍ଟ ଘୋଡାଉଛି ପୋଲିସ୍‌ ? ସଂଗୀନ ଅଭିଯୋଗ ପରେ ବି ପୋଲିସ ଜାଣିଶୁଣି କୋହଳ ଦଫା ଲଗାଉଛି କି ? ତେଣେ ଅଭିଯୁକ୍ତ ପ୍ରିୟବ୍ରତ କହିଛନ୍ତି ସେ କେବଳ ଜଣଙ୍କୁ ହିଁ ବିବାହ କରିଛନ୍ତି ।