• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାୟଗଡ଼ା(ମନୋଜ କୁମାର ପାତ୍ର) : ମହାମାରୀ କରୋନାରେ ଲୋକଙ୍କ ଅକାଳ ମୃତ୍ୟୁ ଘଟୁଥିବା ବେଳେ ସେମାନଙ୍କ ମୃତ୍ୟୁ ପ୍ରମାଣ ପତ୍ର ପାଇବା ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ମୃତ୍ୟୁ ପ୍ରମାଣପତ୍ର ଖଣ୍ଡିଏ ପାଇଁ ମୃତକଙ୍କ ବିଧବା ପତ୍ନୀ ବାରମ୍ବାର ଅଫିସରୁ ଅଫିସକୁ ଦୌଡି ଦୌଡି ନମିଳିବା ଦ୍ୱାରା ହତାଶ ହୋଇପଡୁଥିବା ଖବର ନଜରକୁ ଆସିଛି । ଗୋଟିଏ ପଟେ ପ୍ରିୟଜନଙ୍କ ଅକାଳ ମୃତ୍ୟୁ ଘଟିବା ଦୁଃଖ ମନରୁ ଲିଭି ନଥିବା ବେଳେ ପ୍ରମାଣ ପତ୍ର ପାଇଁ ଅଫିସରୁ ଅଫିସ୍‌ ଦୌଡିବା କଷ୍ଟ ତାଠାରୁ ବଳି ଯାଉଛି ।

ରାୟଗଡା ଜିଲ୍ଳା କୁମୁଟାଲପେଟା ଗ୍ରାମର ସୁଶୀଳା ମିଶାଲ । ଗତ କିଛି ମାସ ତଳେ ସ୍ୱାମୀ ପୁର୍ଣ୍ଣଚନ୍ଦ୍ର ମିଶାଲଙ୍କ ଦେହ ଖରାପ ହେବାରୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ କୋରାପୁଟ ସ୍ଥାନାନ୍ତର କରିଥିଲେ । ସେଠାକୁ ଯିବା ପରେ ତାଙ୍କ କରୋନା ଚିହ୍ନଟ ହେବାରୁ ତାଙ୍କୁ ଆଇସୋଲେସନ୍‌ରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ କରୋନା ଜନିତ ମୃତ୍ୟୁ କହି କୋରାପୁଟ ସରକାରୀ ଡାକ୍ତର ଖାନାରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାନଯାଇ ହସ୍ପିଟାଲ କର୍ତ୍ତୃପକ୍ଷ କରୋନା ମାର୍ଗଦର୍ଶିକା ଅନୁଯାୟୀ ଦାହ ସଂସ୍କାର କରିଥିଲେ । ହେଲେ ସୁଶୀଳାଙ୍କୁ ଆଜି ଯାଏ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣ ପତ୍ର ମିଳିପାରୁ ନାହିଁ । କୋରାପୁଟ ଠାରୁ ଆରମ୍ଭ କରି ରାୟଗଡା ପର୍ଯ୍ୟନ୍ତ ଦୌଡି ଦୌଡି ନିରାଶ ହୋଇ ପଡିଛନ୍ତି ।

କେବଳ ସୁଶୀଳା ନୁହଁନ୍ତି ଆଉ ଜଣେ ମହିଳା ମଧ୍ୟ ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାୟଗଡା କସ୍ତୁରୀ ନଗର ଅଂଚଳର ଗୀତାଞ୍ଜଳୀ ବେହେରାଙ୍କ ସ୍ୱାମୀ ଫାଲଗୁନୀ ବେହେରା କରୋନା ପଜିଟିଭ ଚିହ୍ନଟ ହେବା ପରେ ଜେକେପୁର କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ମେ ୨୬ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିଲା । ହେଲେ ଆଜି ପର୍ଯ୍ୟନ୍ତ ତାଙ୍କର ପଜିଟିଭ ରିପୋର୍ଟ ଡାକ୍ତରଖାନାରୁ ମିଳିପାରୁ ନାହିଁ । ନିଜ ସ୍ୱାମୀଙ୍କ ସରକାରୀ ପ୍ରାପ୍ୟ ପାଇବା ପାଇଁ ଏହି ରିପୋର୍ଟର ଆବଶ୍ୟକ ରହିଥିବା ବେଳେ ଡାକ୍ତରଖାନାରେ କମ୍ପୁଟରରେ ତଥ୍ୟ ମିଳୁନଥିବା କହି କର୍ମଚାରୀ ମାନେ ତାଙ୍କୁ ବାରମ୍ବାର ଫେରାଇ ଦେଉଥିବା କହିଛନ୍ତି ଗୀତାଞ୍ଜଳୀ ।

ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକୀୟ ପ୍ରମାଣ ପତ୍ର ମିଳୁନଥିବା ଅଭିଯୋଗ ନେଇ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା । ହେଲେ ସେ ବେଶ୍‌ ଚତୁରତାର ସହ ଅଭିଯୋଗକୁ ଆଡେଇ ଯାଇଛନ୍ତି । ଜିଲ୍ଳା ବାହାରେ କୋଭିଡ୍‌ ମୃତ୍ୟୁ ହେଲେ ସଂପୃକ୍ତ ଜିଲ୍ଲାର ମ୍ୟୁନିସିପାଲିଟି ସାର୍ଟିଫିକେଟ ପ୍ରଦାନ କରୁଥିବା ବେଳେ ଜିଲ୍ଲାରେ ମୃତ୍ୟୁ ହେଲେ ବିଭାଗୀୟ ଅଧିକାରୀ ନିଶ୍ଚିତ ଭାବେ ଆବଶ୍ୟକୀୟ ପ୍ରମାଣ ପତ୍ର ପ୍ରଦାନ କରିବେ ବୋଲି ସଫେଇ ଦେଇଛନ୍ତି ସିଡିଏମଓ ।