• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କେରଳ ଆଡୁ ମାଡି ଆସୁଛି କରୋନାର ତୃତୀୟ ଲହର !

  • ତୃତୀୟ ଲହର ଆସିଲେ ଓଡ଼ିଶାରେ ଦ୍ୱିତୀୟ ଲହର ଅପେକ୍ଷା ଦେଢ଼ଗୁଣା ଅଧିକ କେସ୍ ଚିହ୍ନଟ ହେବ ।

  • ପିକ୍ ସମୟରେ ସର୍ବାଧିକ ଦୈନିକ ସଂକ୍ରମଣ ୧୯ ହଜାର ଛୁଇଁପାରେ ।

ଭୁବନେଶ୍ୱର: କେରଳ ଆଡୁ ମାଡି ଆସୁଛି କି କରୋନାର ତୃତୀୟ ଲହର ? ଗଲା ୨୪ ଘଣ୍ଟାରେ ଦେଶରେ ଯେତେ କରୋନା କେସ୍ ଚିହ୍ନଟ ହୋଇଛନ୍ତି, ତାର ୬୮ ପ୍ରତିଶତ କେବଳ ଏହି ରାଜ୍ୟରୁ ଆସିଛି । ଏଣେ ତୃତୀୟ ଲହର ଆସିଲେ ଓଡ଼ିଶାରେ ଦ୍ୱିତୀୟ ଲହର ଅପେକ୍ଷା ଦେଢ଼ଗୁଣା ଅଧିକ କେସ୍ ଚିହ୍ନଟ ହେବ ଏବଂ ପିକ୍ ସମୟରେ ସର୍ବାଧିକ ଦୈନିକ ସଂକ୍ରମଣ ୧୯ ହଜାର ଛୁଇଁପାରେ ବୋଲି ଆକଳନ କରାଯାଇଛି । ସେଥିରୁ ପୁଣି ମୋଟ୍ ପଜିଟିଭ୍ କେସ୍‌ର ୧୨ ପ୍ରତିଶତ, ଶିଶୁ ହୋଇପାରନ୍ତି । ଏଭଳି ଆକଳନ ଭିତରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୧୨ ଜଣ ଶିଶୁ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ଚିନ୍ତା ବଢ଼ାଇଛି ।

କେରଳରେ କରୋନାର ବିସ୍ଫୋରକ ସ୍ଥିତି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୪୬ ହଜାର କେସ୍ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ କେବେଳ କେରଳରୁ ଆସିଛି ୩୧ ହଜାର ୪୪୫ । ଯାହାକି ସମୁଦାୟ ପଜେଟିଭ୍ କେସ୍ର ୬୮ ପ୍ରତିଶତ । ତେଣୁ ଭୟ ହେଉଛି, କେରଳ ଆଡୁ ମାଡ଼ି ଆସିବ କି ତୃତୀୟ ଲହର ? ଯଦି ଆସେ, ତାହେଲେ ଆକଳନ କହୁଛି ଓଡ଼ିଶାରେ ବି ସାଂଘାତିକ ହେବ ସ୍ଥିତି । ପିକ୍ ସମୟରେ ଦୈନିକ ସଂକ୍ରମଣ ସର୍ବାଧିକ ୧୯ ହଜାର ୨୭୮ ପର୍ଯ୍ୟନ୍ତ ଯାଇପାରେ । ଯାହାକି ଦ୍ୱିତୀୟ ଲହର ପିକ୍ ତୁଳନାରେ ଦେଢଗୁଣା ଅଧିକ । ଏହି ସମୟରେ ହାରାହାରି ଭାବେ ଦୈନିକ ସଂକ୍ରମଣ ୧୦ ହଜାର ରହିବ ବୋଲି ଆକଳନ କରାଯାଇଛି ।

ତୃତୀୟ ଲହର ପ୍ରଭାବ ୭୫ ଦିନ ପର୍ଯ୍ୟନ୍ତ ରହିବ । ଏହି ସମୟରେ ସମୁଦାୟ ୭ ଲକ୍ଷ ୬୬ ହଜାର ପଜିଟିଭ୍ କେସ୍ ଚିହ୍ନଟ ହୋଇପାରେ । ତାମଧ୍ୟରୁ ୨୩ ପ୍ରତିଶତ ଅର୍ଥାତ ୧ ଲକ୍ଷ ୭୬ ହଜାର ଆକ୍ରାନ୍ତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି ହେବାକୁ ପଡ଼ିପାରେ । ସେହିପରି ତୃତୀୟ ଲହରରେ ମୋଟ୍ କେସ୍‌ର ୧୨ ପ୍ରତିଶତ ଅର୍ଥାତ ୯୧ ହଜାର ୯୫୩ ଶିଶୁ ସଂକ୍ରମିତ ହେବାର ଆଶଙ୍କା କରାଯାଉଛି । ସେଥିମଧ୍ୟରୁ ୫ ପ୍ରତିଶତ ମାନେ ୪ ହଜାର ୫୯୮ ଜଣ ଶିଶୁ ଗୁରୁତର ହୋଇପାରନ୍ତି । ଏଭଳି ସ୍ଥିତିତୁ ଆଖି ଆଗରେ ରଖି ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ରାଜ୍ୟରେ ଦୈନିକ ଶିଶୁ ସଂକ୍ରମଣ ଟ୍ରେଣ୍ଡ ଏବେ ବି ଶହେ ଉପରେ ରହିଛି । ଗଲା ୨୪ ଘଣ୍ଟାରେ ୧୩୦ ଜଣ ଶିଶୁ ଓ କିଶୋର କୋଭିଡ୍ ଆକ୍ରାନ୍ତ ହୋଇଛନ୍ତି । ସେପଟେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୧୨ ଶିଶୁ ପଜିଟିଭ୍ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ରେଫର୍ କରାଯାଇଛି । ତେଣେ ସମସ୍ତ ଶିକ୍ଷକଙ୍କୁ ଗୁରୁ ଦିବସ ସୁଦ୍ଧା ଟିକା ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେବାପରେ ସ୍ୱତନ୍ତ୍ର କ୍ୟାମ୍ପେନ୍ କରି ଉଭୟ ସରକାରୀ ଓ ବେସରକରୀ  ଶିକ୍ଷକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକା ଦେବାକୁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଦ୍ୱିତୀୟ ଡୋଜ୍ ସମୟ ହୋଇଯାଇଥିବା ନାଗରିକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ କୁହାଯାଇଛି । ଖାସ୍ ସେଥିପାଇଁ ପ୍ରାୟ ୧୧ ଲକ୍ଷ ଡୋଜ୍ ଟିକା ରାଜ୍ୟକୁ ମିଳିବ ।

ଅନ୍ୟପଟେ ଅକ୍ଟୋବର ମାସରୁ ୧୨ରୁ ୧୭ ବର୍ଷର ପିଲାଙ୍କ ପାଇଁ ଜାଇକୋଭ-ଡି ଭ୍ୟାକ୍ସିନ ଉପଲବ୍ଧ ହେବ ବୋଲି ନିତି ଆୟୋଗର କୋଭିଡ୍ ଓ୍ୱାର୍କିଂ ଗ୍ରୁପ ଅଧ୍ୟକ୍ଷ ଡାକ୍ତର ଏନ୍.କେ.ଆରୋରା ସୂଚନା ଦେଇଥିଲେ ।