• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ରାଜ୍ୟରେ କମୁଛି, ହେଲେ ଭୁବନେଶ୍ୱର ଓ କଟକରେ ଚିନ୍ତାଜନକ ସ୍ଥିତିରେ କରୋନା ।

  • ଆଇସିୟୁ ଓ ଭେଣ୍ଟିଲେଟରରେ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି ।

  • ଦୁଇ ସପ୍ତାହ ତଳେ ଏହି ସଂଖ୍ୟା ଯଥେଷ୍ଟ କମ୍ ଥିଲା ।

ଭୁବନେଶ୍ୱର: ରାଜ୍ୟରେ କମୁଛି, ହେଲେ ଭୁବନେଶ୍ୱର ଓ କଟକରେ ଚିନ୍ତାଜନକ ସ୍ଥିତିରେ କରୋନା । ବିଶେଷ କରି ଆଇସିୟୁ ଓ ଭେଣ୍ଟିଲେଟରରେ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି । ଗତକାଲି ସୁଦ୍ଧା ରାଜଧାନୀରେ ଆକ୍ଟିଭ କେସ୍ ଥିଲା ୧୪୯୪ । ତେବେ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ୮୦୧ କୋଭିଡ୍ ଆକ୍ରାନ୍ତ । ଅର୍ଥାତ ଅଧାରୁ ଅଧିକ ଆକ୍ରାନ୍ତଙ୍କୁ ଦରକାର ହେଉଛି ହସ୍ପିଟାଲ ବେଡ୍ । ସେମାନଙ୍କ ମଧ୍ୟରୁ ୫୫୨ ଜଣ ଆଇସିୟୁରେ ଥିବା ବେଳେ ୯୯ ଜଣ ଅଛନ୍ତି ଭେଣ୍ଟିଲେଟରରେ । ଦୁଇ ସପ୍ତାହ ତଳେ ଏହି ସଂଖ୍ୟା ଯଥେଷ୍ଟ କମ୍ ଥିଲା ।

ସେହିପରି କଟକରେ ମଧ୍ୟ ସ୍ଥିତି ଉଦ୍‌ବେଗଜନକ । ପୁରା ଜିଲ୍ଲାରେ ଏବେ ୨ ହଜାର ୫୫୯ ଆକ୍ଟିଭ୍ କେସ୍ ଥିବା ବେଳେ କେବଳ କଟକ ମହାନଗରରେ ଅଛନ୍ତି ୧୨୨୦ ଆକ୍ରାନ୍ତ । ଜିଲ୍ଲାର ବିଭିନ୍ନ କୋଭିଡ୍ ହସପିଟାଲ୍‌ରେ ଏବେ ୧ ହଜାର ୨୮ଜଣ ଭର୍ତ୍ତି ହୋଇଛନ୍ତି । ଚିନ୍ତାଜନକ କଥା ହେଲା ମୋଟ୍ ୮୫୩ ଆଇସିୟୁ ବେଡ୍‌ରୁ ୫୯୩ରେ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିଭଳି ୧୬୯ରୁ ୧୩୧ ଭେଣ୍ଟିଲେଟରରେ ରୋଗୀ ଅଛନ୍ତି । ଅର୍ଥାତ ଆଇସିୟୁର ୭୦ ପ୍ରତିଶତ ବେଡ୍‌ରେ ରୋଗୀ ଥିବା ବେଳେ ଭେଣ୍ଟିଲେଟର ଖାଲି ଅଛି ମାତ୍ର ୨୨ ପ୍ରତିଶତ ।

ଭୁବନେଶ୍ୱର ଓ କଟକରେ କେସ୍ ଲୋଡ୍ ଉଚ୍ଚା ରହିବାର ଏକ କାରଣ ହୋଇପାରେ, ଏହି ଦୁଇ ସହରକୁ ରାଜ୍ୟର ସବୁ ସ୍ଥାନରୁ, ଏପରିକି ରାଜ୍ୟ ବାହାରୁ ମଧ୍ୟ କୋଭିଡ୍ ଆକ୍ରାନ୍ତ ଆସୁଛନ୍ତି । ଏପରିକି ବାହାରୁ ଆସିବା ପରେ ଏଠାରେ ଅନେକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ବିଶେଷଜ୍ଞଙ୍କ ମତରେ କଟକ-ଭୁବନେଶ୍ୱରରେ ଅଧିକ ଲୋକ ଆଡମିଟ୍ ହେଉଛନ୍ତି କହିବା ଠିକ୍ ନୁହେଁ । ଭଲ ସ୍ୱାସ୍ଥ୍ୟ ଭିତ୍ତିଭୂମି ଥିବାରୁ ଏହି ଦୁଇ ସହରକୁ ଅଧିକ ରୋଗୀ ଚିକିତ୍ସିତ ହେବାକୁ ଆସୁଛନ୍ତି । ରାଜ୍ୟର ଅନ୍ୟ ସ୍ଥାନରେ ସଂକ୍ରମଣ କମୁଥିବାରୁ ଏ ଦୁଇ ସହରରେ ମଧ୍ୟ ସଂକ୍ରମଣ ଗ୍ରାଫ୍ ଖସିବ । ମିନି କଣ୍ଟେନମେଣ୍ଟ ଜୋନ୍ କରାଯାଉଥିବାରୁ ଆସନ୍ତା ୧୦ ଦିନରେ ନିଶ୍ଚିତ ଭାବେ ରାଜ୍ୟର ଦୈନିକ ସଂକ୍ରମଣ ହଜାରେ ତଳକୁ ଖସିବ ବୋଲି ଅନୁମାନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । 

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯୨୭ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୬୯ ଜଣଙ୍କ କୋଭିଡ୍‌ରେ ମୃତ୍ୟୁ ହୋଇଥିବା ଅଡିଟ୍ ପରେ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।