• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମସ୍କୋ: ଋଷରେ କାୟା ବିସ୍ତାର କରୁଛି କରୋନା । ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ଆଖିରେ ରଖି ମସ୍କୋରେ କୋଭିଡ କଟକଣାକୁ କଡାକଡି ଭାବେ ଲାଗୁ କରାଯାଇଛି । ସୂଚନା ଅନୁଯାୟୀ ଋଷରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦ ଲକ୍ଷ ଟପିଲାଣି । ମୁଖ୍ୟ କଥା ଏହା ଯେ ଦେଶରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏନେଇ ଦେଶରେ ଭୟାବହ ପରିବେଶ ଖେଳିଯାଇଛି । ଦିନକରେ ୧,୦୧୫ ଜଣଙ୍କର କରୋନା ଜନିତ ମୃତ୍ୟୁ ପରେ ବିଶ୍ୱରେ ବିଶ୍ୱ ରେକର୍ଡ କରିଛି ଋଷ ।

ମଙ୍ଗଳବାର ଋଷରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବିଶ୍ୱରେ ସମସ୍ତ ରେକର୍ଡ ଭାଙ୍ଗିଛି । ଋଷରେ ଗୋଟିଏ ଦିନରେ ୧,୦୧୫ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । ଏହି ସଂଖ୍ୟା ବିଶ୍ୱରେ ଆଜି ପର୍ଯ୍ୟନ୍ତର ସର୍ବାଧିକ ମୃତ ସଂଖ୍ୟା । ଗୋଟିଏ ଦିନରେ ଏତେ ସଂଖ୍ୟକ ମୃତ୍ୟୁ ପରେ ଋଷରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୨୫ ହଜାର ୩୨୫ କୁ ବୃଦ୍ଧି ପାଇଛି । ଯାହା ୟୁରୋପରେ ଏପର୍ଯ୍ୟନ୍ତ ସର୍ବାଧିକ। ଏହା ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୩୩,୭୪୦ ଲୋକ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି ।

ଋଷରେ ଟୀକାକରଣ ହାର ବହୁତ କମ୍‌ ଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାର ସୂଚନା ମିଳିଛି । ଲଟେରୀ, ବୋନସ୍‌ ଓ ଅନ୍ୟାନ୍ୟ ପ୍ରୋତ୍ସାହନ ମାଧ୍ୟମରେ ଟୀକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଋଷ କର୍ତ୍ତୁପକ୍ଷଙ୍କ ଦ୍ୱାରା ପ୍ରୟାସ ଜାରି ରହିଛି । ଟୀକାକରଣର ନିମିତ୍ତ ଉଚିତ୍ ନିୟମ ଏବଂ ଅଧିକାରୀଙ୍କ ଦ୍ୱନ୍ଦ୍ୱମୂଳକ ସୂଚନା ଯୋଗୁଁ ଏହି ପ୍ରୟାସ ସଫଳ ହେଉନାହିଁ ବୋଲି ସୂଚନା ମିଳିଛି । ୧୪.୬ କୋଟି ଜନସ୍ଂଖ୍ୟା ବିଶିଷ୍ଟ ଏହି ଦେଶରେ ବର୍ତ୍ତମାନ ଯାଏଁ ସାଢେ ୪ କୋଟି ଲୋକଙ୍କୁ ଟୀକାକରଣ କରାଯାଇଛି । ୩୨ ପ୍ରତିଶତ ଲୋକଙ୍କୁ ଦୁଇ ଡୋଜ ଟୀକାକରଣ ଦିଆଯାଇଛି । ଦେଶରେ ବଢୁଥିବା ସଂକ୍ରମଣ ସଂଖ୍ୟା ସରକାରଙ୍କୁ ଚିନ୍ତାରେ ପକାଇଛି । ଦେଶରେ କୋଭିଡ କଟକଣାକୁ ବଢାଇ ଦିଆଯାଇଛି ।