• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆଜିଠୁ ଅଗଷ୍ଟ ଅନଲକ୍

  • ୩ ମାସର କଟକଣା ପରେ ଅନଲକ୍ ‌ଆରମ୍ଭ

  • ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ

  • ଖୋଲିବ ମଲ୍, ସିନେମା ହଲ୍ ଓ ରେଷ୍ଟୁରାଣ୍ଟ

  • ଧାର୍ମିକ, ରାଜନୈତିକ ଓ ସାମାଜିକ ସମାବେଶରେ କଟକଣା

ଭୁବନେଶ୍ୱର : ଆଜିଠାରୁ ଲାଗୁ ହେଲା ଅଗଷ୍ଟ ଅନଲକ୍ । ଅଗଷ୍ଟ ମାସ ପାଇଁ ଜାରି ହୋଇଥିବା ଗାଇଡଲାଇନ୍ ଆଜି ସକାଳ ୬ଟାରୁ ଲାଗୁ ହୋଇଛି । ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ଖୋଲା ରହିବ ଦୋକାନ ବଜାର । ରାଜ୍ୟରେ ପ୍ରତିଦିନ ରାତି ୮ଟାରୁ ସକାଳ ୬ ନାଇଟ କର୍ଫ୍ୟୁ ଜାରି ରହିବ । ଅଗଷ୍ଟ ପାଇଁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶନାମା ମାସକ ପାଇଁ ଅର୍ଥାତ ସେପ୍ଟେମ୍ବର ପହିଲା ଯାଏ ଲାଗୁ କରାଯାଇଛି ।

ଅଗଷ୍ଟ ମାସରେ ଧାର୍ମିକ ପୀଠ ଖୋଲିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ । ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ପ୍ରଶାସନ ନିଜେ ଏନେଇ ନିଷ୍ପତ୍ତି ନେବେ । ଧାର୍ମିକ ପୀଠକୁ ଭୋଗ ବା ପ୍ରସାଦ ନେଇପାରିବେନି ଶ୍ରଦ୍ଧାଳୁ । ସେପଟେ ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶକୁ ଅନୁମତି ଦିଆଯାଇନାହିଁ । ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବ ମଧ୍ୟ ବାରଣ କରାଯାଇଛି । ବିବାହ ଓ ଶୁଦ୍ଧିକ୍ରିୟା ନେଇ ଥିବା ପୂର୍ବ କଟକଣା ଜାରି ରହିବ ବିବାହ । ଶୁଦ୍ଧିକାର୍ଯ୍ୟରେ ଭୋଜି ହୋଇପାରିବ ନାହିଁ । ଆୟୋଜକ ଖାଦ୍ୟ ପାର୍ସଲ ଦେଇପାରିବେ ।

ସେହିପରି ନୂଆ ଗାଇଡଲାଇନ୍ ଅନୁଯାୟୀ ଆଜିଠୁ ଖୋଲୁଛି ସିନେମା ହଲ୍ ଓ ମଲ । ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲିପାରିବ ମଲ୍ । ସିନେମା ହଲ୍ ୫୦ପ୍ରତିଶତ ଦର୍ଶକ କ୍ଷମତାକୁ ନେଇ ଖୋଲିପାରିବ । ଆଜିଠାରୁ ସମୁଦ୍ର କୂଳ, ପାର୍କ ଖୋଲିବାକୁ ଅନୁମତି ଦିଆଯାଇଛି । ହେଲେ କରୋନା ଗାଇଡଲାଇନକୁ ମାନିବେ ପର୍ଯ୍ୟଟକ । ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ । ରେଷ୍ଟୁରାଣ୍ଟ, ବାର୍, ଢାବା ୫୦ପ୍ରତିଶତ କ୍ଷମତାକୁ ନେଇ ଖୋଲିବ । ଏଣିକି ରାସ୍ତା କଡ଼ ଦୋକାନରେ ଖାଇ ପାରିବେ ଲୋକେ ।

ରାଜ୍ୟରେ ସାପ୍ତାହିକ ହାଟ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି ।ରାଜ୍ୟ ଭିତରେ ବସ୍ ଚାଲୁ ରହିବ, ସିଟିଂ କାପାସିଟିରେ ଯାତ୍ରୀ ଯାଇପାରିବେ । ଉଭୟ ଅନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ବସ୍ ଚଳାଚଳକୁ ଅନୁମତି ମିଳିଛି । ଯାତ୍ରା, ଅପେରା ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ । ଅଫିସିଆଲ ମିଟିଂରେ ଶହେ ଏବଂ ଉଦଘାଟନ ଓ ଶିଳାନ୍ୟାସରେ ୩୦ ଜଣଙ୍କୁ ଅନୁମତି ଦେବାକୁ ଗାଇଡଲାଇନରେ ରହିଛି ।

ତାଲିମ ଓ ପରୀକ୍ଷା କାର୍ଯ୍ୟ କରିବାକୁ ଅନୁମତି ମିଳିଛି । ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଖୋଲାଯାଇ ପାରିବ । ମ୍ୟୁଜିୟମ, ପର୍ଯ୍ଟନ ସ୍ଥାନ ମଧ୍ୟ ଖୋଲାଯାଇ ପାରିବ । ନନ୍ଦନକାନନ, ୱାର୍ଟର ପାର୍କ ଆଦି ଖୋଲା ଯାଇ ପାରିବ ବୋଲି ସୂଚନା ଦେଇଛନ୍ତି ଏସଆରସି । ତେବେ ଭୁବନେଶ୍ୱର, କଟକ ଓ ପୁରୀରେ ସଂକ୍ରମଣ ହାର ଅଧିକ ଥିବାରୁ ଏହି ୩ ସହରରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ । ଆଜି ରବିବାର ଥିବାରୁ ସପ୍ତାହାନ୍ତ ସଟଡାଉନ୍ କଟକଣା ଏହି ୩ ସହରରେ ଜାରି ରହିବ ।