• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : କୋଭିଡ୍ ବିରୋଧରେ ଲଢ଼େଇ ପାଇଁ ମିଳିପାରେ ନୂଆ ଅସ୍ତ୍ର । ଗେମ୍ ଚେଞ୍ଜର ହୋଇପାରେ ଦୁଇଟି ଆଣ୍ଟି ଭାଇରାଲ୍ ଡ୍ରଗ୍ ମଲନୁପିରାଭିର୍ ଓ ପାକ୍ସଲୋଭିଡ୍ । କୋଭିଡ୍ ବିପକ୍ଷରେ ଏହି ଦୁଇଟି ଔଷଧ ପ୍ରଭାବୀ ହେଉଥିବା ନିକଟରେ ହୋଇଥିବା କ୍ଲିନିକାଲ୍ ଟ୍ରାଏଲରୁ ଜଣାପଡ଼ିଛି । ତେବେ ଏ ନେଇ ସବିଶେଷ ରିପୋର୍ଟ ପ୍ରକାଶ ପାଇନାହିଁ । ଏହି ଔଷଧ ଆସିଲେ କୋଭିଡ୍ ବିପକ୍ଷରେ ଲଢ଼େଇ ପାଇଁ ବଳ ମିଳିପାରେ ।

ଆମେରିକାର ମର୍କ ଓ ରିଜେବ୍ୟାକ୍ ବାୟୋ-ଥେରାପିଉଟିକ୍ସ ପକ୍ଷରୁ ମିଳିତ ଭାବେ ବିକଶିତ କରୋନା ଔଷଧ ମଲନୁପିରାଭିରକୁ ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରିଟେନ୍ ଅନୁମତି ଦେଇଥିବା ବେଳେ ନିକଟ ଭବିଷ୍ୟତରେ ଭାରତରେ ବି ମଞ୍ଜୁରୀ ମିଳିପାରେ । ଏହି ଔଷଧକୁ ସ୍ୱଳ୍ପରୁ ମଧ୍ୟମ ଲକ୍ଷଣ ଦେଖାଯାଉଥିବା କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର ହୋଇପାରିବ ।

ଲକ୍ଷଣ ଦେଖାଦେବାର ୫ ଦିନ ଭିତରେ ଆକ୍ରାନ୍ତ ଏହି ବଟିକା ଖାଇଲେ, ହସ୍ପିଟାଲରେ ଭର୍ତ୍ତି ହେବା ଆଶଙ୍କା ୫୦ ପ୍ରତିଶତ କମିଯିବାର ସମ୍ଭାବନା ରହିଛି । ସେହିପରି ଫାଇଜର୍ କଂପାନୀ ପୂର୍ବରୁ କରୋନା ଟିକା ପ୍ରସ୍ତୁତ କରିଥିବା ବେଳେ, ଏବେ କୋଭିଡ୍ ବଟିକା ପାକ୍ସଲୋଭିଡ୍ ପ୍ରସ୍ତୁତ କରିଛି । ଏହାକୁ ଖାଇଲେ କରୋନା ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ୮୯ ପ୍ରତିଶତ ହ୍ରାସ ପାଉଥିବା କୁହାଯାଉଛି । ୨୮ ଦିନର ଚିକିତ୍ସା ପରେ, ପାକ୍ସଲୋଭିଡ୍ ଖାଇଥିବା କୌଣସି ରୋଗୀଙ୍କର ମୃତ୍ୟୁ ହୋଇନାହିଁ ।

ସେହିପରି ମଲନୁପିରାଭିର ବଟିକାକୁ କୋଭିଡ ପଜିଟିଭ ହେବା ସାଙ୍ଗେ ସାଙ୍ଗେ ଓ ଲକ୍ଷଣ ଦେଖାଦେବାର ୫ ଦିନ ଭିତରେ ଆକ୍ରାନ୍ତଙ୍କୁ ଦିଆଯାଇପାରିବ । ସ୍ୱଳ୍ପରୁ ମଧ୍ୟମ ଧରଣର ଲକ୍ଷଣ ଥାଇ ହୋମ ଆଇସୋଲେସନରେ ଥିବା ଲୋକମାନେ ଦିନକୁ ଦୁଇ ଥର, ଏପରି ୫ ଦିନ ଏହି ବଟିକା ଖାଇବେ । ଡାକ୍ତରଖାନା ଗୁଡ଼ିକର ଭାର ହ୍ରାସ କରିବାରେ ଏବଂ ଗରିବ ଦେଶରେ ସଂକ୍ରମଣକୁ ରୋକିବାରେ ଏହା ସହାୟକ ହୋଇପାରେ ବୋଲି କୁହାଯାଉଛି ।

ଆମେରିକା, ୟୁରୋପ ଏବଂ ଅନ୍ୟ କେତେକ ଦେଶରେ ଏହି ଔଷଧର ସମୀକ୍ଷା କରୁଛନ୍ତି । ବଟିକାର ସୁରକ୍ଷା ଏବଂ କାର୍ଯ୍ୟକାରିତା ନିର୍ଣ୍ଣୟ କରିବା ପାଇଁ ନଭେମ୍ବର ଶେଷରେ ଏକ ପ୍ୟାନେଲ ବୈଠକ ଡକାଇବ ବୋଲି କହିଛି ଆମେରିକାର ଖାଦ୍ୟ ଏବଂ ଔଷଧ ବିଭାଗ ।