• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଡରାଇଲାଣି କରୋନାର ତୃତୀୟ ଲହରୀ । ପୁଣି ଦେଶରେ ବଢ଼ିଲାଣି ସଂକ୍ରମଣ । କିଛି ଦିନ ବ୍ୟବଧାନରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ହେଲା କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪୦ହଜାରରୁ ଅଧିକ ରହୁଛି, ଯାହା ତୃତୀୟ ଲହରୀର ଆଶଙ୍କା ବଢ଼ାଇଦେଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬, ୭୫୯ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଦିନରେ ୫୦୯ ରୋଗୀଙ୍କ ମୃତ୍ୟୁ ଘଟିଛି । ନୂତନ ରୋଗୀ ଚିହ୍ନଟ ହେବା ପରେ ଦେଶରେ ବର୍ତ୍ତମାନ ମୋଟ୍ ସଂକ୍ରମିତ ସଂଖ୍ୟା ୩ କୋଟି ୨୬ ଲକ୍ଷ ୪୯ ହଜାର ୯୪୭କୁ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଦେଶରେ ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୫୯ ହଜାର ୭୭୫ ଥିବାବେଳେ ମୋଟ୍ ୩ କୋଟି ୧୮ ଲକ୍ଷ ୫୨ ହଜାର ୮୦୩ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥି ସହିତ ବର୍ତ୍ତମାନ ସୁଦ୍ଧା ଦେଶରେ ୪ ଲକ୍ଷ ୩୭ ହଜାର ୩୭୦ ଜଣଙ୍କର କରୋନା ଜନତିତ ମୃତ୍ୟୁ ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୬୨,୨୯,୮୯,୧୩୯ ଲୋକଙ୍କୁ ଟିକା ଦିଆଯାଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧,୦୩,୩୫,୨୯୦ଲୋକଙ୍କୁ କରୋନା ଟିକା ଦିଆଯାଇଛି । ତେବେ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛି ।

ଡବ୍ଲୁଏଚଓର ପ୍ରମୁଖ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ ଟ୍ୱିଟ୍ ଜରିଆରେ ଟିକାକରଣ ପ୍ରକ୍ରିୟାରେ ସାମିଲ ହୋଇଥିବା ଲୋକଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହାକୁ ମହତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି କହିଛନ୍ତି । ଦେଶରେ ଅଧାରୁ ବୟସ୍କ ଜନସଂଖ୍ୟା କରୋନା ବିରୋଧୀ ଯୁଦ୍ଧରେ ଏବେ ସୁଦ୍ଧା ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି । ବାକି ଲୋକଙ୍କୁ ଠିକ ସମୟରେ ଟିକା ଦେବା ପାଇଁ ଉଦ୍ୟମ ଚଳାଇଛନ୍ତି ସରକାର ।

ସେପଟେ କେରଳରେ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । ଗତକାଲି କ୍ରମାଗତ ତୃତୀୟ ଦିନ ପାଇଁ ନୂତନ ସଂକ୍ରମଣ ସଂଖ୍ୟା ୩୦ ହଜାରରୁ ଅଧିକ ହୋଇଛି । ଗୁରୁବାର ଦିନ କରୋନାର ୩୦,୦୦୭ ନୂତନ ମାମଲା ସହ ରାଜ୍ୟରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୩୯.୧୩ ଲକ୍ଷକୁ ବୃଦ୍ଧି ପାଇଥିଲା । ଏହାପୂର୍ବରୁ ବୁଧବାର ଦିନ କେରଳରେ ରେକର୍ଡ ସଂଖ୍ୟକ ୩୧,୪୪୫ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିଲେ, ଯାହା ଦେଶରେ ଚିହ୍ନଟ ହୋଇଥିବା ମୋଟ ୪୬,୧୬୪ ମାମଲାର ୬୮.୧୧ ପ୍ରତିଶତ ଅଟେ ।