• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଅକ୍ଟୋବରରେ ସଂକ୍ରମଣ ପିକ୍ ସମ୍ଭାବନା : ରିପୋର୍ଟ

  • ତୃତୀୟ ଲହରୀ ସମୟରେ ପ୍ରତିଦିନ ଏକ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇପାରନ୍ତି

ନୂଆଦିଲ୍ଲୀ : ଅଗଷ୍ଟ ମାସରେ କରୋନାର ତୃତୀୟ ଲହରୀ ସମ୍ଭାବନା । ଦେଶରେ ତୃତୀୟ ଲହରୀ ଚଳିତ ମାସରୁ ଆରମ୍ଭ ହୋଇପାରେ ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି । ତୃତୀୟ ଲହରୀ ସମୟରେ ପ୍ରତିଦିନ ଏକ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇପାରନ୍ତି । ସର୍ବାଧିକ ସାଂଘାତିକ ସ୍ଥିତିରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧.୫ ଲକ୍ଷରେ ପହଞ୍ଚିପାରେ । ହାଇଦ୍ରାବାଦ ଏବଂ କାନପୁରରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ରେ ମଥୁକୁମଲ୍ଲୀ ବିଦ୍ୟାସାଗର ଏବଂ ମଣିନ୍ଦ୍ର ଅଗ୍ରୱାଲଙ୍କ ନେତୃତ୍ୱରେ ହୋଇଥିବା ଅନୁସନ୍ଧାନରେ ଦାବି କରାଯାଉଛି, ଅକ୍ଟୋବରରେ ତୃତୀୟ ଲହରୀ ଶିଖର ଛୁଇଁପାରେ । କେରଳ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ ଯୋଗୁଁ ପରିସ୍ଥିତି ପୁଣି ଗୁରୁତର ହୋଇପାରେ ବୋଲି ବିଦ୍ୟାସାଗର ଏକ ଇମେଲରେ ଦର୍ଶାଇଛନ୍ତି । ତେବେ ଆଶା କରାଯାଉଛି କୋଭିଡ -19 ର ତୃତୀୟ ତଲହରୀ ଦ୍ୱିତୀୟ ଲହରୀ ଭଳି ମାରାତ୍ମକ ହେବ ନାହିଁ । 

ଗାଣିତିକ ମଡେଲ ଉପରେ ଆଧାର କରି କିଛି ଦିନ ମଧ୍ୟରେ ଭାରତର କରୋନା ଭାଇରସ ଶିଖର ଛୁଇଁପାରେ ବୋଲି ଚଳିତ ବର୍ଷ ମେ ମାସରେ କହିଥିଲେ ଆଇଆଇଟି ହାଇଦ୍ରାବାଦର ପ୍ରଫେସର ବିଦ୍ୟାସାଗର । ଜୁନ୍ ଶେଷ ପର୍ଯ୍ୟନ୍ତ ଦୈନିକ ୨୦,୦୦୦ ସଂକ୍ରମିତ ଚିହ୍ନଟ ହୋଇପାରନ୍ତି ବୋଲି ଆକଳନ କରିଥିଲେ । ତେବେ ବିଦ୍ୟାସାଗରଙ୍କ ଟିମର ଆକଳନ ଭୁଲ ବୋଲି ପ୍ରମାଣିତ ହୋଇଥିଲା । ଜୁନ୍ ମଧ୍ୟଭାଗରେ କରୋନା ଶିଖର ଛୁଇଁବ ବୋଲି କହିଥିଲେ । ଏହା ପରେ ସେ ଟ୍ୱିଟରରେ ଏସମ୍ପର୍କରେ ଲେଖିଥିଲେ, ଭୁଲ ପାରାମିଟର କାରଣରୁ ଏପରି ହୋଇଥିଲା । ବିଦ୍ୟାସାଗର ରଏଟର୍ସକୁ ମେ ୩ରୁ ୫ ମଧ୍ୟରେ ଓ ଇଣ୍ଡିଆ ଟୁଡେକୁ କହିଥିଲେ ମେ ୭ରେ ଶିଖର ଛୁଇଁବ କରୋନା । ହେଲେ ତାଙ୍କ ଆକଳନ ଠିକ୍ ନଥିଲା । 

ସେପଟେ ଆଇସିଏମଆର୍ ରିପୋର୍ଟ ଅନୁସାରେ ଯେଉଁ ଜିଲ୍ଲାରେ ଦ୍ୱିତୀୟ ଲହରୀ ତାଣ୍ଡବ ରଚିଥିଲା, ସେଠାରେ କମ୍ ମାରାତ୍ମକ ହେବ ତୃତୀୟ ଲହରୀ” । ଦ୍ୱିତୀୟ ଲହରୀରେ ବହୁ ସଂଖ୍ୟକ ଲୋକ ସଂକ୍ରମିତ ହୋଇ ଜୀବନ ହାରିଛନ୍ତି । କେତେ କୁନି କୁନି ପିଲା ବାପାମା’ ଛେଉଣ୍ଡ ହୋଇ ଯାଇଥିବା ବେଳେ ଅନେକ ପରିବାର ଉଜୁଡ଼ି ଯାଇଛି । ଅପୂରଣୀୟ କ୍ଷତି ଦେଇ ଯାଇଛି ଦ୍ୱିତୀୟ ଲହରୀ । ଏଭଳି ପରିସ୍ଥିତିରେ ବର୍ତ୍ତମାନ ବିଶେଷଜ୍ଞମାନେ କରୋନା ତୃତୀୟ ଲହରୀକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଆଉ ଏହି ଭିତରେ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ନୂତନ ତଥ୍ୟ ପ୍ରଦାନ କରିଛି । ଯେଉଁ ଜିଲ୍ଲା ଗୁଡ଼ିକରେ କରୋନା ଭୂତାଣରୁ ଦ୍ୱିତୀୟ ଲହରୀର ପ୍ରଭାବ ଅଧିକ ଥିଲା, ସେଠାରେ ତୃତୀୟ ଲହରୀ ସେତେ ଅଧିକ କ୍ଷତି ଘଟାଇବ ନାହିଁ ବୋଲି ଆଇସିଏମଆର କହିଛି । ତୃତୀୟ ଲହରୀ ସେହି ଜିଲ୍ଲା ଗୁଡ଼ିକରେ କମ୍ ମାରାତ୍ମକ ହେବ ।