• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର(ରିପୋର୍ଟର- କପିଳେନ୍ଦ୍ର ପ୍ରଧାନ): ଓଡ଼ିଶାକୁ ଘାରୁଛି ଓମିକ୍ରନ୍ ଚିନ୍ତା । ରାଜ୍ୟରୁ ଏପର୍ଯ୍ୟନ୍ତ କେହି ଜଣେ ହେଲେ ବି ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ ହେଁ, ନଭେମ୍ବର ୨୯ ପରେ ପଜିଟିଭ ଥିବା ୨୪୬ ଜଣଙ୍କର ନମୁନାକୁ ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ଅପରପକ୍ଷରେ ଚିନ୍ତାର କଥା ହେଉଛି, ଓମିକ୍ରନ ରିସ୍କ ଦେଶରୁ ଆସିଥିବା ୮ଶହ ଲୋକଙ୍କ ମଧ୍ୟରୁ ୪୦ ପ୍ରତିଶତଙ୍କ ଠିକଣା ମିଳୁନି । ଖୋଦ୍ ସ୍ୱାସ୍ଥ୍ୟ ବିଭାଗର ଏହି ସୂଚନା ପରେ ଚିନ୍ତା ବଢ଼ିବାରେ ଲାଗିଛି । ତେବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ନୂଆ ଭୂତାଣୁକୁ ନେଇ ସରକାର ସଜାଗ ଅଛନ୍ତି, ଲୋକଙ୍କ ସହଯୋଗ ଜରୁରୀ ପଡିବ ।

ଓଡ଼ିଶାରେ ପହଞ୍ଚି ସାରିଲାଣି କି କରୋନାର ନୂଆ ରୂପ ଓମିକ୍ରନ୍? ନଭେମ୍ବର ୨୯ ପରେ ଜିନମ୍ ସିକ୍ୱେନ୍ସିଂ ପାଇଁ ଭୁବନେଶ୍ୱର ସ୍ଥିତି ଜୀବ ବିଜ୍ଞାନ ପ୍ରତିଷ୍ଠାନ-ILSକୁ ଆସିଥିବା ୨୪୬ ନମୁନାକୁ ନେଇ ଏହି ଆଶଙ୍କା ବଢ଼ିବାରେ ଲାଗିଛି । ରାଜ୍ୟ ସରକାରଙ୍କ ଟେଷ୍ଟିଂ ଲ୍ୟାବ୍‌ରୁ ଏସବୁ ନମୁନା ଆସିଥିବା ILS ନିର୍ଦ୍ଦେଶକ ଡଃ ଅଜୟ ପରିଡା ସୂଚନା ଦେଇଛନ୍ତି । ସମସ୍ତ ନମୁନାର ଆଉ ଥରେ RT-PCR ଟେଷ୍ଟ ହେବ, ଯାହାର ସିଟି ଭ୍ୟାଲୁ ୨୮ ତଳକୁ ରହିବ, ସେଗୁଡ଼ିକର ଜିନମ୍ ସିକ୍ୱେନ୍ସିଂ କରାଯିବ ବୋଲି ସୂଚନା ଦିଆଯାଇଛି । ଆସନ୍ତା ଗୁରୁବାର ସଂଧ୍ୟାରେ ରିପୋର୍ଟ ଆସିବା ପରେ କେହି ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି ନା ନାହିଁ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ପୂର୍ବରୁ ଜିନମ୍ ସିକ୍ୱେନ୍ସିଂ ହୋଇଥିବା ୧୪୧ ନମୁନାରେ ଓମିକ୍ରନ୍ ନ ଥିବା ସେ ସ୍ପଷ୍ଟ କରିସାରିଛନ୍ତି ।

 

ଏପଟେ ଚିନ୍ତା ବଢାଇଛି ସ୍ୱାସ୍ଥ୍ୟ ବିଭାଗର ସୂଚନା, କାରଣ ବର୍ତ୍ତମାନ ସୁଦ୍ଧା ଓମିକ୍ରନ୍ ରିସ୍କ ଦେଶରୁ ରାଜ୍ୟକୁ ୮ଶହରୁ ଅଧିକ ଲୋକ ଆସିଥିଲେ ମଧ୍ୟ ୪୦ପ୍ରତିଶତଙ୍କୁ ଠାବ କରାଯାଇପାରୁନି । ଏୟାର ସୁବିଧା ପୋର୍ଟାଲରେ ଭୁଲ ଫୋନ୍ ନମ୍ବର ଓ ଠିକଣା ଦେଉଥିବା କାରଣରୁ ବିଦେଶାଗତଙ୍କୁ ଠାବ କରିବା ସମ୍ଭବପର ହେଉନଥିବା ସ୍ୱାସ୍ଥ୍ୟ ବିଭାଗ ସଫେଇ ଦେଇଛି । ତେବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡଃ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ବିଦେଶ ଫେରନ୍ତାଙ୍କ ସଂପର୍କରେ କେନ୍ଦ୍ର ଯେଉଁ ତଥ୍ୟ ଦେଉଛନ୍ତି, ତାକୁ ଜିଲ୍ଲା ପ୍ରଶାସନକୁ ଜଣାଇ ଦିଆଯାଉଛି । ଓମିକ୍ରନ୍ ନେଇ ସରକାର ଚିନ୍ତିତ ଅଛନ୍ତି, ଲୋକେ ସହଯୋଗ କରିବା ଦରକାର ବୋଲି ସେ ସ୍ପଷ୍ଟ କହିଛନ୍ତି ।

ଦେଶରେ ଏଯାଏଁ ୨୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନେକ ସ୍ଥାନରେ କରୋନାର ସମୂହ ସଂକ୍ରମଣ ଦେଖିବାକୁ ମିଳୁଛି । କର୍ଣ୍ଣାଟକ ଚିକାମାଗାଲୁରୁ ଜିଲ୍ଲାର ନବୋଦୟ ସ୍କୁଲର ୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତେଲେଙ୍ଗାନାର ଏକ ମେଡିକାଲ କଲେଜର ୪୩ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ତେଣୁ ଓମିକ୍ରନ ଭାରତରେ କାୟା ବିସ୍ତାର କରୁନାହିଁ ତ ତାକୁ ନେଇ ଡର ବଢିବାରେ ଲାଗିଛି ।