• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଅନ୍ୟ ଭାରିଏଣ୍ଟ୍ ତୁଳନାରେ ଡେଲଟା ଭାରିଏଣ୍ଟ୍ ଘାତକ

  • ଆମେରିକାର ରୋଗ ନିୟନ୍ତ୍ରଣ ଓ ନିବାରଣ କେନ୍ଦ୍ର ପକ୍ଷରୁ ସୂଚନା

ୱାସିଂଟନ : ହାଡ଼ଫୁଟି ଭଳି ସଂକ୍ରାମକ କରୋନାର ଡେଲଟା ଭାରିଏଣ୍ଟ୍ । ଭାଇରସର ଅନ୍ୟ ଭାରିଏଣ୍ଟ୍ ତୁଳନାରେ ଡେଲଟା ଭାରିଏଣ୍ଟ୍ ଘାତକ ହେବା ସହ ଚିକେନପକ୍ସ ବା ହାଡ଼ଫୁଟି ପରି ଦ୍ରୁତଗତିରେ ବ୍ୟାପିପାରେ ବୋଲି ଏକ ରିପୋର୍ଟରେ କହିଛି ଆମେରିକାର ରୋଗ ନିୟନ୍ତ୍ରଣ ଓ ନିବାରଣ କେନ୍ଦ୍ର (ସିଡିସି) । ତଥ୍ୟ ଅନୁସାରେ ଲୋକମାନେ ଟିକାର ଉଭୟ ଡୋଜ୍ ନେଇଥିଲେ ସୁଦ୍ଧା ଟିକା ନେଇନଥିବା ଲୋକଙ୍କ ପରି ତାଙ୍କୁ ଡେଲଟା ଭାରିଏଣ୍ଟ୍ ସଂକ୍ରମିତ କରିବାର ଅନେକ ସମ୍ଭାବନା ରହିଛି । ତୁଳନାତ୍ମକ ଭାବେ ଡେଲଟା ଭାରିଏଣ୍ଟର ସଂକ୍ରମଣ କ୍ଷମତା ଅଧିକ ।

ଭାରତରେ ଡେଲଟା ଭାରିଏଣ୍ଟ୍ ପ୍ରଥମେ ଚିହ୍ନଟ ହୋଇଥିଲା । ପ୍ରଥମେ 'ୱାଶିଂଟନ୍ ପୋଷ୍ଟ' ଏହି ଡକ୍ୟୁମେଣ୍ଟ ଆଧାରରେ ରିପୋର୍ଟ ପ୍ରକାଶ କରିଥିଲା । କରୋନା ଭୂତାଣୁର ଡେଲଟା ଭାରିଏଣ୍ଟ୍ ସାଧାରଣ ଥଣ୍ଡା, ସାର୍ସ, ଇବୋଲା, ଏମଇଆରଏସ୍‌ ତୁଳନାରେ ଅଧିକ ସଂକ୍ରାମକ । ଡେଲଟା ଭାରିଏଣ୍ଟ୍ (B.1.617.2) ସହଜରେ ଗଭୀର ସଂକ୍ରମଣର କାରଣ ହୋଇପାରେ । ଟିକା ନେଇଥିବା ଲୋକଙ୍କ ନାକ ଏବଂ ଗଳାରେ ଯେପରି ଏହି ଭାଇରସ୍ ଥାଏ, ଟିକା ନନେଇ ନଥିବା ଲୋକଙ୍କ ଠାରେ ମଧ୍ୟ ସେହିପରି ଥାଏ ।

ସିଡିସିର ବୈଜ୍ଞାନିକଙ୍କ ତଥ୍ୟ ଡେଲଟା ଭାରିଏଣ୍ଟ୍ ପାଇଁ ଆହୁରି ଚିନ୍ତା ବଢ଼ାଇ ଦେଇଛନ୍ତି । ଏହି ଭାରିଏଣ୍ଟ୍ ଏକ ଗୁରୁତର ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଇଛି । ଜୁଲାଇ ୨୪ ସୁଦ୍ଧା ସିଡିସି ତଥ୍ୟ ଅନୁସାରେଆମେରିକାରେ ୧୬.୨ କୋଟି ନିୟୁତ ଲୋକଙ୍କର ଟିକାକରଣ ହୋଇଛି । ଟିକାକରଣ ମଧ୍ୟରେ ବି ପ୍ରତି ସପ୍ତାହରେ ଲକ୍ଷଣ ଥିବା ପ୍ରାୟ ୩୫,୦୦୦ ଲୋକ ଚିହ୍ନଟ ହେଉଛନ୍ତି । କିନ୍ତୁ ଏଜେନ୍ସି ସାମାନ୍ୟ କିମ୍ବା ଅସ୍ୱାଭାବିକ ମାମଲା ଉପରେ ବିଶେଷ ଧ୍ୟାନ ଦେଉନାହିଁ, ଫଳରେ ପ୍ରକୃତ ସଂକ୍ରମିତଙ୍କ ସଂଖ୍ୟା ଅଧିକ ହୋଇପାରେ ବୋଲି କୁହାଯାଉଛି । ଡେଲଟା ଭାରିଏଣ୍ଟକୁ ରୋକିବାରେ କମ୍ ପ୍ରଭାବୀ ହୋଇପାରେ ଟିକା । ତେବେ ସଂକ୍ରମିତଙ୍କୁ ଗୁରୁତର ହେବାରୁ ରକ୍ଷା କରିଥାଏ କରୋନା ସଞ୍ଜିବନୀ । ଟିକାକରଣର ଦ୍ୱାରା ଲୋକଙ୍କୁ ୯୦ ପ୍ରତିଶତରୁ ଅଧିକ ସୁରକ୍ଷା ମିଳିଥାଏ । ତେଣୁ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଆବଶ୍ୟକ ।

ସେପଟେ ଚୀନରେ ଆତଙ୍କ ଖେଳାଇଛି ଡେଲଟା ଭାରିଏଣ୍ଟ୍ । ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା ସଂକ୍ରମଣ । ଚୀନର ରାଜଧାନୀ ବେଜିଂ ସମେତ ୧୫ଟି ସହରରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଡିସେମ୍ବର ୨୦୧୯ରେ ଉହାନରେ ଭାଇରସ୍ ପ୍ରକୋପ ପରେ ସରକାରୀ ମିଡିଆ ଏହାକୁ ସବୁଠାରୁ ବ୍ୟାପକ ରୋଗ ସଂକ୍ରମଣ ବୋଲି କହିଛି । 'ଗ୍ଲୋବାଲ ଟାଇମ୍ସ' ରିପୋର୍ଟ ଅନୁସାରେ କୋଭିଡ -୧୯ ମାମଲାରେ ନୂତନ ସଂକ୍ରମଣ ପୂର୍ବ ଚୀନର ଜିଆଙ୍ଗସୁ ପ୍ରଦେଶର ରାଜଧାନୀ ନାନଜିଙ୍ଗର ଏକ ବିମାନବନ୍ଦରରୁ ଆରମ୍ଭ ହୋଇଛି । ଏବଂ ସଂକ୍ରମଣ ବର୍ତ୍ତମାନ ସୁଦ୍ଧା ଅନ୍ୟ ପାଞ୍ଚଟି ପ୍ରଦେଶ ତଥା ବେଜିଂକୁ ବ୍ୟାପି ସାରିଛି ।