• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବେଜିଂ : କରୋନାର ଉତ୍ପତ୍ତିସ୍ଥଳକୁ ପୁଣି କରୋନା ଭୟ । ଚୀନରେ ଅଣାୟତ ହେଉଛି କରୋନା ସ୍ଥିତି । ଆତଙ୍କ ଖେଳାଇଛି ଡେଲଟା ଭାରିଏଣ୍ଟ୍ । ବର୍ତ୍ତମାନ ସମୟରେ ଚୀନର ଅନେକ ଅଞ୍ଚଳରେ ପୁଣି ଥରେ କରୋନା ଭାଇରସର ଡେଲଟା ଭାରିଏଣ୍ଟ୍ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଫଳରେ ଲକଡାଉନ୍ ନିଷ୍ପତ୍ତି ନେଇଛନ୍ତି ସରକାର । ସଂକ୍ରମଣ ବେଲଗାମ୍ ହେବାରୁ ମଙ୍ଗଳବାର ଠାରୁ ଚୀନ୍‌ର ଉତ୍ତର-ପଶ୍ଚିମ ଲାନଝୁ ସହରରେ ଲକଡାଉନ୍ କରାଯାଇଛି । ସେଠାକାର ଜନସଂଖ୍ୟା ପ୍ରାୟ ୪୦ ଲକ୍ଷ ହୋଇଥିବାରୁ ଆଗୁଆ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର । ଏଥି ସହିତ ସୋମବାର ଆଭ୍ୟନ୍ତରୀଣ ମୋଙ୍ଗୋଲିଆର ଏଜିନ୍ କାଉଣ୍ଟିର ଅତ୍ୟାବଶ୍ୟକ ସେବା ସହିତ ଜଡିତ ଲୋକଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ନିଜ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ଉଭୟ ସହରରେ କୋଭିଡ କଟକଣାକୁ କଡାକଡି ପାଳନ କରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ଏଜିନ୍ ଏବଂ ଲାନଝୁ କୋରୋନାର ହଟସ୍ପଟ୍ ପାଲଟିଛି ।

ଚୀନ୍‌କୁ କଲବଲ କରୁଛି ଡେଲଟା ଭାରିଏଣ୍ଟ୍ । ପ୍ରାୟ ଏକ ସପ୍ତାହ ମଧ୍ୟରେ କୋଭିଡ ସଂକ୍ରମଣ ୧୧ଟି ରାଜ୍ୟରେ ବ୍ୟାପିଥିବାରୁ ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଲୋକଙ୍କୁ ଚେତାବନୀ ଦେଇଛି । ଏଭଳି ସ୍ଥିତିରେ ଆଗାମୀ ଦିନରେ ସଂକ୍ରଭଣ ଆହୁରି ଭୟାନକ୍ ହୋଇପାରେ ବୋଲି ଆକଳନ କରାଯାଉଛି । ତେବେ ଜାତୀୟ ସ୍ୱାସ୍ଥ୍ୟ ଆୟୋଗର ଚେତାବନୀ ପରେ ଲାନ୍‌ଝୁ ସହରରେ ଲକଡାଉନ୍ କରିବାକୁ ଘୋଷଣା କରାଯାଇଛି । ବର୍ତ୍ତମାନ ବେଜିଂ ସମେତ ଆଭ୍ୟନ୍ତରୀଣ ମୋଙ୍ଗୋଲିଆ, ଗାନସୁ, ନିଙ୍ଗଜିଆ ଆଦି ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି । ଫଳରେ ଏହି ରାଜ୍ୟକୁ ଦେଶର ଅନ୍ୟ ସ୍ଥାନରୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି । କେବଳ ଏତିକି ନୁହେଁ ଟ୍ରେନର ଚଳାଚଳ ମଧ୍ୟ ନିଷେଧ କରାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପୂର୍ବ ତୁଳନାରେ ଅଧିକ ସତର୍କ ରହିଛି । ସ୍ଥିତି ଭୟଙ୍କର ହେବା ପୂର୍ବରୁ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି ।

ଲାନଝୁ ଏବଂ ମୋଙ୍ଗୋଲିଆ ସମେତ ଗାନସୁ ରାଜ୍ୟର କେତେକ ସହରରେ ସଂକ୍ରମଣ ବୃଦ୍ଧି ହେତୁ ବସ୍-ଟ୍ୟାକ୍ସି ସେବା ବନ୍ଦ କରି ଦିଆଯାଇଥିବା ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରଣାଳୟର ଜଣେ ଅଧିକାରୀ ଜୋ ମିନ । ସେହିପରି ଅକ୍ଟୋବର ୩୧ରେ ବେଜିଂରେ ହେବାକୁ ଥିବା ମାରାଥନକୁ ମଧ୍ୟ ବାତିଲ କରାଯାଇଛି । ଯେଉଁ ସହରରେ ସଂକ୍ରମଣ ବୃଦ୍ଧି ପାଉଛି, ସେମାନଙ୍କ ରାଜଧାନୀକୁ ଆସିବା କିମ୍ବା ଫେରିବା ଉପରେ ନିଷେଧାଦେଶ ଜାରି କରାଯାଇଛଇ । ଉହାନରେ ଥିବା ସିଟି ମାରାଥନକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଏହି ଦଉଡ଼ ପ୍ରତିଯୋଗିତାରେ ୨୬୦୦୦ ପ୍ରତିଯୋଗୀ ଭାଗ ନେଇଥାଆନ୍ତେ । ସୂଚନାଯୋଗ୍ୟ ଉହାନ୍ ସହରରେ ହିଁ ୨୦୧୯ରେ ପ୍ରଥମେ କରୋନା ଭାଇରସ୍ ଚିହ୍ନଟ ହୋଇଥିଲା ।