• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ମହାମାରୀ କରୋନାର ସୃଷ୍ଟି ଚୀନରୁ ହିଁ ହୋଇଛି ବୋଲି ସନ୍ଦେହ କରାଯାଉଥିବା ବେଳେ ଚୀନ କିନ୍ତୁ ଏନେଇ ସର୍ବଦା ଅସ୍ୱୀକାର କରିଆସୁଛି । ଅନୁମାନ କରାଯାଉଛି ଯେ ଚୀନର ବାଦୁଡିଙ୍କ ଠାରୁ କରୋନା ସଂକ୍ରମଣ ମଣିଷକୁ ବ୍ୟାପିଛି । ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ତେବେ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଚୀନରେ ଥିବା ଏକ ବାଦୁଡି ଗୁମ୍ଫା ଓ ପଶୁପାଳନ ପାଇଁ ହୋଇଥିବା ଫାର୍ମ ଗୁଡିକୁ ଅନୁସନ୍ଧାନ କରିବାକୁ ଚାହୁଁଛି । କିନ୍ତୁ ଚୀନ ଏନେଇ ସ୍ୱୀକୃତି ଦେଇନାହିଁ । ତେବେ ଏ ବିଷୟଟି ଏବେ ସନ୍ଦେହ ଘେରରେ ରହିଛି । କ’ଣ ପାଇଁ ଚୀନ WHO କୁ ସନ୍ଧାନ କରିବାକୁ ଦେଉନାହିଁ, କ’ଣ ରହିଛି ଏହା ପଛରେ ରହସ୍ୟ?

ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମହାମାରୀ କରୋନାର ଉତ୍ପତ୍ତି ଉହାନ୍‌ ସହର ପରିଦର୍ଶନ ପାଇଁ WHO ପକ୍ଷରୁ ଏକ ପ୍ରସ୍ତାବ ରଖାଯାଇଛି । କିନ୍ତୁ ଚୀନ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛି । ଉହାନ୍ ଠାରୁ ୬ ଘଣ୍ଟା ଦୂରରେ ଏହି ମହାମାରୀର ସୃଷ୍ଟି ବୋଲି ଅନୁମାନ କରାଯାଉଛି । ଏହା ପ୍ରଥମ ଥର ନୁହେଁ ବରଂ ଚୀନ ବାରମ୍ବାର ଉହାନ୍ ସହରର ଅନୁସନ୍ଧାନ ଉପରେ ପ୍ରତିବନ୍ଧକ ଲଗାଇଛି । ପୂର୍ବରୁ WHO ର ଏକ ଟିମ୍ ଉହାନ୍‌ ସହର ଅନୁସନ୍ଧାନରେ ଆସିଥିଲେ, କିନ୍ତୁ ଚୀନ ସେହି ସମୟରେ WHO ଟିମର ତଦନ୍ତକୁ ସୀମିତ ରଖିଥିଲା । ସମ୍ପୂର୍ଣ୍ଣ ସନ୍ଧାନ ପରେ ହିଁ ମହାମାରୀର ସଠିକ ତଥ୍ୟ ମିଳିପାରିବ ବୋଲି WHO ପକ୍ଷରୁ କୁହାଯାଇଥିଲା ।

ନିକଟରେ ଆମେରିକାର ଗୁଇନ୍ଦାଗିରି ରିପୋର୍ଟରୁ ସ୍ପଷ୍ଟ କରାଯାଇଥିଲା ଯେ କରୋନା ରୋଗ ପ୍ରାକୃତିକ ନୁହେଁ ବରଂ ମଣିଷ ଦ୍ୱାରା ଲ୍ୟାବରେ ତିଆରି ହୋଇଛି । ଏହି ସଂକ୍ରମଣ ବ୍ୟାପିବାରେ ଚୀନ ହିଁ ମୁଖ୍ୟ ଦୋଷୀ ବୋଲି ଆମେରିକା ପକ୍ଷରୁ କୁହାଯାଇଥିଲା । କିନ୍ତୁ ଚୀନ ଏହି ଆରୋପକୁ ମିଛ କହିବା ସହ ଏହି ଦାବି ଭିତ୍ତିହୀନ ବୋଲି କହିଛି ।