• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

 ନୂଆଦିଲ୍ଲୀ:  କରୋନା ଭାଇରସ ସଙ୍କଟ ମଧ୍ୟରେ ଆଉ ଏକ ଚ୍ୟାଲେଞ୍ଜ । ଡେଲ୍‌ଟା ପ୍ଲସ ଭାରିଏଣ୍ଟ ପରେ ଏବେ ଡରେଇଲାଣି ଲେମ୍ବଡା ଭାରିଏଣ୍ଟ। ଯଦିଓ ଏହା ଉପରେ କୌଣସି ଗବେଷଣା କରାଯାଇ ନାହିଁ ତଥାପି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମିଳିଥିବା ସତର୍କ ସୂଚନା ମନରେ ଭୟ ସୃଷ୍ଟି କରିବା ପରି। ସଂଗଠନର ମୁଖ୍ୟ Dr Tedros Adhanom Ghebreyesus ଲେମ୍ବଡାର ତୁଳନା ପୃଥିବୀରେ ଆତଙ୍କ ସୃଷ୍ଟି କରିଥିବା ଡେଲ୍‌ଟା ଭାରିଏଣ୍ଟ ସହ କରିଛନ୍ତି।  GISAID ତଥ୍ୟ ଅନୁସାରେ, ଏହି ଭାରିଏଣ୍ଟ ବିଶ୍ୱର ୩୧ ରାଜ୍ୟରେ କାୟ ବିସ୍ତାର କରି ସାରିଲାଣି। 
କରୋନାର ଏହି ନୂଆ ରୂପ  ଲେମ୍ବଡା ୨୦୨୦ ଅଗଷ୍ଟରେ ପେରୁରୁ ପ୍ରଥମେ ବାହାରିଥିଲା। ପରେ ବ୍ରିଟେନ୍‌ର କିଛି ନମୂନାରେ ଏହି ଭାରିଏଣ୍ଟ ଦେଖିବାକୁ ମିଳିଥିଲା। ଆମେରିକାର ୫୦ ରାଜ୍ୟରୁ ୪୩ ରାଜ୍ୟରେ ଏହି ଭାରିଏଣ୍ଟ ଏବେ ଇଜ୍ରାଏଲ, ସ୍ପେନ, ଜର୍ମାନୀ, ଇଟାଲି, ଫ୍ରାନ୍ସ, ସ୍ୱିଜରଲାଣ୍ଡ, ଟର୍କି, ଅଷ୍ଟ୍ରେଲିଆରେ ପ୍ରବେଶ କରି ସାରିଲାଣି। ତେବେ ଡେଲ୍‌ଟା ଭାରିଏଣ୍ଟ ସହ ଲଢିବା ପରେ ପୁଣି ଏହି ଭାରିଏଣ୍ଟକୁ ବିଶ୍ୱ କିପରି ସାମ୍ନା କରିବ ତାହା ଚିନ୍ତାର ବିଷୟ ହୋଇଛି। 


WHO ତଥ୍ୟ ଅନୁଯାୟୀ, ପେରୁରରେ ମିଳିଥିବା ୮୨ ପ୍ରତିଶତ ମାମଲା ଲେମ୍ବଡା ଭାରିଏଣ୍ଟ। ସେହିପରି ଚିଲିରେ ୩୨ ପ୍ରତିଶତ ରୋଗୀଙ୍କ ନମୂନା ଏହି ଭାରିଏଣ୍ଟ ବୋଲି ପରୀକ୍ଷାରୁ ଜଣାଯାଇଛି। ସେହିପରି ଆର୍ଜେଣ୍ଟିନାରେ ୩୭ ପ୍ରତିଶତ ରହିଛି। ପେରୁ ବ୍ୟତୀତ ଏହି ଭାରିଏଣ୍ଟ  ଦକ୍ଷିଣ ଆମେରିକୀୟ ଦେଶ ଆର୍ଜେଣ୍ଟିନା, ବ୍ରାଜିଲ, କଲମ୍ବିଆ, ଇକ୍ୱଡୋର ଏବଂ ମେକ୍ସିକୋରେ ଅଧିକ ଦେଖିବାକୁ ମିଳିଛି। ଏଠି କହିରଖିବୁ, ବିଶ୍ୱରେ କରୋନା ଜନିତ ମୃତ୍ୟୁ ହାର ପେରୁରେ ସବୁଠାରୁ ଅଧିକ। 


ଗବେଷଣାରୁ ଏତିକି ଜଣାଯାଇଛି, ୨ଟି ମ୍ୟୁଟେଶନ ଥିବାରୁ ଡେଲ୍‌ଟା ଭାରିଏଣ୍ଟକୁ ଡବଲ ମ୍ୟୁଟାଣ୍ଟ କହନ୍ତି। ହେଲେ ଲେମ୍ବଡା ଭାରିଏଣ୍ଟରେ ୭ଟି ମ୍ୟୁଟେଶନ ଦେଖିବାକୁ ମିଳିଛି। ଏହାକୁ ନେଇ ଅଧିକ ଗବେଷଣା କରାଯାଉଛି। ତେବେ ଏହି ଭାରିଏଣ୍ଟରେ ଅସାଧାରଣ ପରିବର୍ତ୍ତନ ଦେଖିବାକୁ ମିଳୁଥିବାରୁ ଆଗକୁ ସମସ୍ୟା ବଢିପାରେ ବୋଲି  Dr Tedros Adhanom Ghebreyesus କହିଛନ୍ତି।
ତେବେ ଏହି ଭାରିଏଣ୍ଟକୁ ଅଧିକ ସଂକ୍ରାମକ କରିବା ପଛରେ ଗୋଟିଏ ମ୍ୟୁଟେଶନ  L452Q କାମ କରୁଥିବା ଅନୁମାନ କରାଯାଉଛି। କାରଣ ଏହା ଡେଲ୍‌ଟାର L452R ମ୍ୟୁଟେଶନ ପରି। WHO ପକ୍ଷରୁ ଚେତାବନୀ ଦିଆଯାଇଛି, ଏହି ମ୍ୟୁଟାଣ୍ଟ ଅଧିକ ସଂକ୍ରାମକ ଏବଂ ଏହା ଇମ୍ୟୁନ ସିଷ୍ଟମକୁ ଅଧିକ ପ୍ରଭାବିତ କରିଥାଏ। ପେରୁର ଜଣେ ଗବେଷକଙ୍କ  କହିବା ଅନୁଯାୟୀ, ଏହି ଲେମ୍ବଡା ଭାରିଏଣ୍ଟ ଅଧିକ ସଂକ୍ରାମକ। ଫାଇନାନ୍ସିଆଲ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଡିସେମ୍ବରରେ ଏହି ଭାରିଏଣ୍ଟ ୨୦୦ ନମୂନାର ଗୋଟିକରେ ଦେଖିବାକୁ ମିଳୁଥିଲା। ହେଲେ ମାର୍ଚ୍ଚ ଏହି ଏହା ୫୦ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଜୁନ୍‌ରେ ୮୦ ପ୍ରତିଶତ ବୃଦ୍ଧି ପାଇଥିଲା।


ଏହି ଭାରିଏଣ୍ଟକୁ ନେଇ ଅଧିକ ଗବେଷଣା କରାଯାଇ ନାହିଁ। ଯେତିକି ହୋଇଛି ସେଥିରୁ ଜଣାଯାଏ, mRNA ଭାକ୍ସିନ ଏହି ଭାରିଏଣ୍ଟ ପାଇଁ ଫଳପ୍ରଦ ହେଉଛି। ଏହା ଉପରେ ଅଧିକ ଗବେଷଣା ଜାରି ରହିଛି।
ତେବେ ଭାରତ ପାଇଁ ଆଶ୍ୱସ୍ତିର କଥା ଯେ, ଏ ଯାଏ ଏଠାରେ କୌଣସି ମାମଲା ସାମ୍ନାକୁ ଆସିନାହିଁ। ତେବେ ଅନ୍ତରାଷ୍ଟ୍ରୀୟ ଯାତ୍ରା ଜାରି ରହିଲେ ଏହି ଭାରିଏଣ୍ଟ ଭାରତକୁ ଆସିବାର ଆଶଙ୍କା ରହିଛି। ତେବେ ଏହି ଭାରିଏଣ୍ଟକୁ ନେଇ ଭାରତକୁ ସତର୍କ ରହିବାକୁ ପଡ଼ିବ।