ମଦ ହୋମ୍‌ ଡେଲିଭରି କରିବ ଜୋମାଟୋ !

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଏବେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ଏଥିପାଇଁ ଅଧିକାଂଶ ରେଷ୍ଟୁରାଣ୍ଟ ଓ ହୋଟେଲ ବନ୍ଦ ରହିଛି। କରୋନା ଯୋଗୁ ଲୋକମାନେ ମଧ୍ୟ ବାହାରୁ ଖାଦ୍ୟ ମଗାଇବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ କେବଳ ଖାଦ୍ୟର ହୋମ ଡେଲିଭରି କରୁଥିବା ଜୋମାଟୋ ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ବିଶେଷ କରି ଗ୍ରୋସରୀ ମଧ୍ୟ ଘରେ ପହଞ୍ଚାଉଛି। ଏବେ ମଦ ହୋମ ଡେଲିଭରୀ କରିବାକୁ କମ୍ପାନୀ ଯୋଜନା କରୁଥିବା ସୂଚନା ମିଳିଛି।

ଭାରତରେ ମଦ ହୋମ ଡେଲିଭରି ପାଇଁ କୌଣସି ପ୍ରକାରର ଆଇନ ନାହିଁ। ଜୋମାଟୋ ଓ ଅନ୍ୟ ଡେଲିଭରୀ ସଂସ୍ଥା ପାଇଁ International Spirits and Wines Association of India (ISWAI) ଏହି ନିୟମରେ ପରିବର୍ତ୍ତନ କରିବାକୁ ଚାହୁଁଛି।

ଜୋମାଟୋର ସିଇଓ ମୋହିତ ଗୁପ୍ତା ଚିଠି ଲେଖି ହୋମ ଡେଲିଭରୀ ପାଇଁ ISWAIର ଅନୁମତି ମାଗିଛନ୍ତି। ଯେଉଁ ଅଞ୍ଚଳରେ କରୋନା ସଂକ୍ରମଣ କମ ଥିବ, ସେହି ଅଞ୍ଚଳରେ ମଦର ହୋମ ଡେଲିଭରି କରିବାକୁ ଜୋମାଟୋ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।

ତେବେ ବିଧିବଦ୍ଧ ଭାବେ ଜୋମାଟୋ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

ମାର୍ଚ୍ଚ ୨୫ରୁ ସାରା ଦେଶରେ ମଦ ଦୋକାନ ବନ୍ଦ ରହିଥିଲା। ତେବେ ଚଳିତ ସପ୍ତାହରେ ବିଭିନ୍ନ ରାଜ୍ୟରେ ମଦ ଦୋକାନ ପୁଣି ଖୋଲିଛି। ଫଳରେ ମଦ କିଣିବାକୁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏପରିକି ମଦର ଦାମ୍‌ ମଧ୍ୟ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା। ହେଲେ ଲୋକେ ଏହି ବର୍ଦ୍ଧିତ ଦରକୁ ଖାତିର୍‌ ନ କରି ମଦ କିଣିବା ପାଇଁ ଲମ୍ବା ଧାଡ଼ି ଲଗାଇଥିଲେ।

You might also like